ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ
ନିମନ୍ତ୍ରଣ ରକ୍ଷା କରି ସେବାୟତଙ୍କୁ ଗୁଆ ଓ ଚାଉଳ ଦେଲେ ମୁଖ୍ୟମନ୍ତ୍ରୀ
ପ୍ରକଳ୍ପ ପାଇଁ ପୁରୀ ବାସୀ ତଥା ସେବାୟତ ମାନଙ୍କ ତ୍ୟାଗ ଅତୁଳନୀୟ: ୫-ଟି ଅଧ୍ୟକ୍ଷ
#ଭୁବନେଶ୍ୱର(ଏନ୍.ଏମ୍.): ନବୀନ ନିବାସରେ ଥିଲା ଆଜି ଏକ ଆଧ୍ୟାତ୍ମିକ ପରିବେଶ । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ପୁରା ପରିସର । ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନେଇ ଏକ ୫୦ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଥିଲେ । ଆଜି ଭୁବନେଶ୍ୱରରେ ପହଞ୍ଚି ସେବାୟତ ଓ ଅନ୍ୟମାନେ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରି ନବୀନ ନିବାସକୁ ଆସିଥିଲେ । ନିମନ୍ତ୍ରଣ ପାଇଁ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଳ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିକ୍ରମା ପ୍ରକଳ୍ପ ଆପଣମାନଙ୍କ କାମ । ସେବାୟତ ବନ୍ଧୁ ମାନଙ୍କ କାମ । ପୁରୀବାସୀଙ୍କ କାମ । ଏହି ପବିତ୍ର କାମ ପାଇଁ ଯାହା ଆବଶ୍ୟକ ସବୁ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେବାୟତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ପୁରୀ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ “ଆପଣ ଇତିହାସ ରଚିଲେ । ଯୁଗ ଯୁଗ ପାଇଁ ଆପଣଙ୍କ ନାମ ଲିପିବଦ୍ଧ ହୋଇରହିବ ।” ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି ବୋଲି ମତଦେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ଆପଣଙ୍କ ନିର୍ଦ୍ଦେଶରେ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ମଧ୍ୟ ଦିନରାତି ପରିଶ୍ରମ କରି ବହୁତ ଭଲ କାମ କରୁଛନ୍ତି । ସାରା ଓଡିଶାର ରୂପରେଖରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେମାନେ ଆନନ୍ଦର ସହ ମତବ୍ୟକ୍ତ କରିଥିଲେ । ସେବାୟତ ମାନଙ୍କ ସହିତ ଆଲୋଚନା କରି ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କହିଲେ ଯେ, ପରିକ୍ରମା ପ୍ରକଳ୍ପ ସମ୍ଭବ ହୋଇପାରିଛି ପୁରୀ ବାସୀଙ୍କ ତ୍ୟାଗ ଯୋଗୁଁ । ସେବାୟତମାନଙ୍କ ତ୍ୟାଗ ଯୋଗୁ । ଆପଣମାନଙ୍କ ଅତୁଳନୀୟ ତ୍ୟାଗ ସବୁଦିନ ପାଇଁ ସମସ୍ତେ ଶ୍ରଦ୍ଧାର ସହ ମନେରଖିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ । ପରିକ୍ରମା ପ୍ରକଳ୍ପ କାମ ସମୟରେ ଅନେକ ବାର ବହୁତ ଅସୁବିଧା କିପରି ମହାପ୍ରଭୁଙ୍କ ଆଶୀର୍ବାଦରେ ଦୂର ହୋଇଛି ଏବଂ କାମ ସବୁ ଭଲ ଭାବରେ ଆଗେଇ ଚାଲିଥିଲା, ସେ ବିଷୟରେ ଶ୍ରୀ ପାଣ୍ଡିଆନ ନିଜ ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥିଲେ । ପୁରୀ ସହରର ବିକାଶ ପାଇଁ ତଥା ସେବାୟତମାନଙ୍କ କଲ୍ୟାଣ ପାଇଁ ଯାହାକିଛି ଆବଶ୍ୟକ, ମୁଖ୍ୟମନ୍ତ୍ରୀ ସବୁକିଛି କରିବେ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ସବୁ ସେବାୟତମାନଙ୍କୁ ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀମନ୍ଦିରର ସୁରକ୍ଷା ସହିତ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ସେମାନଙ୍କ ପାଇଁ ଏକ ଦିବ୍ୟ ଅନୁଭବ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ କରାଯାଇଛି । ୨୦୨୧ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଗଜପତି ମହାରାଜ ଦିବ୍ୟସିଂହ ଦେବ, ସାଧୁ ସନ୍ଥ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଲୋକାର୍ପଣ କାର୍ଯ୍ୟ ମଧ୍ୟ ସେହିପରି ସାଧୁ ସନ୍ଥ ଏବଂ ସବୁ ରାଜନୈତିକ ଦଳ ଓ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ । ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ପ୍ରକଳ୍ପ କାମର ନିୟମିତ ସମୀକ୍ଷା କରୁଛନ୍ତି ।