ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ

କଟକ(ଏନ୍.ଏମ୍.): ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ଆଜି ସିବିଆଇ ରେଡ ଆରମ୍ଭ ହୋଇଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ସିବିଆଇ ଟିମ୍ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି । ତେବେ ଏ ନେଇ ସିବିଆଇ ତରଫରୁ ଅଫିସିଆଲି କିଛି ଘୋଷଣା ହୋଇ ନଥିବା ବେଳେ ୨୫ ଲକ୍ଷର ଏକ ଲାଞ୍ଚ କାରବାର ଅଭିଯୋଗରେ ଏହି ଚଢାଉ ଚାଲିଥିବା ଜଣାଯାଇଛି ।
ଶ୍ରୀ ମିଶ୍ରଙ୍କ କଟକ ଓଡ଼ିଆ ବଜାରସ୍ଥିତ ଘର ଓ ଲିଙ୍କ ରୋଡସ୍ଥିତ ଓଏସଏଲ କାର୍ଯ୍ୟାଳୟରେ ସିବିଆଇର ୨ଟି ଟିମ୍ ଚଢ଼ାଉ କରିଛନ୍ତି । ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଓଡ଼ିଆ ବଜାରସ୍ଥିତ ଘରେ ଶ୍ରୀ ମିଶ୍ର ଓ ତାଙ୍କ ୨ ପୁଅ ଥିବା ଜଣାଯାଇଛି । ସେହିପରି ପାରାଦୀପର ବଡ଼ପଡ଼ିଆସ୍ଥିତ ଓଏସଏଲ ଅଫିସ୍ ସମେତ ୪ଟି ସ୍ଥାନରେ ଚଢାଉ ଚାଲିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶ୍ରୀ ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୁଲିସ୍ ବ୍ୟାଙ୍କକର ଏକ ହୋଟେଲରୁ ୨୦୧୬ ମସିହା ଡିସେମ୍ବର ମାସରେ ଗିରଫ କରିଥିଲା । ଏହାର ୨ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ଏବେ ପୁଣି ଶ୍ରୀ ମିଶ୍ରଙ୍କ ଘରେ ସିବିଆଇ ରେଡ କରିବା ନେଇ ଜନସାଧାରଣଙ୍କ ମଧ୍ୟରେ ଅନେକ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି ।