ମୁମ୍ବାଇ(ଏଜେନ୍ସି): ମହାରାଷ୍ଟ୍ର ଅଞ୍ଚଳରେ ମାଓବାଦୀଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ତେବେ ଏହାକୁ ମୁକାବିଲା କରିବା ପାଇଁ ମହାରାଷ୍ଟ୍ର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ଗଢ଼ଚିରୌଲୀ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ମହାରାଷ୍ଟ୍ର ପୁଲିସର ‘ସି-୬୦’ କମାଣ୍ଡୋମାନଙ୍କ ସହ ଗୁଳି ବିନିମୟ କରି ଅନ୍ୟୂନ ୧୩ଜଣ ମାଓବାଦୀ ନିହତ ହୋଇଥିବା କଥା ଶୁକ୍ରବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି । ସଭା କରିବା ଲାଗି ମାଓବାଦୀମାନେ କୋତମି ଫାଣ୍ଡି ନିକଟବର୍ତ୍ତୀ ପୈଠି ଜଙ୍ଗଲରେ ସମବେତ ହୋଇଥିବା ବେଳେ ଭୋର୍ ପ୍ରାୟ ୫ଟା ୩୦ମିନିଟ ସମୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା ବୋଲି ଗଢ଼ଚିରୌଲୀ ‘ଡିଆଇଜି’ ସନ୍ଦୀପ ପାଟିଲ ଗଣମାଧ୍ୟମକୁ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ସେଠାରେ ମାଓବାସୀଙ୍କ ସଭା ଚାଲିଥିବା ଜାରିବା ପରେ ‘ସି-୬୦’ଙ୍କୁ ନେଇ ଗଠିତ ପୁଲିସ ଦଳ ପୈଠି ଜଙ୍ଗଲରେ ତଲାସ ଅଭିଯାନ ଆରମ୍ଭ କରିଥିଲା । କିନ୍ତୁ, ମାଓବାଦୀମାନେ ପୁଲିସକୁ ଦେଖି ପକାଇ ଆଗୁଆ ଆଖିବୁଜା ଗୁଳି ଚଳାଇଥିଲେ । ପ୍ରାୟ ୧ଘଣ୍ଟା ଧରି ପୁଲିସ ଓ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଏହାପରେ ବାକି ମାଓବାଦୀମାନେ ଚତୁଃର୍ପାଶ୍ୱରେ ଥିବା ଜଙ୍ଗଲ ମଧ୍ୟକୁ ପଶି ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ ବୋଲି ଗଢ଼ଚିରୌଲୀ ଏସପି ଅଙ୍କିତ ଗୋୟାଲ ଗଣମାଧ୍ୟମକୁ କହିଛନ୍ତି । ଘଟଣାସ୍ଥଳରୁ ନିହତ ମାଓବାଦୀମାନଙ୍କର ଶବ ଉଦ୍ଧାର କରାଯାଇଛି । ଏବେ ମଧ୍ୟ ଆଖପାଖ ଅଞ୍ଚଳରେ ତଲାସ ଅଭିଯାନ ଚାଲୁ ରହିଥିବା ସେ ସୂଚନା ଦେଇଛନ୍ତି ।