ମହାନଦୀରେ ଭାସିଯାଇ ନିଖୋଜ ହେବା ଘଟଣା: ଚାରିଘରିଆ ସାହି ବାସିନ୍ଦାଙ୍କ ପକ୍ଷରୁ ରାସ୍ତା ଅବରୋଧ

କଟକ(ଏନ୍.ଏମ୍.): ମହାନଦୀରେ ଗାଧୋଇବାକୁ ଯାଇ ୩ଜଣ ପିଲା ଭାସିଯିବା ଏବଂ ଦୀର୍ଘ ସମୟ ଧରି ଦୁଇଜଣଙ୍କୁ ଉଦ୍ଧାର କରାଯାଇ ନପାରିବା ଘଟଣାରେ ଉତ୍ୟକ୍ତ ଅଞ୍ଚଳବାସୀ ରାସ୍ତାଅବରୋଧ କରିଥିଲେ । ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀଙ୍କ ମହାନଦୀରେ ପହଁଞ୍ଚିବା ବିଳମ୍ବ ହେବାରୁ ବ୍ୟାରେଜ ଛକ ମୁଖ୍ୟରାସ୍ତାକୁ ଚାରିଘରିଆ ଚୂନଭାଟି ଗଳି ସାହି ବାସିନ୍ଦାଙ୍କ ପକ୍ଷରୁ ଅବରୋଧ କରାଯାଇଥିଲା । ଯାହା ଫଳରେ ମହାନଦୀ ବ୍ରିଜ ଉପରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଛିଡା ହୋଇ ଟ୍ରାଫିକ ଜାମ ଭଳି ପରିସ୍ଥିତି ସୃଷ୍ଟି କରିଥିଲା । ଏପରିକି ଅନେକ ଆମ୍ବୁଲାନ୍ସ, ରୋଗୀ, ବୃଦ୍ଧ ବୃଦ୍ଧା ଦୀର୍ଘ ୧ ଘଣ୍ଟା ଯାଏଁ ଫସି ରହିଥିଲେ । ଅବରୋଧ ସ୍ଥଳରେ ପୁଲିସ ପହଁଞ୍ଚି ଉତ୍ତକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରେ ଯାନ ବାହାନ ଚଳାଚଳ ସ୍ୱଭାବିକ ହୋଇଥିଲା । ଖବର ପାଇ ସିଏମସି ମେୟର ସୁବାସ ସିଂହ ଓ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ସ୍ଥାନୀୟ ପୂର୍ବତନ କର୍ପୋରେଟର ଜୟଦେବ ଜେନା, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା, ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାରକାରୀ ଟିମ କମାଣ୍ଡରଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟକୁ ବ୍ୟାପକ ଭାବେ କରିବାକୁ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ ।
ସୂଚନା ଯୋଗ୍ୟ ଯେ, ଯୋବ୍ରା ପାର୍କ ପାଶ୍ୱର୍ ମହାନଦୀ ଘାଟକୁ ଗତକାଲି ୩ ଜଣ ସାଙ୍ଗ ଗାଧୋଇବାକୁ ଆସି ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଓଡ୍ରାଫ ଟିମ ଓ ଅଗ୍ନିଶମ କର୍ମଚାରୀ ଦିନ ତମାମ ସର୍ଚ୍ଚ ଅପରେସନ କରି ସାହିଲ ଖାନଙ୍କୁ ନଦୀ ପାଣିରୁ ଉଦ୍ଧାର କରିଥିଲେ । କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ଅନ୍ୟ ଦୁଇ ସାଙ୍ଗ ଆୟୋର ଓ ସିଦ୍ଦିକ ନିଖୋଜ ରହିଥିଲେ । ଆଜି ସୋମବାର ସକାଳୁ ୨ଟି ଓଡ୍ରାଫ ଟିମ ଓ ଗୋଟିଏ ଅଗ୍ନିଶମ ଟିମଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଦୁଇ ନିଖୋଜଙ୍କ ମଧ୍ୟରୁ ଆୟୋରଙ୍କ ମୃତ ଦେହକୁ ମଧୁସୂଦନ ଆଇନ ମହାବିଦ୍ୟାଳୟ ପାଶ୍ୱର୍ ରେଳ ପୋଲ ତଳୁ ଉଦ୍ଧାର କରାଯାଇଥିଲା । ଏବେ ସୁଦ୍ଧା ସିଦ୍ଦିକଙ୍କ ପତ୍ତା ମିଳିପାରି ନାହିଁ । ସନ୍ଧ୍ୟା ହୋଇଯିବା କାରଣରୁ ଆସନ୍ତା କାଲି ସକାଳଯାଏଁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ମୃତକଙ୍କ ପରିବାର ପକ୍ଷରୁ ମାଲଗୋଦାମ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ କେସ ନମ୍ବର ୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।