ମହାନଗର ନିଗମ ଆଇନ ଅଧ୍ୟାୟ-୨୧ ଅନୁଯାୟୀ ବେଆଇନ ଭାବେ ଉଛେଦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦାବିରେ ବିକ୍ଷୋଭ
କଟକ(ଏନ୍.ଏମ୍.): ବସ୍ତି ବାସିନ୍ଦାଙ୍କ ଦୀର୍ଘ ଆନ୍ଦୋଳନ ଫଳରେ ବସ୍ତି ବାସିନ୍ଦାଙ୍କ ପାଇଁ ପୂର୍ବରୁ ପୌରପାଳିକା ଓ ପରେ ମହାନଗର ନିଗମ ସାମ୍ବିଧାନିକ ଅଧିକାର ଅନୁଯାୟୀ ବସ୍ତି ବାସିନ୍ଦାଙ୍କୁ ସହରବାସୀ ବୋଲି ସ୍ୱୀକୃତି ଦେବାସହ ଆଇନ କରାଯାଇଛି । ବସ୍ତି ବାସିନ୍ଦାମାନଙ୍କୁ ରହୁ ଥିବା ସ୍ଥାନରେ ବା ବାସୋପଯୋଗୀ ସ୍ଥାନରେ ଜାଗା ଓ ଘର ଯୋଗାଇ ଦେବେ ଆଇନଗତ ବିଧି ରହିଛି । ମାତ୍ର ସରକାର ତାହା ନକରି କେବଳ ନିର୍ବାଚନକୁ ଆଖିରେ ଘୋଷଣା ବାଜି ରାଜନୀତି କରୁଛନ୍ତି । ଏହି ସରକାର ଅମଳରେ ଏବେକୁ ଲଗାଇ ୫ଥର ଏକା କଥା କେବଳ ଭିନ୍ନ ଶବ୍ଦରେ ଘୋଷଣା କଲେଣି । ସରକାର ବସ୍ତି ବାସିନ୍ଦାଙ୍କୁ ଭ୍ରମିତ ନକରି ଆଇନ ମୁତାବକ ଥଇଥାନ କରି ପଟ୍ଟା ପ୍ରଦାନ କରିବା ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି । ତଥାକଥିତ ସଖୀକଣ୍ଢେଇ ବସ୍ତି କମିଟି ନାମରେ ସାହି ବସ୍ତିର ବାସିନ୍ଦାମାନଙ୍କୁ ଚାପସ୍ରୁଷ୍ଟି କରି ବସ୍ତିକୁ ଅଣ ତାଲିକାଭୁକ୍ତ କରିବା ଉଦ୍ୟମ ବନ୍ଦ କରିବା, ଉଛେଦ ବସ୍ତି ବାସିନ୍ଦାଙ୍କୁ ମହାନଗର ନିଗମ ଆଇନ ଅନୁଯାୟୀ ପଟ୍ଟା ଦେବା ସହ ମୌଳିକ ଆବଶ୍ୟକତା ପୂରଣ କରିବା ଓ ଅନ୍ୟାନ୍ୟ ବସ୍ତିଗୁଡିକ ଯେଉଁ ସ୍ଥିତିବାନ ସ୍ଥାନରେ ଅଛି ସେହି ଠାରେ ଆଇନ ମୁତାବକ ପଟ୍ଟା ଦେବା ସହ ମୌଳିକ ଆବଶ୍ୟକତା ପୂରଣ କରିବା ପ୍ରମୁଖ ଦାବି ମଞ୍ଚ ପକ୍ଷରୁ କରାଯାଇ ସେଇ ମର୍ମରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ଆବାହକ ଖଗେଶ୍ୱର ସେଠୀ, ଶ୍ରମିକନେତା ରାଜକିଶୋର ମଲ୍ଲିକ, ବସ୍ତିନେତା ଦିପକ ଦାସ, ସସ୍ମିତା ମହାନ୍ତି, ପାଭେଲ ପ୍ରିୟଦର୍ଶନ, ସ୍ୱାଧିନୀ ବେହେରା, ସିପ୍ରା ମହାନ୍ତି, ରେଣୁବାଳା ଦାସ,ସୁକାନ୍ତ ନାୟକ, ସୁଜାତା ମହାପାତ୍ର, ପୁଷ୍ପାଞ୍ଜଳି ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା, ସୁଜାତା ଦାଶ, ସରସ୍ୱତୀ ସୁତାର, ପ୍ରମିଳା ବେହେରା, ଭାନୁମତି ମଲ୍ଲିକ, ବୁଢାନ ଟୁଡୁ, ଲକ୍ଷ୍ମୀ ସିଂ, ନିର୍ମଳ ଦାସ, କୁନି ବେହେରା, ରବି ବେହେରା, ସଂଜୁ ପଣ୍ଡା, ବସନ୍ତ ନାୟକ, ବିଷ୍ଣୁ ନାୟକ, ପ୍ରଫୁଲ୍ଲ ଦାସ ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ । ମହାନଗର ନାଗରିକ ମଞ୍ଚର ଆବାହକ ଚିତ୍ତରଞ୍ଜନ ମହାନ୍ତି, ବାମପନ୍ଥୀ ନେତା ବିଶ୍ୱାବସୁ ଦାସ, ଆଇନଜୀବୀ ସୁକାନ୍ତ ନାୟକ ବିକ୍ଷୋଭ କାରିଙ୍କୁ ସମର୍ଥନ ଜଣାଇ ବକ୍ତବ୍ୟ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବସ୍ତି ବାସିନ୍ଦାଙ୍କ ଅଧିକାର ଓ ବିକାଶ ସମ୍ବଦ୍ଧୀୟ ପୂର୍ବର ପୌରପାଳିକା ଆଇନ ଅନୁଯାୟୀ ୨୦୦୩ରେ ମହାନଗର ନିଗମ ଆଇନ କରାଯାଇ ଅଧ୍ୟାୟ-୨୧ରେ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ସହ ବସ୍ତିର ବିକାଶ ପାଇଁ ଆଇନଗତ ବ୍ୟବସ୍ଥା ରହିଛି । ୨୦୦୩ରେ ପ୍ରଥମେ ସରକାର ଅଧ୍ୟାଦେଶ କରି ଘୋଷଣା କଲେ ପୁଣି ସେଇ ୨୦୦୩ ରେ ଆଇନ କରି ୨ୟ ଥର ଘୋଷଣା କଲେ । ପରବର୍ତ୍ତୀ ଘୋଷଣା ୨୦୧୭ରେ ଆଉଥରେ ଅଧ୍ୟାଦେଶ ଆଣି ୩ୟ ଥର କଲେ ପୁଣି ସେଇ ୨୦୧୭ରେ ଆଇନ ହେଲା ପରେ ୪ର୍ଥ ଥର ଘୋଷଣା କଲେ । ବର୍ତ୍ତମାନ ୫ମଥର କ୍ୟାବିନେଟ ମଞ୍ଜୁରୀ ନାମରେ ଡିସେମ୍ବର ୩୧ ତାରିଖରେ ନୂଆବର୍ଷ ଭେଟି ନାମରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରାଗଲା । ଅପର ଦିଗରେ ଆଇନର କୌଣସି ସର୍ତ୍ତ ପୂରଣ ନକରି ଆଦର୍ଶ କଲୋନୀ ନାମରେ ମିଥ୍ୟା ପ୍ରଚାର ଚାଲିଛି । ପରିତାପର ବିଷୟ ସରକାରଙ୍କ ପ୍ରଶାସନ ଚଂଚକତା କରି ବସ୍ତି ବାସିନ୍ଦାଙ୍କ ମୌଳିକ ଅଧିକାର ଗୁଡିକୁ ପଦଦଳିତ କରି ମାନବିକ ଅଧିକାରରୁ ବଞ୍ଚିତ କରୁଛନ୍ତି ଏବଂ ସେଇ ପ୍ରକ୍ରିୟା ଚାଲୁରହିଛି । ବସ୍ତି ବାସିନ୍ଦାଙ୍କ ସରଳତା ଓ ଅଜ୍ଞତାର ସୁଯୋଗ ନେଇ ବସ୍ତିମାନଙ୍କରେ ମହାନଗର ନିଗମ ପ୍ରଶାସନ ଚଞ୍ଚକତା କରି ବସ୍ତି ବାସିନ୍ଦାଙ୍କ କମିଟି ନାମରେ ଗୋଟିଏ ସ୍ୱପ୍ରସ୍ତୁତ ଲେଖା ଦେଇ ବସ୍ତିକୁ ଅଣ ତାଲିକାଭୁକ୍ତ କରାଗଲା ବୋଲି ପ୍ରସ୍ତାବ କରାଇ ନିଆଯାଇଛି । ଅନ୍ୟ ପଟେ ରାଜ୍ୟ ପ୍ରଶାସନ ମହାନଗର ନିଗମ ଆଇନ ବହିର୍ଭୂତ ୧୫ ରେ ୧୫ ଜଗା ଦିଆଯାଇ ଆଦର୍ଶ କଲୋନୀ କରାଯାଉଛି ବୋଲି ଗଣମାଧ୍ୟମରେ ଘୋଷଣା କରିଛନ୍ତି ଯାହା ବେଆଇନ । ମହାମାରୀ କରୋନା କଳରେ ବେଆଇନ ଭାବେ ବହୁ ଜନବହୁଳ ବସ୍ତି ଗୁଡିକୁ ହାରାହାରି ୩୦୦୦ ପାଖାପାଖି ପରିବାରକୁ ଉଛେଦ କରି କୌଣସି ସ୍ଥିତି ନିର୍ଦ୍ଧାରଣ କରାନଯାଇ ବିବାଦୀୟ ସ୍ଥାନ ଓ ନଦୀ ଶଯ୍ୟାରେ ମୌଳିକ ଆବଶ୍ୟକତା ପୂରଣ ନକରି ଶରଣାର୍ଥୀ ଭଳି ରଖାଯାଇଛି । ଆଉ ଯେଉଁ ସାହି-ବସ୍ତି ଗୁଡିକ ରହିଯାଇଛି ସେଇ କୌଶଳରେ ଉଛେଦ ପାଇଁ ଷଡଯନ୍ତ୍ର କରାଯାଉଛି । ନିର୍ବାଚନ ସର୍ବସ୍ୱ ଫାଇଦା ପାଇଁ ସରକାର ଆଦର୍ଶ କଲୋନୀ ନାମରେ ସାହି ବସ୍ତିର ବାସିନ୍ଦାମାନଙ୍କୁ ପ୍ରତାରିତ କରୁଛନ୍ତି । ଏଥିରୁ କ୍ଷାନ୍ତ ରହିବା ପାଇଁ ବିକ୍ଷୋଭକାରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।