କେନ୍ଦ୍ରମନ୍ତ୍ରୀଙ୍କ ତାଳଦଣ୍ଡାକେନାଲ ବାମପାର୍ଶ୍ୱରାସ୍ତା ପରିଦର୍ଶନ
କ୍ଷେତ୍ରପରିଦର୍ଶନ ପରେ ଜମି ହସ୍ତାନ୍ତର ନିମନ୍ତେ କେନ୍ଦ୍ର ରେଳବାଇମନ୍ତ୍ରୀଙ୍କ ସବୁଜ ସଙ୍କେତ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କେନ୍ଦ୍ର ରେଳବାଇ,ସଂଚାର,ଇଲେକଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସ୍ୱତନ୍ତ୍ର ଅନୁରୋଧ କ୍ରମେ ତାଳଦଣ୍ଡାକେନାଲର ବାମପାର୍ଶ୍ୱରେ ନୂତନଭାବେ ନିର୍ମିତ ରାସ୍ତାକୁ ପରିଦର୍ଶନ କରି ସନ୍ତୁଷ୍ଟି ପ୍ରକାଶ କରିବା ସହ ଏହାର ସଂପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ୨ଏକର ରେଳବାଇ ଜମିର ହସ୍ତାନ୍ତକରଣର ଆବଶ୍ୟକତାକୁ ଅନୁଧ୍ୟାନ ପୂର୍ବକ ସବୁଜ ସଙ୍କେତ ଦେଇଥିଲେ । ପ୍ରକାଶ ଥାଉକି, କଟକ ବଡ଼ମେଡ଼ିକାଲ(ଏସସିବି)କୁ ବିଶ୍ୱସ୍ତରୀୟ କରି ଗଢିତୋଳିବା ନିମନ୍ତେ ମାଲଗୋଦାମ ପାର୍ଶ୍ୱରେ ଉପଲବ୍ଧ ହେଉଥିବା ଓ ରେଳବାଇ ମାଲିକାନାରେ ଥିବା ୨ଏକର ୨ଶହ ୪୪ ଡେସିମାଲ ଜମିକୁ ରାସ୍ତା ନିର୍ମାଣ ନିମନ୍ତେ ରାଜ୍ୟସରକାରଙ୍କୁ ତୁରନ୍ତ ହସ୍ତାନ୍ତର ପାଇଁ ଡିଭିଜିନାଲ ମ୍ୟାନେଜର ଖୋର୍ଦ୍ଧା ରୋଡଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ, ଏଥିପୂର୍ବରୁ ଡ଼ି.ଆର.ଏମଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ, ତାଳଦଣ୍ଡା କେନାଲ ବାମପାର୍ଶ୍ୱ ଜମି ଯାହାର ବଜାରମୂଲ୍ୟ ୯କୋଟି ୬୨ଲକ୍ଷ ୧୪ ହଜାର ୮୧୬ ଟଙ୍କା ସ୍ଥିରୀକୃତ ହୋଇଛି, ତାହା ବଦଳରେ ସମମୂଲ୍ୟର ରାଜ୍ୟସରକାରଙ୍କ ମାଲିକାନାରେ ଥିବା ଏବଂ ପୂର୍ବତଟ ରେଳବାଇ ଅନ୍ତର୍ଗତ ଖୋର୍ଦ୍ଧାରୋଡ ରେଳବାଇ ଡିଭିଜନ ପରିସୀମା ନିକଟରେ ଉପଲବ୍ଧ ହେଉଥିବା ଜମି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏହି ପ୍ରସ୍ତାବରେ ପୂର୍ବରୁ ରାଜ୍ୟସରକାର ସହମତି ପ୍ରକାଶ କରିଥିଲେ । ଉଲ୍ଲେଖଯୋଗ୍ୟ, ରାଜ୍ୟସରକାରଙ୍କୁ ଉପରୋକ୍ତ ଜମି ହସ୍ତାନ୍ତର ନିମନ୍ତେ ଡ଼ି.ଆର.ଏମ ଖୋର୍ଦ୍ଧାରୋଡ ରେଳବାଇ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅନୁମତି ମାଗିଥିଲେ, ଯାହାକି, ବିଚାରାଧୀନ ଥିବା ଜଣାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସମେତ କଟକ ମହାନଗର ନିଗମ ଆୟୁକ୍ତ ଅନନ୍ୟା ଦାସ, ଡ଼ି.ଆର.ଏମ ଖୋର୍ଦ୍ଧାରୋଡ ଓ ରେଳବାଇର ପଦସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି