ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା: ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ
#କଟକ(ଏନ୍.ଏମ୍.): ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଆଜି ମିଳିଛି ଆଶ୍ୱସ୍ତି । ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ସୂଚନାଯୋଗ୍ୟ, ଜନ ପ୍ରତିନିଧି ଆଇନର ଧାରା ୧୫୧-କ ଅନୁସାରେ ୯୦-ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଖାଲି ପଡ଼ିଛି (କାଜୁଆଲ ଭାକନ୍ସି) ବୋଲି ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ । ୨୦୧୯ ନିର୍ବାଚନରେ ମୋକିମଙ୍କ ଠାରୁ ନିର୍ବାଚନରେ ହାରି ଯାଇଥିବା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଜଷ୍ଟିସ ସଙ୍ଗମ କୁମାର ସାହୁ ୬୯୩ ପୃଷ୍ଠାର ଏହି ରାୟ ପ୍ରକାଶ କରିଥିଲେ ।
ଉଲ୍ଳେଖଯୋଗ୍ୟ ଯେ ୨୦୧୯ ନିର୍ବାଚନ ସମୟରେ ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର ନିର୍ଦ୍ଧାରିତ ନିୟମ ଅନୁଯାୟୀ ଦାଖଲ ହୋଇନଥିଲା । ଜନ ପ୍ରତିନିଧି ଆଇନର ଧାରା ୩୩, କଣ୍ଡକ୍ଟ ଅଫ୍ ଇଲେକ୍ସନ ରୁଲ୍ସ, ୧୯୬୧ର ନିୟମ ୪ ଓ ଭାରତର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶନାମା ଉଲ୍ଳଂଘନ କରି ରିଟର୍ଣ୍ଣିଂ ଅଫିସର ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର ଗ୍ରହଣ କରିଥିଲେ । ଶ୍ରୀ ମୋକିମ ନାମାଙ୍କନପତ୍ରରେ ଆବଶ୍ୟକ ତଥ୍ୟ ଉଲ୍ଲେଖ କରି ନଥିଲେ । ଜନପ୍ରତିନିଧି ଆଇନର ଧାରା ୩୬ରେ ପ୍ରଦତ୍ତ କ୍ଷମତା ଅନୁସାରେ ଯାଞ୍ଚ ସମୟରେ ରିଟର୍ଣ୍ଣିଂ ଅଫିସର ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର ଖାରଜ କରିବା ଉଚିତ ଥିଲା । ନାମାଙ୍କନ ବେଳେ ଶ୍ରୀ ମୋକିମ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ବିରୋଧରେ ଥିବା ୧୩ଟି ଅପରାଧିକ ମାମଲା ସଂକ୍ରାନ୍ତରେ ଉପଯୁକ୍ତ ତଥ୍ୟ ଓ ସଂପୂର୍ଣ୍ଣ ଘୋଷଣାନାମା ଦେଇ ନଥିଲେ । ଏଭଳି ସ୍ଥିତିରେ ୯୦-ବାରବାଟୀ-କଟକ ବିଧାନସଭା ଆସନରୁ ଶ୍ରୀ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ।