ମନୀଷ ହତ୍ୟାକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୁଲିସ୍
#ଭୁବନେଶ୍ୱର (ଏନ୍.ଏମ୍.): ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଇନ୍ଫୋସିଟି ପୁଲିସ ୪ ଦିନିଆ ରିମାଣ୍ଡରେ ନେବ । ଆସନ୍ତାକାଲି ଠାରୁ ସେମାନଙ୍କୁ ପୁଲିସ୍ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି । ଏଥିପାଇଁ ଭୁବନେଶ୍ୱର ଜେଏମ୍ଏଫସି କୋର୍ଟ ଅନୁମତି ଦେଇଛନ୍ତି । ଏହି ତିନି ଅଭିଯୁକ୍ତଙ୍କ ମଧ୍ୟରେ ଅମୃତ ବିଶ୍ୱାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମହାପାତ୍ର ରହିଛନ୍ତି । ଏମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୁଲିସ୍ ଆବେଦନ କରିଥିଲା । ତେବେ କୋର୍ଟ ୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ । ତେବେ ପୁଲିସ ରିମାଣ୍ଡରେ ନେବାପରେ ମନିଷ ହତ୍ୟାକାଣ୍ଡର ଅଧିକ ତଥ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ତେବେ ବାରରେ ବିଲ୍ ପେମେଣ୍ଟକୁ ନେଇ ହୋଇଥିବା ମାଡ଼ଗୋଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ କହିଛି । କମିଶନରେଟ ପୁଲିସର କହିବାନୁଯାୟୀ, ଗତ ଶନିବାର ଅପରାହ୍ନରେ ମନୀଷ ଏହି ତିନି ଅଭିଯୁକ୍ତଙ୍କ ସହିତ ଲକ୍ଷ୍ମୀସାଗରରେ ଥିବା ଏକ ବାରକୁ ଯାଇଥିଲେ । ସେଠାରୁ ରାତି ପ୍ରାୟ ୮ଟାରେ ବାହାରିଥିଲେ । ପରେ ରାତି ପ୍ରାୟ ୧୨ଟାରେ ସେମାନେ ହୋଟେଲ୍ ସାଉଥ୍ ଗାଲାକ୍ସି ବାରକୁ ଯାଇଥିଲେ । ସେଠାରେ ଖିଆପିଆ କରିଥିଲେ । ସେଠାରେ ବିଲ୍ ୮ ହଜାରରୁ ୧୦ ହଜାର ଟଙ୍କା ହୋଇଥିଲା । ମନୀଷଙ୍କ ସହ ଥିବା ମୃତ୍ୟୁଞ୍ଜୟ କିଛି ଟଙ୍କା ଦେଇଥିଲେ । ହେଲେ ବାକି ବିଲ୍ ଦେଇପାରି ନଥିବାରୁ ବାର କର୍ମଚାରୀ ମନୀଷଙ୍କୁ ଅଟକାଇ ରଖିଥିଲେ । ଟଙ୍କା ଦେଇ ସେଠାରୁ ବାହାରିବା ପରେ ଅଭିଯୁକ୍ତମାନଙ୍କ ସହିତ ମନୀଷଙ୍କର ଝଗଡ଼ା ହୋଇଥିଲା । ବିଲ୍ ପେମେଣ୍ଟକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିଯୋଗୁଁ ସେମାନେ ମନୀଷଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ଅଭିଯୁକ୍ତମାନେ ତାଙ୍କୁ ପାତ୍ରପଡ଼ା ନେଇ ପୋଖରୀରେ ପକାଇ ଦେଇଥିଲେ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଥିଲେ । ରବିବାର ମନୀଷଙ୍କ ମୃତଦେହ ମିଳିଥିଲା ।