ମଧୁସ୍ମୃତି ସଂସ୍ଥାନ ପକ୍ଷରୁ ମଧୁ ଜୟନ୍ତୀ
#କଟକ (ଏନ୍.ଏମ୍.): କଟକ ମଧୁସୂଦନ ସଂଗ୍ରହାଳୟ ଠାରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ମଧୁ ସ୍ମୃତି ସଂସ୍ଥାନ ଦ୍ୱାରା ଓ ଜିଲ୍ଲା ପ୍ରଶାସନର ସହାୟତାରେ ଆୟୋଜିତ ହୋଇ ଯାଇଛି । ମୁଖ୍ୟ ଉପଦେଷ୍ଟା ଅକ୍ଷୟ କୁମାର ଦାସ, ସ୍ଥାନୀୟ କର୍ପୋରେଟର ଲିଜାରାଣୀ ରାଉତ ଓ ବସନ୍ତ କୁମାର ବେହେରା ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ‘ମଧୁବାବୁ ଓ ଆଜିର ଓଡ଼ିଶା’ ସମ୍ପର୍କରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଯୋଗ ଦେଇଥିଲେ । ସଂସ୍ଥାର ସଭାପତି ଆଇନଜୀବୀ ଶଶୀଭୂଷଣ ଦାସ ଉକ୍ତ ସଭାରେ ସଭାପତିତ୍ୱ କରିଥିବା ବେଳେ ମଧୁସ୍ମୃତିର ଅଧକ୍ଷ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମଧୁସୂଦନଙ୍କ ଓଡ଼ିଆ ଭାଷା ଓ ସୀମା ପାଇଁ ଥିବା ଅବଦାନ ବିଷୟରେ ଆଲୋକପାତ କରା ଯାଇ ତାଙ୍କର ଏକ ୫୦ ଫୁଟର ପ୍ରତିମୂର୍ତ୍ତି କଟକ ଠାରେ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ସହିତ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ମଧୁବାବୁଙ୍କ ବିଷୟ ଅଧିକ ସ୍ଥାନ ପାଇବାର ପାଇଁ ଶିକ୍ଷା ବିଭାଗରେ ଦାବି ରଖାଯିବାକୁ ପ୍ରସ୍ତାବ ହୋଇଥିଲା । ଉକ୍ତ ସଭାରେ କଟକ ଅର୍ବାନ ବ୍ୟାଙ୍କର ଅନ୍ୟତମ ନିର୍ଦ୍ଦେଶକ ସୌମ୍ୟଦୀପ ଘୋଷ, ଅକ୍ଷୟ ଦାସ, ଅରୁଣଧୋତି ଦେବୀ, ହିନ୍ଦୁସେନା ସଭାପତି ଦେବାଶିଷ ରାଉତ, ସେକ ଅବଦୁଲା ପ୍ରମୁଖ ମଧୁବାବୁ ଜଣେ ଓଡ଼ିଶା ଓ ଓଡ଼ିଆ ଭାଷାକୁ ନ୍ୟାୟ ଦେବାରେ ପ୍ରଥମ ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହେମନ୍ତ କୁମାର ସାହୁ, ପ୍ରିୟବ୍ରତ ପଟ୍ଟନାୟକ, ଅଶୋକ କୁମାର ପାତ୍ର, ଉପେନ୍ଦ୍ର ବେହେରା, ବିଶ୍ୱମ୍ବର ସାହୁ, ଜନାର୍ଦ୍ଧନ ମହାନ୍ତି, ଗଗନ ଦାସ, ସବ୍ୟସାଚୀ ମହାନ୍ତି ଏବଂ କଟକର ବୁଦ୍ଧିଜୀବୀ ତଥା ମଧୁ ପ୍ରେମୀ ପ୍ରମୁଖ ଯୋଗ ଦେଇ ଥିଲେ । ଶେଷରେ ମଧୁସ୍ମୃତି ସଂସ୍ଥାନର ସହ ସମ୍ପାଦକ କ୍ଷୀରୋଦ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।