ମଧୁସୂଦନ ସେତୁ ଆଲୋକୀକରଣ କ୍ଷେତ୍ରରେ ବିଭାଗୀୟ ଉଦାସୀନତା: ଅଭିନବ ଉପାୟରେ ପ୍ରତିବାଦ
#ଚୌଦ୍ୱାର (ଏନ୍.ଏମ୍.): ଦୀର୍ଘ ଦିନ ଧରି ମଧୁସୂଦନ ସେତୁରେ ବର୍ଷ ବର୍ଷ ଧରି ଆଲୋକୀକରଣ ବ୍ୟବସ୍ଥା କରାଯାଇ ନଥିବା ଯୋଗୁଁ ଜନଅସନ୍ତୋଷ ତେଜିବାରେ ଲାଗିଛି । ବିଶେଷ କରି ଏହି ରାସ୍ତାଟି ଘନ ଅନ୍ଧକାର ରହୁଥିବା ଯୋଗୁଁ ଏହି ରାସ୍ତାଦେଇ ଯାତାୟତ ସମୟରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାଘଟି ବହୁ ଧନଜୀବନ କ୍ଷତି ହେଉଛି । ବିଶେଷ କରି ଅନ୍ଧାର ରାତିର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିମାନେ ନିଜର ସାମ୍ରାଜ୍ୟ ବିସ୍ତାର କରୁଛନ୍ତି । ଏ ସଂକ୍ରାନ୍ତରେ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ଫଳ ଶୂନ । ତେଣୁ ଆଲୋକୀକରଣ ବ୍ୟବସ୍ଥା ହେଉନଥିବା ପ୍ରତିବାଦରେ ଆଜି ଅଞ୍ଚଳବାସୀ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ମହାନଦୀ ଉପରେ ୨୦୧୫ମସିହାରେ କଟକରୁ ନୂଆପାଟଣାକୁ ସଂଯୋଗ କରିବା ନିମନ୍ତେ ଏହି ସେତୁର ଶିଳାନ୍ୟାସ କରାଯାଇଥିଲା । ୧୫୬କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଏହି ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହା ଏପ୍ରିଲ ୧ତାରିଖ ଉତ୍କଳ ଦିବସ ଅବସରରେ ଉଦ୍ଘାଟନ କରିଥିଲେ । ୨.୫କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁଟି ଉଦ୍ଘାଟନ ହୋଇ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେତୁରେ ଆଲୋକୀକରଣ ବ୍ୟବସ୍ଥା କରାଯାଇ ପାରିଲା ନାହିଁ । ଫଳରେ ସ୍ଥାନୀୟ ଲୋକମାନେ ଏ ନେଇ ବାରମ୍ବାର ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭକରି ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ଯେତେ ନେହୁରା ହୋଇଥିଲେ ମଧ୍ୟ ଏ ନେଇ କାହାରି ଦୃଷ୍ଟି ପଡ଼ିଲା ନାହିଁ । ତେଣୁ ସ୍ଥାନୀୟ କୟଳପଡ଼ା ପଞ୍ଚାୟତର ଆଞ୍ଚଳିକ ବିକାଶ ପରିଷଦର କର୍ମକର୍ତ୍ତାମାନେ ଆଜି ସଂଧ୍ୟାବେଳେ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ । ସମସ୍ତେ ହାତରେ ଗୋଟିଏ ଗୋଟିଏ କିରୋସିନ ଚାଳିତ ଲଣ୍ଠନ ଧରି ସେତୁକୁ ଆଲୋକୀକରଣ କରିବା ସହ ପ୍ରଶାସନର ବୈମାତୃକ ମନୋଭାବକୁ ନିନ୍ଦା କରିଥିଲେ । ପରିଷଦ ସଭାପତି ରଶ୍ମିରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଅଞ୍ଚଳବାସୀ ୬ଦଫା ଦାବି ନେଇ ନୂଆପାଟଣା ଠାରୁ ସେତୁର ଅପରପାଶ୍ୱର୍ ସିଡିଏ ପର୍ଯ୍ୟନ୍ତ ଲଣ୍ଠନ ଶୋଭାଯାତ୍ରା କରିଥିଲେ । ଏହି ଦାବି ମଧ୍ୟରେ ଆଲୋକୀକରଣ ବ୍ୟବସ୍ଥା, ସିସିଟିଭି କ୍ୟାମେରା, ସେତୁ ଉପରେ ଜମିରହୁଥିବା ବାଲି ସଫେଇ କରିବା, ନୂଆପାଟଣା ଗୋଲେଇ ଛକ ଠାରେ ହାଇମାସ୍କ ଲାଇଟ ବ୍ୟବସ୍ଥା, ସେତୁର ଉଭୟ ପାଶ୍ୱର୍ରେ ବସ ଷ୍ଟପ, ପୁଲିସ ବିଟ ହାଉସ ପ୍ରତିଷ୍ଠା, ଟ୍ରାଫିକ ବ୍ୟବସ୍ଥା ଆଦି ରହିଛି । ଏହି କାର୍ଯ୍ୟକ୍ରମରେ ପରିଷଦ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ଉପସଭାପତି ଦେବେନ୍ଦ୍ର ରାଉଳ, କାର୍ଯ୍ୟକାରୀ ସଭାପତି ସ୍ମୃତିରଞ୍ଜନ ବେଉରା, ସମ୍ପାଦକ ହରିହର ପାତ୍ର, ସହସମ୍ପାଦକ ପ୍ରକାଶ ଚନ୍ଦ୍ର ମଲ୍ଲିକ, କୋଷାଧ୍ୟକ୍ଷ ମହେଶ୍ୱର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତଥିଲେ । ଏଥି ସହିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର କୟଳପଡ଼ା, ଇନ୍ଦ୍ରାଣୀପାଟଣା, ବାଣୀପଦା, କଖଡ଼ି, ମଞ୍ଚେଶ୍ୱର, କୁଷ୍ପଙ୍ଗୀ ଆଦି ପଞ୍ଚାୟତର ସମସ୍ତ ଲୋକପ୍ରତିନିଧି, ମୁରବୀ, ମହିଳା ଯୋଗ ଦେଇଥିଲେ । ଏହି ଅବସରରେ ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସାଂସଦ, ବାରବାଟୀ-କଟକ ବିଧାୟକ, ଚୌଦ୍ୱାର-କଟକ ବିଧାୟକ, କଟକ ଡିସିପିଙ୍କୁ ପ୍ରଦାନ କରାଯାଇଛି । ତେବେ ତୁରନ୍ତ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।