ମଧୁସୁଦନ ଆଇନ୍ ବିଶ୍ୱ ବିଦ୍ୟାଳୟ ସମ୍ପର୍କରେ ଆଇନ୍ ମନ୍ତ୍ରୀଙ୍କ ସହିତ ସାଂସଦ ସୁବାସ ସିଂହଙ୍କ ଆଲୋଚନା
ସିଡିଏରେ ୨୦ଏକର ଜମି ଯୋଗାଇ ଦେବାକୁ ପ୍ରସ୍ତାବ
କଟକ(ଏନ୍.ଏମ୍.): ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ଆଜି ସାଂସଦ ସୁବାସ ସିଂହ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଆଲୋଚନା ହୋଇଛି । ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ନାମରେ ନାମିତ ମଧୁସୁଦନ ଆଇନ୍ ମହାବିଦ୍ୟାଳୟ, ଗତ ଏପ୍ରଲ୍ ୨୮ ତାରିଖ ମଧୁବାବୁଙ୍କ ଜୟନ୍ତି ଦିବସରେ ଏହି ମହାବିଦ୍ୟାଳୟକୁ ଓଡିଶାର ପ୍ରଥମ ଆଇନ୍ ବିଶ୍ୱବିଦ୍ୟାଳୟ ରୂପେ ମୁଖ୍ୟମନ୍ତ୍ରୀ ଓ ଓଡିଶା ସରକାର ବିଧିବଦ୍ଧ ଭାବରେ କାର୍ଯ୍ୟକାରି କରିଥିଲେ । ୧୮୬୯ ମସିହା ମାର୍ଚ୍ଚ ୧୦ତାରିଖରେ ଏହି ମହାବିଦ୍ୟାଳୟ ଓଡିଶାରେ ତିଆରି ହୋଇଥିଲା । ରାଜ୍ୟର ଏହି ବିଶ୍ୱବିଦ୍ୟାଳୟ ଅଧିନରେ ୨୨ଟି ଆଇନ୍ ବିଦ୍ୟାଳୟ ରହିଛି । ଏହି ବିଶ୍ୱବିଦ୍ୟାଳୟର ପ୍ରଥମ ଉପ-କୂଳପତି ଭାବରେ ପ୍ରଫେସର କମଲ୍ଜିତ୍ ସିଂ ଗତ ଏପ୍ରିଲ୍ ୨୮ ତାରିଖରେ ଦାଇତ୍ୱ ଗ୍ରହଣ କରିଛନ୍ତି । ଏହି ସମୟ ମଧ୍ୟରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ରେଜିଷ୍ଟାର ଓ କଣ୍ଟ୍ରୋଲର ଅଫ୍ ଫାଇନାନ୍ସଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଏହି ପ୍ରଥମ ଆଇନ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ଓ କାର୍ଯ୍ୟକାରି କରିବା ରାଜ୍ୟ ଓ କଟକ ପାଇଁ ଗର୍ବ ଓ ଗୌରବର ବିଷୟ । କଟକରେ ଉଚ୍ଚ ନ୍ୟାୟାଳୟ ସମ୍ପ୍ରସାରଣ, ଜାତୀୟ ଆଇନ୍ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା, ଜୁଡିସିଆଲ୍ ଏକାଡେମି ଓ ଆଇନ୍ ବିଶ୍ୱ ବିଦ୍ୟାଳୟକୁ କାର୍ଯ୍ୟକାରି କରି ଆଇନ୍ ବ୍ୟବସ୍ଥାକୁ ସରଳରୁପେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ଏକ ଉଲ୍ଲେଖନୀୟ ଅବଦାନ ଦେଇ ପାରିଛନ୍ତି । ଏହା ଦ୍ୱାରା କଟକ ଦେଶର ଆଇନ୍ ପ୍ରତିଷ୍ଠାନର ଏକ ପ୍ରମୁଖ ସ୍ଥାନରେ ପରିଣତ ହୋଇଛି । ଏହି ଆଇନ୍ ମହା ବିଦ୍ୟାଳୟରେ ପୁରାତନ ଛାତ୍ର ତଥା ସାଂସଦ ସୁବାସ ସିଂହ ଏ ସମ୍ପର୍କରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନା ରେ ନବ ନିଯୁକ୍ତ ଉପକୂଳପତି ପ୍ରଫେସର କମଲ୍ଜିତ୍ ସିଂ ଉପସ୍ଥିତ ଥିଲେ । ସି.ଡି.ଏ ଅଞ୍ଚଳରେ ୨୦ ଏକର ଜମି ଯୋଗାଇ ଦେବାକୁ ସାଂସଦ ଶ୍ରୀ ସିଂହ ମାନ୍ୟବର ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ । ଏହାଛଡା ଖୁବ୍ଶିଘ୍ର ଏକାଡେମିକ୍ ବିଲ୍ଡିଙ୍ଗ ଓ ପ୍ରଶାସନିକ ବିଲ୍ଡିଙ୍ଗ ନିର୍ମାଣ ପାଇଁ ବ୍ୟୟବରାଦ କରିବା ସହିତ ସ୍ଥାୟୀ କୂଳସଚିବ, ପରିକ୍ଷା ନିୟନ୍ତ୍ରକ, ଅର୍ଥ ନିୟନ୍ତ୍ରକ, ଡିନ୍ ପ୍ରଭୃତି ପଦବୀଗୁଡିକ ପୁରଣ କରାଯାଇ ଏହି ବିଶ୍ୱବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ସାଂସଦ ଅନୁରୋଧ କରିଥିଲେ ।