ମଉଳି ଗଲା ବିଜେପି-ବିଜେଡି ମେଣ୍ଟ ଆଶା: ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ପୁଣି କହିଲେ ମନମୋହନ
#ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ବେଶ କିଛି ଦିନ ଚର୍ଚ୍ଚା ଚାଲିଥିବାବେଳେ ଏବେ ମେଣ୍ଟ ଆଶା ଧିରେ ଧିରେ ମଉଳିବାରେ ଲାଗିଛି । ମେଣ୍ଟ ନେଇ ବିଜେଡି ଏ ପର୍ଯ୍ୟନ୍ତ ମୁହଁ ଖୋଲିନଥିବାବେଳେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ ବୋଲି କହି କର୍ମୀମାନେ ପ୍ରସଙ୍ଗରୁ ଏଡାଇ ଯାଇଛନ୍ତି । ଅନ୍ୟପକ୍ଷେ ମେଣ୍ଟକୁ ନେଇ ବିଜେପି ରାଜ୍ୟସଭାପତି, ପ୍ରଭାରୀ ତଥା ଅନ୍ୟ ନେତାମାନେ ଅସ୍ୱୀକାର କରିଛନ୍ତି । ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ନେତାମାନେ ଦୃଢ଼ୋକ୍ତି ବାଢ଼ିଛନ୍ତି । ତେବେ ଆଜି ଦିଲ୍ଲୀରୁ ଫେରିବା ପରେ ମାପିଚୁପି ମନ୍ତବ୍ୟ ରଖିଥିବା ବିଜେପି ସଭାପତି ମନମୋହନ ସାମଲ କିନ୍ତୁ ପୁଣି ଥରେ ନିଜ ପୁରୁଣା କଥା ଦୋହରାଇଛନ୍ତି । ମଧ୍ୟାହ୍ନ ସମୟରେ ମନମୋହନ ଦେଇଥିବା ମନ୍ତବ୍ୟରେ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ ବୋଲି ସ୍ପଷ୍ଟ କରିଛନ୍ତି । ମନମୋହନ କହିଛନ୍ତି, ଓଡ଼ିଶାରେ ବିଜେପିର ସରକାର ହେବ । ଓଡ଼ିଶାର ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ, ନିର୍ବାଚନ ଲଢ଼ିବୁ । ଓଡ଼ିଶାର ଅସ୍ମିତା ନେଇ ନିର୍ବାଚନ ଲଢ଼ିବ ବିଜେପି । ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ । ଓଡ଼ିଶାର ଲୋକମାନେ ଏଥର ନିର୍ବାଚନ ଦାୟିତ୍ୱ ନେବେ । ତେଣୁ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେଉ ନଥିବା ନେଇ ଏବେ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିବା ଚର୍ଚ୍ଚା ହେଉଛି । ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ବିଜେପି ନିଜ ଦୁଇ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଥିବା ବେଳେ ଓଡ଼ିଶାର ଗୋଟିଏ ବି ସିଟ୍ ନାଁ ଉଲ୍ଲେଖ ନାହିଁ । ଅପରପକ୍ଷେ, ବିଜେଡି ମଧ୍ୟ ଏଯାବତ ନିଜ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହିଁ । ଏହାବାଦ ନୂଆଦିଲ୍ଲୀରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ନେଇ ଶୀର୍ଷସ୍ତରୀୟ ନେତୃତ୍ୱଙ୍କ ବୈଠକ ଏହି ମେଣ୍ଟ ଚର୍ଚ୍ଚାକୁ ବେଶ୍ ଖୋରାକ ଯୋଗାଉଥିଲା । ମାତ୍ର ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବନି, ବିଜେପି ଏକା ଲଢ଼ିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟ କରି ଆସୁଥିଲେ । ମାତ୍ର ଏହାପରେ ବି ମେଣ୍ଟ ହେବା ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିଲା । ଏହାମଧ୍ୟରେ ୪ ଦିନ ଧରି ଦିଲ୍ଲୀରେ ଡେରା ପକାଇଥିବା ମନମୋହନ ସାମଲ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ ଘନ ଘନ ବୈଠକ କରିଥିଲେ । ଗତକାଲି ମନମୋହନ ସାମଲଙ୍କ ଟିମ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ମାତ୍ର ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା ବେଳେ ସେ ମେଣ୍ଟକୁ ନେଇ ମାପିଚୁପି ମତ ରଖିଥିଲେ, ଯାହାକୁ ନେଇ ପୁଣିଥରେ ମେଣ୍ଟ ଅଙ୍କକୁ ନେଇ ହଟଚମଟ ଦେଖା ଦେଇଥିଲା । ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲ ପ୍ରତିକ୍ରିୟା ଦେଇ ସକାଳେ କହିଥିଲେ, ‘ସବୁ ଠିକ୍ ଚାଲିଛି ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି । ଆମେ ସବୁ ବିଷୟରେ ବିଚାର ଆଲୋଚନା କରୁଛୁ । ମାତ୍ର ମେଣ୍ଟ ହେବ ନା ନାହିଁ ଏନେଇ ସେ ସଫା ସଫା କିଛି କହି ନଥିଲେ । କିନ୍ତୁ ମଧ୍ୟାହ୍ନ ସମୟରେ ମନମୋହନ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି । ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଓ ଜିତିବ ବୋଲି ବି ସେ ସ୍ପଷ୍ଟ ଭାବେ କହିଛନ୍ତି । ଅପରପକ୍ଷେ, ଆଜି ଅପରାହ୍ନରେ ବିଜେଡିର ହେଭିୱେଟ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ କ’ଣ ଆଲୋଚନା ହେବ ଓ ତା’ର ନିଷ୍କର୍ଷ କ’ଣ ବାହାରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପକ୍ଷରେ ବିଜେପି ଏକାକୀ ନିର୍ବାଚନ ଲଢ଼ିଲେ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେଡି ହେବ ଏବଂ ବିଜେପି ଯେଉଁ ଆଶା ରଖିଛି ତାହା ସଫଳ ହେବାରେ କଷ୍ଟ ହେବ ବୋଲି ନିର୍ବାଚନ ସମୀକ୍ଷକମାନେ ପ୍ରକାଶ କରିଛନ୍ତି ।