ଭୁବନେଶ୍ୱର-କୋଣାର୍କ ୭୧ ନମ୍ବର ରୁଟ୍ରେ ପୁନଃ ‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମନ୍ତ୍ରୀ

#ଭୁବନେଶ୍ୱର(ଏନ୍.ଏମ୍.): ଭୁବନେଶ୍ୱରଠାରୁ କୋଣାର୍କ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଗମନାଗମନ ସୁବିଧା ପାଇଁ ୭୧ ନମ୍ବର ରୁଟ୍ରେ ପୁଣି ଆରମ୍ଭ ହୋଇଥିବା ‘ମୋ ବସ୍’ ସେବାକୁ ଇଲୋକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା, ଗୃହ(ରାଷ୍ଟ୍ର) ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭାରମ୍ଭ କରିଛନ୍ତି । ପୁରୀ ଜିଲ୍ଲାରେ କୋଣାର୍କ, ଜାହାନିଆ, ଅସ୍ତରଙ୍ଗ ଆଦି ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । କୋଣାର୍କ ସୂର୍ଯ୍ୟମନ୍ଦିରର ଐତିହ୍ୟ ଏବଂ କାରୁକାର୍ଯ୍ୟକୁ ନେଇ ବିଶ୍ୱସ୍ତରରେ ଅନେକ ପ୍ରସିଦ୍ଧି ରହିଛି । ଆଜି ଠାରୁ କୋଣାର୍କ ମହୋତ୍ସବ ଓ ବାଲୁକାକଳା ଉତ୍ସବ ଆରମ୍ଭ ହେଉଛି । ରାଜଧାନୀ ଭୁବନେଶ୍ୱରଠାରେ ଗତକାଲିଠାରୁ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଆରମ୍ଭ ହୋଇଛି । ଏଥିପାଇଁ ଦେଶବିଦେଶରୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନ ଓଡ଼ିଶା ଆସିଛନ୍ତି । ବର୍ତ୍ତମାନ ଓଡ଼ିଶା ପୁଞ୍ଜିନିବେଶ ତଥା ପର୍ଯ୍ୟଟନ କ୍ଷେତ୍ରରେ ବହୁ ଅଗ୍ରଗତି କରିଛି । ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ଲାଗି ଇକୋରିଟ୍ରିଟ୍ ଆରମ୍ଭ ହୋଇଛି । ପୂର୍ବରୁ କୋଣାର୍କକୁ ୭୧ ଏବଂ ୭୨ ରୁଟ୍ରେ ମୋ ବସ୍ ସେବା ରହିଥିଲା । ତେବେ କିଛି କାରଣ ବଶତଃ ୭୧ ନମ୍ବର ରୁଟ୍ରେ ବନ୍ଦ ଥିବା ମୋ ବସ୍ ସେବାକୁ ଆଜିଠୁ ପୁଣିଥରେ ଆରମ୍ଭ କରାଯାଇଛି । ଏହି ସେବା ପୁନଃକାର୍ଯ୍ୟକାରୀ କରିବା ନେଇ ମନ୍ତ୍ରୀ ଶ୍ରୀ ବେହେରାଙ୍କ ତତ୍ତ୍ୱାବଧାନରେ ପ୍ରୟାସ ଆରମ୍ଭ ହୋଇଥିଲା । ଯାହାର ଫଳସ୍ୱରୂପ ଭୁବନେଶ୍ୱର ଓ କୋଣାର୍କକୁ ମୋ ବସ୍ର ପୁନଃସେବା ଆରମ୍ଭ ହୋଇଛି । ଏହା ଦ୍ୱାରା ପର୍ଯ୍ୟଟକମାନେ ଖୁବ୍ କମ ଖର୍ଚ୍ଚରେ କୋଣାର୍କ ଓ ଆଖପାଖ ଅଞ୍ଚଳ ବୁଲିପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଏହି ଅବସରରେ ମତବ୍ୟକ୍ତ କରିଥିଲେ । ଏଥି ସହିତ ଏହି ଜନକଲ୍ୟାଣକାରୀ ପଦକ୍ଷେପ ପାଇଁ କୋଣାର୍କ ଅଞ୍ଚଳବାସୀଙ୍କ ତରଫରୁ ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ବସସେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି ।