ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦ୍ଘାଟିତ
#ଭୁବନେଶ୍ୱର(ଏନ୍.ଏମ୍.): ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅହରହ ଉଦ୍ୟମ ଆଜି ମହିଳାମାନଙ୍କୁ ଅବଳା ଦୁର୍ବଳା କରି ରଖିନାହିଁ । ଆଜି ମହିଳାମାନେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ତେବେ ମହିଳାମାନଙ୍କୁ ଅଧିକ ରୋଜଗାରକ୍ଷମ କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ଭେଣ୍ଡିଂ ଜୋନ ମାଧ୍ୟମରେ ସେମାନଙ୍କୁ ରୋଜଗାର କରିବାର ବାଟ ଉନ୍ମୁକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଡୁମୁଡୁମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଦର୍ଶ ମହିଳା ଭେଣ୍ଡିଂ ଜୋନ ଉଦ୍ଘାଟିତ ହୋଇଯାଇଛି । ଏହି ଭେଣ୍ଡିଂ ଜୋନ୍ ରେ ୪୨ଟି ଦୋକାନ ଘର ରହିଛି । ଏହି ଜୋନର ପରିବେଶକୁ ଅତ୍ୟାଧୁନିକ ରୂପ ଦିଆଯାଇଛି । ସୁନ୍ଦର ଆଲୋକ ଓ ପାନୀୟ ଜଳର ବ୍ୟବସ୍ଥା ସହ ଶୌଚାଳୟର ସୁବିଧା ମଧ୍ୟ କରାଯାଇଛି । ବି.ଏମ୍.ସି. ପକ୍ଷରୁ ନିର୍ମିତ ଏହି ଭେଣ୍ଡିଂ ଜୋନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ । ତେବେ ରାଜ୍ୟର ବିଭିନ୍ନସ୍ଥାନରେ ଏହିଭଳି ଆଦର୍ଶ ମହିଳା ଭେଣ୍ଡିଂ ଜୋନ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି ।