ଭିନ୍ନକ୍ଷମ ହେବେ ସୁଦକ୍ଷ : ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ
ରାଜ୍ୟର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ
#ଭୁବନେଶ୍ୱର(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍ଘାଟନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି । ଜୟପୁର ଫୁଟର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଜରିଆରେ ସେମାନେ ହୋଇପାରିବେ ସକ୍ଷମ । ପ୍ରତିଷ୍ଠାତା ପଦ୍ମଭୂଷଣ ଡକ୍ଟର ଡି.ଆର. ମେହେଟ୍ଟାଙ୍କ ଦ୍ୱାରା ୧୯୭୫ ମସିହାରେ ଜୟପୁର ଫୁଟ୍ ସେଣ୍ଟର ପ୍ରତିଷ୍ଠିତ ହୋଇଥିଲା । ଏହାର ନାମ ହେଉଛି ଭଗବାନ ମହାବୀର ବିକଳାଙ୍ଗ ସେନା ସମିତି । ଏବେ ଜୟପୁର ଫୁଟ ସେଣ୍ଟର ଭାବେ ଏହା ଦେଶ ବିଦେଶରେ ସୁନାମ ଅର୍ଜନ କରିଛି । ଆଜି ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ କ୍ଷେତ୍ରରେ ଏହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସଂସ୍ଥା ଭାବରେ ସୁନାମ ଅର୍ଜନ କରିଛି । ସାରା ବିଶ୍ୱର ୨୧ ଲକ୍ଷ ଭିନ୍ନକ୍ଷମଙ୍କୁ ଏହା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ସକ୍ଷମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ନୂଆ କେନ୍ଦ୍ରର ସହଯୋଗରେ ଖୁବଶୀଘ୍ର ଓଡିଶାର ସବୁ ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦେବାର ଲକ୍ଷ୍ୟ ରହିଛି । ଭିନ୍ନକ୍ଷମମାନେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସେମାନଙ୍କ ଉପଯୁକ୍ତ ଥଇଥାନ ଆମ ସମସ୍ତଙ୍କ ଦାୟିତ୍ୱ । ଏଥିପାଇଁ ସମସ୍ତେ ମିଶି କାମ କରିବାକୁ ସେ ପରାମର୍ଶ ଦେଇଥିଲେ । ସେମାନଙ୍କ କଲ୍ୟାଣ ପାଇଁ ଓ ସେମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଅନେକ କାମ କରୁଛନ୍ତି । ସେମାନଙ୍କ ଥଇଥାନ ସହିତ ତାଲିମ ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଭିନ୍ନକ୍ଷମମାନଙ୍କ ସହାୟତା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ଜୟପୁର ଫୁଟ କେନ୍ଦ୍ରର ପ୍ରତିଷ୍ଠାତା ଡଃ ମେହେଟ୍ଟାଙ୍କ ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସେ ଆଜି ଲକ୍ଷ ଲକ୍ଷ ଭିନ୍ନକ୍ଷମ ମାନଙ୍କ ପାଇଁ ଏକ ଆଶୀର୍ବାଦ ସ୍ୱରୂପ ହୋଇ ପାରିଛନ୍ତି । ସମାଜ ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣା । ଓଡିଶାରେ ଏହି ଅଭିଯାନ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଜୟପୁର ଫୁଟ ଏକ ଅନନ୍ୟ ଉତ୍ପାଦନ ଯାହାକି, ଭିନ୍ନକ୍ଷମମାନଙ୍କୁ ସଂପୂର୍ଣ୍ଣ ଭାବେ ସକ୍ଷମ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାକୁ ବ୍ୟବହାର କରି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଚାଲିବା, ଦୌଡିବା, ନାଚିବା ଠାରୁ ଆରମ୍ଭ କରି ମଟରସାଇକେଲ ଓ କାର ମଧ୍ୟ ଚଲାଇ ପାରିବ ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିନ୍ନକ୍ଷମ ଲୋକଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବାପାଇଁ ଏକ ଭ୍ରାମ୍ୟମାଣ ଯାନର ଶୁଭାରମ୍ଭ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କେନ୍ଦ୍ରରେ ଏମ୍ ଖାନ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା । ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହିତ କାର୍ଯ୍ୟକାରୀ କରିଚାଲିଛି । ଜୟପୁର ଫୁଟ୍ କେନ୍ଦ୍ର ଏ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଜୟପୁର ଫୁଟ୍ କେନ୍ଦ୍ରର ପ୍ରତିଷ୍ଠାତା ଡଃ ଡି.ଆର ମେହେଟ୍ଟା କହିଲେ ଯେ ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ ଆମର ଏକ ସାମାଜିକ ପ୍ରତିବଦ୍ଧତା । ୫୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଏହି ସଂସ୍ଥା ଆଜି ବିଶ୍ୱର ଅନେକ ଦେଶରେ ଭିନ୍ନକ୍ଷମ ମାନଙ୍କୁ ସକ୍ଷମ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି । ଏହି କେନ୍ଦ୍ରରେ ଭିନ୍ନକ୍ଷମ ଲୋକର ବ୍ୟକ୍ତିଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯାଉଛି । ଭ୍ରାମମାଣ୍ୟ ଯାନ ଜରିଆରେ ରାଜ୍ୟର ସବୁ ଜିଲ୍ଲାକୁ ଯାଇ ଭିନ୍ନକ୍ଷମ ମାନଙ୍କୁ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଉପସ୍ଥିତ ଥିଲେ । ଜୟପୁର ଫୁଟ୍ କେନ୍ଦ୍ରର କାର୍ଯ୍ୟନିର୍ବାହୀ ସଭାପତି ସତୀଶ ମେହେଟ୍ଟା ସ୍ୱାଗତ ଭାଷଣ ଦେଇଥିଲେ ।