ଭିରୁଡ଼ା ଡବଲମର୍ଡ଼ର ଘଟଣାର ପର୍ଦ୍ଦାହଟାଇଲା ପୁଲିସ: ପୁଣି ୩ ଗିରଫ, ଠେଙ୍ଗା ଓ ଖଣ୍ଡା ଜବତ
ଆଠଗଡ଼ (ଏନ୍.ଏମ୍.): କଟକଜିଲ୍ଲା ତିଗିରିଆ ଅଞ୍ଚଳର ବହୁ ଚର୍ଚ୍ଚିତ ଡବଲ ମର୍ଡ଼ର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ପୁଲିସକୁ ସଫଳତା ମିଳିଛି । ତେବେ ଅଭିଯୁକ୍ତମାନଙ୍କୁ ଧରିବା ସହିତ ହତ୍ୟାକାଣ୍ଡର ରହସ୍ୟ ଉପରୁ ମଧ୍ୟ ପୁଲିସ ପର୍ଦ୍ଦା ଉଠାଇଛି । ସୂଚନା ଅନୁଯାୟୀ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଉପରଗଡ଼ରେ ୨ଭାଇଙ୍କୁ ହତ୍ୟା କରାଯିବା ଘଟଣାରେ ପୁଲିସ ଆଉ ୩ଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି । ଏଥି ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଠେଙ୍ଗାବାଡି଼ ଜବତ ହୋଇଥିବାବେଳେ ଅଭିଯୁକ୍ତମାନେ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି ।
ପୁଲିସ ପକ୍ଷରୁ ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶି ସୂଚନା ଦେଇ କହିଛନ୍ତି ଯେ, ଗତ ଜୁଲାଇ ୭ତାରିଖରେ ଭିରୁଡା ଛକରେ ସର୍ବସାଧାରଣଙ୍କ ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ଜଣ ବ୍ୟକ୍ତି ଦୁଇ ଭାଇଙ୍କୁ ପ୍ରଥମେ ଠେଙ୍ଗାରେ ଓ ପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ସେମାନେ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କ ଉପରେ ଟ୍ରକ ଚଢ଼ାଇ ଦେଇଥିଲେ । ତେବେ ଏ ସଂକ୍ରାନ୍ତରେ ପୁଲିସ ତଦନ୍ତ କରି ପ୍ରଥମେ ଜଣକୁ ଏବଂ ଆଜି ଅନ୍ୟ ତିନିଜଣଙ୍କୁ ଗିରଫ କରିବାରେ ପୁଲିସ ସଫତା ହାସଲ କରିଛି । ତେବେ ଅଭିଯୁକ୍ତ ଟ୍ରକ ଡ୍ରାଇଭର ଏପର୍ଯ୍ୟନ୍ତ ଫେରାର ରହିଛି । ହେଲେ ତାକୁ ମଧ୍ୟ ଖୁବଶିଘ୍ର ଧରାଯିବ ବୋଲି ଏସଡିପିଓ ଶ୍ରୀ ବିଶି ପ୍ରକାଶ କରିଛନ୍ତି । ଆଜି ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମିହିର ମଲ୍ଲିକ, ରାଜୁ ମଲ୍ଲିକ, ଚନ୍ଦନ ମଲ୍ଲିକ ରହିଛନ୍ତି ।