ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ବିଚାରପତି ୟୁ. ୟୁ. ଲଳିତ
ନୂଆଦିଲ୍ଲୀ(ଏନ୍.ଏମ୍.): ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ଆଜି ବିଚାରପତି ଉଦୟ ଉମେଶ ଲଳିତ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନଭେମ୍ବର ୮ ତାରିଖ ଦିନ ଅବସର ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦ୍ୱାରା ଶପଥ ପାଠ କରିଥିବା ବିଚାରପତି ଲଳିତ ୭୪ ଦିନ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରିବେ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ବିଚାରପତି ଲଳିତ ଈଶ୍ୱରଙ୍କ ନାମରେ ଶପଥ ଗ୍ରହଣ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ, ପୂର୍ବତନ ପ୍ରଧାନ ବିଚାରପତି ଏନ୍.ଭି. ରମନା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼, ଏସ୍. ଅବ୍ଦୁଲ୍ ନାଜୀରଙ୍କ ଭଳି ସୁପ୍ରିମ୍ କୋର୍ଟର ବିଚାରପତି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଅଗଷ୍ଟ ୨୬ ତାରିଖରେ ଅବସର ଗ୍ରହଣ କରିଥିବା ଭାରତର ପୂର୍ବତନ ପ୍ରଧାନ ବିଚାରପତିଙ୍କ ଅନୁମୋଦନ କ୍ରମେ ବିଚାରପତି ଲଳିତଙ୍କୁ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଯିବ ବୋଲି ଅଗଷ୍ଟ ୧୦ତାରିଖ ଦିନ ଔପଚାରିକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଚାରପତି ଲଳିତ ହେଉଛନ୍ତି ବାରୁ ସିଧାସଳଖ ସୁପ୍ରିମ୍ କୋର୍ଟର ବିଚାରପତି ହୋଇଥିବା ଭାରତର ଦ୍ୱିତୀୟ ପ୍ରଧାନ ବିଚାରପତି । ସିଜେଆଇ ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ୨୬ଅଗଷ୍ଟ ୨୦୨୨ରେ ଶେଷ ହୋଇଥିଲା । ସେ ଗତକାଲି ବିଭିନ୍ନ ମାମଲାର ବିଧିବଦ୍ଧ ଶୁଣାଣି କରିବା ପରେ ବିଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାପରେ ସେ ଜଷ୍ଟିସ ଲଳିତଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ ନ୍ୟାପାଳିକା ଅନ୍ୟ ସାମ୍ବିଧାନିକ ସଂସ୍ଥା ଠାରୁ ଭିନ୍ନ ବୋଲି ଜଷ୍ଟିସ ରମନ୍ନା କହିଥିଲେ । ଜଷ୍ଟିସ ୟୁୟୁ ଲଳିତ ଓକିଲ ଭାବେ କାର୍ଯ୍ୟ କରୁଥିବା ବେଳେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ । ଏହାପରେ ସେ ସିଜେଆଇ ହେବାର ଗୌରବ ହାସଲ କରିଛନ୍ତି । ଏପରି ସଫଳତା ପାଇବାରେ ସେ ଦ୍ୱିତୀୟ ବ୍ୟକ୍ତି । ଏଭଳି ଭାରତର ପ୍ରଥମ ପ୍ରଧାନ ବିଚାରପତି ହୋଇଥିବା ବିଚାରପତି ହେଉଛନ୍ତି ବିଚାରପତି ଏସ୍. ଏମ୍. ସିକ୍ରି । ୧୯୭୧ ମସିହା ଜାନୁଆରି ମାସରେ ସେ ଦେଶର ୧୩ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୪ ଅଗଷ୍ଟ ୧୩ରେ ସୁପ୍ରିମ୍ କୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇବା ଆଗରୁ ବିଚାରପତି ଲଳିତ ସୁପ୍ରିମ୍ କୋର୍ଟର ବରିଷ୍ଠ ଆଡଭୋକେଟ୍ ଥିଲେ । ତାଙ୍କର ପିତା ବିଚାରପତି ୟୁ. ଆର. ଲଳିତ ମଧ୍ୟ ଜଣେ ବରିଷ୍ଠ ଆଡଭୋକେଟ୍ ତଥା ବମ୍ବେ ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତି ଥିଲେ ।