ବଡ଼ମ୍ବାରେ ଓବିସି ଜାତିବର୍ଗ ସମ୍ମିଳନୀ
ବଡ଼ମ୍ବା(ଏନ୍.ଏମ୍.): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଳତୀଠାରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଓବିସି ଜାତିବର୍ଗ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସେବା, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ପଛୁଆ ବର୍ଗ ଭାରତ ବର୍ଷର ସବୁଠାରୁ ବୃହତ ସଂଖ୍ୟା ଗରିଷ୍ଠ ବର୍ଗ । ଶତାବ୍ଦୀ ଶତାବ୍ଦୀ ଧରି ଏହି ଓବିସି ବର୍ଗ ଭାରତରେ ସେବା, ଶ୍ରମ ଓ ସମର୍ପଣ ଭାବକୁ ନେଇ କାର୍ଯ୍ୟ ସମ୍ପାଦନ କରି ଆସିଛି । ସ୍ୱତନ୍ତ୍ର ଭାବେ ପଛୁଆ ବର୍ଗର ଲୋକମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଓବିସି କମିଶନ ଗଠନ କରି ସେମାନଙ୍କର ଅଧିକାର ଓ କାର୍ଯ୍ୟକୁ ସ୍ୱୀକୃତି ଦେଇଛନ୍ତି । ଓବିସି ବର୍ଗର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା କଥା ସମସ୍ତ ଅତିଥି ନିଜ ନିଜର ମନ୍ତବ୍ୟରେ କହିଥିଲେ ।