ବଡ଼ଦିନ ଓ ନୂଆବର୍ଷ ପାଳନକୁ ଝଟକା
୯ ଦିନ ପାଇଁ ସାରା ରାଜ୍ୟରେ କଟକଣା
ଭୁବନେଶ୍ୱର (ଏନ୍.ଏମ୍.): କେଇଟା ଘଣ୍ଟା ପରେ ବଡ଼ଦିନ ପାଳନ ହେବାକୁ ଥିବାବେଳେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ରାଜ୍ୟବାସୀଙ୍କୁ ଝଟକା ଦେଇଛି । ତେବେ ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ପରେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ୪ଜଣ ଆକ୍ରାନ୍ତ ହୋଇ ସାରିଲେଣି । ତେବେ ଏହାର ସଂଖ୍ୟାବୃଦ୍ଧି ନହେବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇ ଏଭଳି କଟକଣା ଲଗାଇଛନ୍ତି । ତେଣୁ ସଂକ୍ରମଣକୁ ରୋକିବା ପାଇଁ ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର କଟକଣା ଜାରିକରିଛନ୍ତି । ଆସନ୍ତା କାଲି ଡିସେମ୍ବର ୨୫ ଠାରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ୯ଦିନ ପାଇଁ ଏହି କଟକଣା ଜାରି କରାଯାଇଛି । ତେଣୁ ବଡ଼ଦିନ ପାଳନକୁ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ ଦିନ ପାଳନ କରିବାକୁ ଅନୁମତି ଥିବାବେଳେ ସେଥିପାଇଁ କୋଭିଡ୍ ପ୍ରୋଟୋକଲକୁ ମାନିବାକୁ କଡ଼ାକଡ଼ି କରାଯାଇଛି । ପୁନଶ୍ଚ ଏଥିପାଇଁ ଜିଲ୍ଲା ପ୍ରଶାସନ ବା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ବା ସ୍ଥାନୀୟ କର୍ତ୍ତୃପକ୍ଷ ଯଦି କିଛି ନିୟମ କରିଥା’ନ୍ତି, ତା’ହେଲେ ତାକୁ ମଧ୍ୟ ପାଳନ କରିବାକୁ ପଡ଼ିବ । ସେହିଭଳି ଜିରୋ ନାଇଟ୍ ସେଲିବ୍ରେସନ ପାଳନ ଉପରେ ମଧ୍ୟ ଅଙ୍କୁଶ ଲାଗିଛି । ନୂଆ ବର୍ଷକୁ ସ୍ୱାଗତ କରିବାକୁ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ଏଥି ସହିତ ସମସ୍ତ ପ୍ରକାର ମିଳିତ ଭୋଜି ଉପରେ କଟକଣା ଲାଗୁ କରାଯାଇଛି । ଏହି ୯ଦିନ ମଧ୍ୟରେ ସମସ୍ତ ପ୍ରକାର ରାଲି, ନାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନକରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସେହିଭଳି ବାହାଘର ବ୍ୟତୀତ ସମସ୍ତ ପ୍ରକାର ଉତ୍ସବ ଉପରେ ଅଙ୍କୁଶ ଲଗାଯାଇଛି । ଏଥି ସହିତ କୌଣସି ବ୍ୟକ୍ତିଙ୍କ ଦେହାନ୍ତ ହେଲେ କୋଭିଡ୍-୧୯ କଟକଣା ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଅନୁମତି ମିଳିଛି । ଯେପରି ଅଧିକ ଲୋକଙ୍କ ଭିଡ଼ ନଜମିବ ସେଥିପାଇଁ ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସ୍ଥାନୀୟ ପ୍ରଶାସନର ନଜର ରଖିବାକୁ ମଧ୍ୟ କୁହାଯାଇଛି । ସମ୍ପ୍ରତି ସାରା ବିଶ୍ୱରେ କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଓଡ଼ିଶାରେ ମଧ୍ୟ ଏହା ସ୍ଥିତି ଜାହିର କଲାଣି । ଦେଶରେ ଏପର୍ଯ୍ୟନ୍ତ ମୋଟ ୩୫୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆମ ଓଡ଼ିଶାରେ ୪ ଜଣ ଚିହ୍ନଟ ହୋଇଛନ୍ତି । ତେଣୁ କଟକଣାକୁ କଡ଼ାକଡ଼ି କରାନଗଲେ ଆଗାମୀ ଦିନରେ ଓମିକ୍ରନ ଭୟାବହର ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏଭଳି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି ।