ବ୍ୟାଙ୍କ କର୍ମଚାରୀଙ୍କ ବ୍ୟାଙ୍କ ଜାତୀୟକରଣ ଦିବସରେ ସଂକଳ୍ପ
#କଟକ(ଏନ୍.ଏମ୍.): ବ୍ୟାଙ୍କ ଜାତୀୟକରଣର ୫୫ତମ ବାର୍ଷିକୀ ଉପଲକ୍ଷେ ବାରବାଟି ଷ୍ଟାଡିୟମସ୍ଥିତ ଇସ୍କଫ ପରିସରରେ ବ୍ୟାଙ୍କ କର୍ମଚାରୀଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । କଟକ ବ୍ୟାଙ୍କ କର୍ମଚାରୀ ସମନ୍ୱୟ ସମିତି ଆନୁକୂଲ୍ୟରେ ସୁଭାଷ ଚନ୍ଦ୍ର ବୋଷଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଓ ଅର୍ଥନୀତିଜ୍ଞ ଡକ୍ଟର ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ, ଭାରତ ବର୍ଷରେ ବର୍ତ୍ତମାନ ଚାଲିଥିବା ଘରୋଇକରଣ ପ୍ରକ୍ରିୟାର ଏକ ଅଙ୍ଗ ରୂପେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରି ଦେଶର ଗଣବ୍ୟାଙ୍କ ବ୍ୟବସ୍ଥାକୁ ଧ୍ୱଂସ କରିବା ବିରୁଦ୍ଧରେ ବ୍ୟାଙ୍କ କର୍ମଚାରୀମାନେ ସମ୍ମିଳିତ ଭାବେ ପ୍ରତିହତ କରିବାକୁ ଆହ୍ୱାନ ଜଣାଇଥିଲେ । ଗତ ୬ ବର୍ଷରେ ୧୩ଲକ୍ଷ କୋଟି ଟଙ୍କା ବ୍ୟାଙ୍କ ଋଣ ଛାଡ଼ କରାଯାଇଛି । ଏହାର ୮୦ପ୍ରତିଶତ କେବଳ କର୍ପୋରେଟ୍ମାନଙ୍କୁ ଛାଡ଼ କରାଯାଇଛି । ଫଳରେ ବ୍ୟାଙ୍କର ଲାଭ କମିଯାଉଛି । ଅପରପକ୍ଷରେ ଜମାର ସୁଧହାର ବଢ଼ୁ ନାହିଁ ଓ କର୍ମଚାରୀ ନିଯୁକ୍ତି କରାଯାଉ ନାହିଁ । ଏହି ବାଟରେ ହିଁ ଲାଭ କରାଯାଉଛି । ବ୍ୟାଙ୍କ ଘରୋଇକରଣ ଏକ ଦେଶ ବିରୋଧୀ ଓ ଜନବିରୋଧୀ ପ୍ରକ୍ରିୟା । ଏହାକୁ ସମସ୍ତେ ବିରୋଧ କରିବା ଆବଶ୍ୟକ ବୋଲି ଡକ୍ଟର ମହାପାତ୍ର ମତ ଦେଇଥିଲେ । ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସି ସମ୍ପାଦକ କିଶୋର ଜେନା, ଇସ୍କଫର ଜାତୀୟ ସମ୍ପାଦକ ବିଜୟ କୁମାର ପଢ଼ିହାରୀ, ଏଓବିଇଏର ଉପସଭାପତି ବିପିନ ବିହାରୀ ପାଢ଼ି, ଉପ ସାଧାରଣ ସମ୍ପାଦକ ଓଁକାର ମହାନ୍ତି, ଶୁଭ୍ରାଂଶୁ ଶତପଥୀ, ରୋଜାଲିନ ସାହୁ, ବୀମା କର୍ମଚାରୀ ନେତା ସଞ୍ଜୟ ପରିଜା, ବରିଷ୍ଠ ବ୍ୟାଙ୍କ କର୍ମଚାରୀ ନେତା ଭ୍ରମରବର ସାହୁ, ବିଜୟ ପ୍ରହରାଜ ପ୍ରମୁଖ ଉଦ୍ବୋଧନ ଦେଇ ଘରୋଇକରଣ ବିରୋଧରେ ହେଉଥିବା ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସମନ୍ୱୟ ସମିତିର ଆବାହକ ବିଶୁଦ୍ଧଚକ୍ର ଦାସ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଯୁଗ୍ମ ଆବାହକ ଦିଲ୍ଲୀପ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।