ବ୍ରାଉନ ସୁଗାର କାରବାର,ବାପ ପୁଅ ଗିରଫ
ଫଟୋ- ପଦ୍ମଲୋଚନ ମିଶ୍ର
କଟକ(ଏନ୍.ଏମ୍.): ଧଳା ଜହର କାରବାର ମାମଲାରେ ଆଜି ବାପ ପୁଅକୁ ପୁଲିସ ଗିରଫ କରିଛି । ବ୍ରାଉନସୁଗାର ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ କମିସନରେଟ୍ ପୁଲିସବାଲିଯାତ୍ରା ପଡ଼ିଆ ନିକଟରୁ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି କାରବାରରେ ସମ୍ପୃକ୍ତ ବାପ ପୁଅ ଜଗତସିଂହପୁର ଜିଲା ଇଟାପଡାର ପପୁ ଓରଫ ପବିତ୍ର କୁମାର ମହାନ୍ତି(୨୩) ଓ ତାର ବାପ ନିରଞ୍ଜନ ମହାନ୍ତି(୫୭)କୁ ପୁଲିସ ଗିରଫ କରିଛି । ପୁଲିସ ସେମାନଙ୍କ ନିକଟରୁ ୨ଟି ଲଫାପା ପ୍ୟାକେଟ୍ ଭର୍ତ୍ତି ହୋଇଥିବା ୧୨୦ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ମୂଲ୍ୟ ୧୪ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୁଲିସ କହିଛି । ଘଟଣାସ୍ଥଳ ନିକଟରେ ଏକ ଠିକା ସଂସ୍ଥାର କ୍ୟାମ୍ପ ଅଫିସ ରହିଥିବାବେଳେ ସେଠାରେ ଏପରି ନିଶା କାରବାର ଚାଲୁଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଏ ସଂକ୍ରାନ୍ତରେ ଅଧିକ ତଦନ୍ତ କରାଯାଉଥିବା ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଗତ ଶନିବାର ସନ୍ଧ୍ୟାରେ ବାଲିଯାତ୍ରା ତଳ ପଡିଆରେ ଥିବା ଏକ ଠିକା ସଂସ୍ଥାର କ୍ୟାମ୍ପ ଅଫିସ ନିକଟ ଅନ୍ଧାରୁଆ ସ୍ଥାନରେ ନିଶା କାରବାର ହେଉଥିବା ନେଇ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ସୂଚନା ପାଇଥିଲା । ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ବାଲିଯାତ୍ରା ତଳପଡିଆର ଉକ୍ତ ସ୍ଥାନରେ ଅତର୍କୀତ ଚଢାଉ କରିଥିଲା । ଚଢାଉ ବେଳେ ଦୁଇଜଣ ଯୁବକ ପୁଲିସକୁ ଦେଖି ନଦୀ ବାଲିରେ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ମାଡ଼ି ବସିଥିଲା ।
ପପୁ ଠାରୁ ଜବତ ହୋଇଥିବା ଲଫାପାରୁ ୭୦ ଗ୍ରାମ ଓ ନିରଞ୍ଜନଠାରୁ ଜବତ ଲଫାପାରୁ ୫୦ ଗ୍ରାମ ବ୍ରାଉନ୍ସୁଗାର ମିଳିଥିଲା । ସେମାନେ ବାଲେଶ୍ୱର ଅଞ୍ଚଳରୁ ଏହି ଧଳା ଜହର ଆଣି କଟକରେ ବେପାର ଚଳାଇଥିଲେ । ପୁଲିସ ଦୁହିଁକୁ ଗରିଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଅଭିଯୁକ୍ତ ଦ୍ୱୟ କଟକରେ କାହାକୁ ଏହି ବ୍ରାଉନସୁଗାର ଦେଇଥାନ୍ତେ ସେ ନେଇ ଖୋଳତାଡ ଆରମ୍ଭ କରିଛି ।