ଗ୍ରାହକଙ୍କ ଠାରୁ ୧୬ଲକ୍ଷ ଟଙ୍କା ଠକେଇ : ବ୍ୟାଙ୍କ୍ ଅଧିକାରୀ ଗିରଫ, କାର ଓ ସ୍କୁଟି ଜବତ
କଟକ(ଏନ୍.ଏମ୍.): ଗ୍ରାହକଙ୍କ ଜାଲ ଦସ୍ତଖତ ନେଇ ସମସ୍ତ ଠଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ବିଡାନାସୀ ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ସିଡିଏ ସେକ୍ଟର-୧୦ ଦିପୁନା ଓରଫ ଚନ୍ଦ୍ରଭାନୁ ରାଉତ(୪୨) । ପୁଲିସ ତାଙ୍କ ଠାରୁ ଗୋଟିଏ କାର ଓ ସ୍କୁଟି ଗାଡି ଜବତ କରିଥିବା ଜଣା ପଡ଼ିଛି । ଚଣ୍ଡୀଛକ ଅଞ୍ଚଳରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଏସ୍ବିଆଇ) ବ୍ରାଞ୍ଚରେ ଥିବା ଚୌଦ୍ୱାର ଅଞ୍ଚଳର ଗୀତାଞ୍ଜଳି ଦାସ ଓ ତାଙ୍କ ମା ସୁବାଶିନୀଙ୍କ ଏସ୍ବିଆଇର ଏହି ଶାଖାରେ ଜମା ଖାତା ରହିଥିଲା । ତେବେ ବ୍ୟାଙ୍କ୍ର ସହକାରୀ ପରିଚାଳକ ଚନ୍ଦ୍ରଭାନୁଙ୍କ ପ୍ରରୋଚନାରେ ଗୀତାଞ୍ଜଳି ଓ ତଙ୍କ ମା ୭ଲକ୍ଷ ଟଙ୍କାର ଦୁଇଟି ଫିକ୍ସ ଡିପୋଜିଟ୍ କରିଥିଲେ । ଏହି ଜମାରାଶି ମାଚ୍ୟୁରିଟି ପରେ ୧୬ଲକ୍ଷ ୧୫ ହଜାର ଟଙ୍କା ହୋଇଥିଲା । ତେବେ ଜମାରାଶି ମାଚ୍ୟୁରିଟି ହେବା ବାବଦରେ ଗୀତାଞ୍ଜଳି ନଜଣାଇ ତାଙ୍କ ଦସ୍ତଖତ ହାସଲ କରିବା ପରେ ଚନ୍ଦ୍ରଭାନୁ ଏହି ଟଙ୍କାକୁ ଠକି ନେଇଥିଲେ । ଚନ୍ଦ୍ରଭାନୁ ତାଙ୍କର କେତେକ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ସେ ଏହି ଟଙ୍କା ଟ୍ରାନ୍ସଫର କରିଥିଲେ । ଇତିମଧ୍ୟରେ ଗୀତାଞ୍ଜଳି ଓ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା । କେହି ଉତ୍ତରାଧିକାରୀ ନଥିବାରୁ ଏହି ସୁଯୋଗ ମଧ୍ୟ ଉଠାଇଥିଲେ ଚନ୍ଦ୍ରଭାନୁ । ମାତ୍ର କିଛି ଦିନ ପରେ ଏସ୍ବିଆଇ ପକ୍ଷରୁ ଅଡିଟ୍ କରାଯାଇଥିଲା । ଅଡିଟ୍ ବେଳେ ଏଳି ଚାଞ୍ଚଲ୍ୟକର ଠକେଇ ବାବଦରେ ତଥ୍ୟ ପଦାକୁ ଆସିଥିଲା । ଏ ସଂକ୍ରାନ୍ତରେ ସୂଚନା ପାଇ ଚଣ୍ଡିଛକ ଶାଖାର ବ୍ୟାଙ୍କ ପରିଚାଳକ ସଙ୍ଗୀତା କ୍ଲିଟୁସ ବିଡାନାସୀ ଥାନାରେ ଏତଲା ଦେବା ସହ ଦିପୁନାଙ୍କୁ ଚାକିରିରୁ ନିଲମ୍ବନ କରିବା କରିଥିଲେ । ପୁଲିସ ମଧ୍ୟ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଚନ୍ଦ୍ରଭାନୁ ଜାଲିଆତି କରି ଟଙ୍କା ଠକିନେଇଥିବା ଜଣାପଡିଲା । ପୁଲିସ ଚନ୍ଦ୍ରଭାନୁକୁ ଗିରଫ କର ଆଜି କୋର୍ଟ ଚାଲଣ କରିଛି ।