ବ୍ରହ୍ମପୁର ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତସଂଘ ୫ଦଫା ଦାବି ନେଇ ବିକ୍ଷୋଭ

#ଆଠଗଡ (ଏନ୍.ଏମ୍.): କଟକ ଜିଲ୍ଲା ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବହୁମୁଖୀ ମହିଳା/ପୁରୁଷ ସ୍ୱାସ୍ଥକର୍ମୀ ଓ ପରିଦର୍ଶକ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ବିଭାଗୀୟ ଅଣଦେଖାକୁ ପ୍ରତିବାଦ କରାଯାଇ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ତେବେ ସେମାନଙ୍କ ଦାବି ପୂରଣ ନହେଲେ ସଂଘ ପକ୍ଷରୁ ଆସନ୍ତା ଡିସେମ୍ବର ୧୪ତାରିଖ ଠାରୁ ଅସହଯୋଗ ଆନ୍ଦୋଳନ ଏବଂ ଆସନ୍ତା ଡିସେମ୍ବର୨୧ତାରିଖଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବା ପାଇଁ ଚେତାବନୀ ଦିଆଯିବା ସହ ଏକ ଶୋଭାଯାତ୍ରାରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କୁ ଏକ ୫ ଦଫା ଦାବିପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଛି । ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ତୃଣମୂଳସ୍ତରରେ ପ୍ରାୟ ୨୦ହଜାର କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀ, ପ୍ରାୟ ୧୦ହଜାର ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ, ୫ହଜାର ପୁରୁଷ ସ୍ୱାସ୍ଥ୍ୟକର୍ମୀ, ୧୫୦୦ପରିଦର୍ଶକ ୧୨୦୦ପରିଦର୍ଶିକା ତୃଣମୂଳସ୍ତରରେ ସମସ୍ତ ସ୍ୱାସ୍ଥ୍ୟସେବା ଦିନରାତି ଏକାଠି କରି ଅହରହ ପ୍ରତ୍ୟେକଙ୍କ ଘରେ ଘରେ ଓ ବ୍ୟକ୍ତିବିଶେଷଙ୍କ ପାଖରେ ସେବା ଯୋଗାଇ ଆସୁଛନ୍ତି କିନ୍ତୁ ଦୀର୍ଘଦିନ ଧରି ସେମାନଙ୍କର ନ୍ୟାର୍ଯ୍ୟଦାବି କ୍ୟାଡର ପୁନଃଗଠନ ପ୍ରକ୍ରିୟାରେ ସରକାର ଚରମ ଅବହେଳା ପ୍ରଦର୍ଶନ କରିବା ଦୁର୍ଭାଗ୍ୟ ଜନକ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଯେଉଁ ଅସନ୍ତୋଷର ବହ୍ନି ଏହି ତୃଣମୂଳର କାର୍ଯ୍ୟରତ ୨୦ହଜାର ସ୍ୱାସ୍ଥ୍ୟ କର୍ମକର୍ତ୍ତା ପରୋକ୍ଷ ଭାବରେ ଆନ୍ଦୋଳନ ଆଭିମୁଖ୍ୟ ଆଡକୁ ଯିବାକୁ ବାଧ୍ୟ କରୁଛି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି । ତେବେ ଏହି ୫ଦଫା ଦାବି ମଧ୍ୟରେ ବିଭିନ୍ନ ବିଭାଗ ଅଧିନରେ ଥିବା ସମସ୍ତ କର୍ମଚାରୀ ପରି କ୍ୟାଡର ପୁନଃଗଠନ ଚାକିରି କାଳରେ ୪ଟି ପଦୋନ୍ନତି ଦିଆଯିବା, ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ୨୦୨୦ ନଭେମ୍ବର ୩ତାରିଖରେ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଅର୍ଥବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ୍ ପେ ୪୨୦୦, ୪୬୦୦, ୪୮୦୦/- ଆର.ଏ.ସି.ପି. ଆକାରରେ ପ୍ରଦାନ କରାଯିବା, ଠିକା ନିଯୁକ୍ତି ବିଭାଗ ଉଚ୍ଛେଦ, ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ବହୁମୁଖୀ ମହିଳା ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ପରିଦର୍ଶକମାନଙ୍କ ପଦବୀର ନାମ ପରିବର୍ତ୍ତନ, ପୋଷାକ ଭତ୍ତା ବାର୍ଷିକ ୫ହଜାର ଟଙ୍କା ପ୍ରଦାନ ପାଇଁ ଉଲ୍ଲେଖ ରହିଛି । ତେବେ ଏହି ୫ଦଫା ଦାବି ପୂରଣ କ୍ଷେତ୍ରରେ ସରକାର ଯଦି ତ୍ୱରିତ୍ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ୨୦ହଜାର ସ୍ୱାସ୍ଥ୍ୟ କର୍ମକର୍ତ୍ତାମାନେ ଆସନ୍ତା ଡିସେମ୍ବର ୭ତାରିଖରୁ କଳା ବ୍ୟାଚ୍ ପିନ୍ଧି ନୀରବ ପ୍ରତିବାଦ କରିବେ । ଏହାର ଠିକ୍ ଏକ ସପ୍ତାହ ପରେ ଅର୍ଥାତ୍ ଆସନ୍ତା ୧୪ତାରିଖଠାରୁ ଅସହଯୋଗ ଆନ୍ଦୋଳନ କରିବେ । କାର୍ଯ୍ୟରେ ଯୋଗଦେବେ କିନ୍ତୁ କୌଣସି ରିପୋର୍ଟ ପ୍ରଦାନ କରିବେ ନାହିଁ କି ୱେବ୍ସାଇଟ୍ରେ ଏଣ୍ଟ୍ରି କରିବେ ନାହିଁ । ତଥାପି ଦାବିପୂରଣ ନହେଲେ ଆସନ୍ତା ୨୧ତାରିଖଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱାରା ତୃଣମୂଳସ୍ତରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହେବ ଏବଂ ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଆସନ୍ତା ୧୦ତାରିଖରେ ଜିଲ୍ଲାସ୍ତରରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକ୍ଷକଙ୍କୁ ସମୁହ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ତେବେ ସ୍ୱାସ୍ଥ୍ୟକର୍ମୀଙ୍କ ମିଳିତସଂଘ ଆନୁକୁଲ୍ୟରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍ଲମ୍ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ପରିଦର୍ଶିକା ନିର୍ମଳା ଦାସ, ମହିଳା ସ୍ୱାସ୍ଥ୍ୟକର୍ମୀ ସଭାନେତ୍ରୀ ସିଲିଆ ବେହେରା, ପୁରୁଷ ସ୍ୱାସ୍ଥ୍ୟକର୍ମୀ ସଭାପତି ସରୋଜ ରାଉତ, ବୀଣାପାଣି ଦେଇ, ପୁଷ୍ପଲତା ସାହାଣୀଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ପରିଦର୍ଶକ, ପରିଦର୍ଶିକା ଊପସ୍ଥିତଥିଲେ ।