ବୈଧମାପ ବିଜ୍ଞାନ ଅଧିନିୟମ ୨୦୦୯-ଜାତୀୟ କର୍ମଶାଳା
‘ଉତ୍ତମ ବ୍ୟବସାୟିକ ବାତାବରଣ ଓ ଉପଭୋକ୍ତାମାନଙ୍କ ସୁରକ୍ଷା ମଧ୍ୟରେ ସମତୁଲ ରହିବା ଆବଶ୍ୟକ’: ଖାଉଟି କଲ୍ୟାଣ ମନ୍ତ୍ରୀ
ଭୁବନେଶ୍ୱର(ଏନ୍.ଏମ୍.): ଉତ୍ତମ ବ୍ୟବସାୟିକ ବାତାବରଣ ଓ ଉପଭୋକ୍ତାମାନଙ୍କ ସୁରକ୍ଷା ମଧ୍ୟରେ ସମତୁଲ ବଜାୟ ରଖିବା ନିମନ୍ତେ ବୈଧମାପ ବିଜ୍ଞାନ ଅଧିନିୟମ ୨୦୦୯ର କିଛି ଧାରାରେ ଦଣ୍ଡ କୋହଳ ସଂଶୋଧନ ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମାର ଆବଶ୍ୟକତା ରହିଛି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ କର୍ମଶାଳାରେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି ।
କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜାତୀୟ କର୍ମଶାଳାରେ ବୈଧମାପ ବିଜ୍ଞାନ ଅଧିନିୟମରେ ସଂଶୋଧନ ସମ୍ପର୍କରେ ବିଭିନ୍ନ ରାଜ୍ୟର ସଂପୃକ୍ତ ମନ୍ତ୍ରୀ, ସଚିବ, ବୈଧ ଓ ମାପ ବିଜ୍ଞାନ ନିୟନ୍ତ୍ରକ, ଶିଳ୍ପ ଓ ବାଣିଜ୍ୟ ସଂଘର ପ୍ରତିନିଧିମାନଙ୍କ ସହ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ, ପରିବର୍ତ୍ତିତ ବ୍ୟବସାୟିକ ପରିବେଶ ଏବଂ ବ୍ୟବସାୟ କ୍ଷେତ୍ରରେ ଉତ୍ତମ ବାତାବରଣ ସୃଷ୍ଟି ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୌଣ ଦଣ୍ଡଯୋଗ୍ୟ ଅପରାଧ ବ୍ୟବସ୍ଥା ଉପରେ ସଂସ୍କାର ଆଣିବା ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ । କିନ୍ତୁ ଯେଉଁସବୁ କ୍ଷେତ୍ରର ବଡ଼ ଦଣ୍ଡବିଧାନର ବ୍ୟବସ୍ଥା ରହିଛି, ସେଥିରେ ଦଣ୍ଡକୋହଳର ବ୍ୟବସ୍ଥା ଗ୍ରହଣ ପୂର୍ବରୁ ବ୍ୟାପକ ପର୍ଯ୍ୟାଲୋଚନା କରାଯିବା ଉଚିତ । ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ବୈଧମାପ ବିଜ୍ଞାନ ଅଧିନିୟମରେ ଅପରାଧିକ କାର୍ଯ୍ୟରୁ ନିବୃତ୍ତି ନିମନ୍ତେ ଦଣ୍ଡବିଧାନର ଆବଶ୍ୟକତା ରହିଛି । ଏହା ଦ୍ୱାରା ଅସାଧୁ ବ୍ୟବସାୟୀ ବାରମ୍ବାର ଅସାଧୁ ଉପାୟ ଅବଲମ୍ବନ କରିବା ପାଇଁ ନିରୁତ୍ସାହିତ ହେବ । କେବଳ ଆର୍ôଥକ ଜରିମାନା ଦ୍ୱାରା ଅସାଧୁ ବ୍ୟବସାୟିକ କାର୍ଯ୍ୟକଳାପକୁ ରୋକି ହେବ ନାହିଁ । ତେବେ ଉତ୍ତମ ବ୍ୟବସାୟିକ ବାତାବରଣ ସୃଷ୍ଟି ନିମନ୍ତେ କେନ୍ଦ୍ର ସରକାରଙ୍କ ବୈଧମାପ ବିଜ୍ଞାନ ଅଧିନିୟମ ଆଇନ ସଂଶୋଧନ ନିମନ୍ତେ ଅନେକ ପ୍ରସ୍ତାବ ସହିତ ରାଜ୍ୟ ସରକାର ସହମତ ଥିଲେ ମଧ୍ୟ ଧାରା ୩୦, ଧାରା ୩୪, ଧାରା ୩୭ (୨) ଏବଂ ଧାରା ୪୧(୧)ରେ ଦଣ୍ଡବିଧାନ ବ୍ୟବସ୍ଥା ରଖିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଅଧିନିୟମର ଏହିସବୁ ଧାରାରେ ପ୍ରଥମଥର ଅପରାଧିକ କାର୍ଯ୍ୟକଳାପ ଅପେକ୍ଷା ଦ୍ୱିତୀୟଥର ଏବଂ ପରବର୍ତ୍ତୀ ଅପରାଧ ନିମନ୍ତେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଉପଭୋକ୍ତାଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ଅଧିନିୟମରେ ବ୍ୟବସାୟରେ ଅପରାଧିକ କାର୍ଯ୍ୟରୁ ନିବୃତ୍ତି ନିମନ୍ତେ ଦଣ୍ଡ ବ୍ୟବସ୍ଥାର ଆବଶ୍ୟକତା ରହିଛି । ସମ୍ପ୍ରତି ବ୍ୟବସାୟ ଓ ବାଣିଜ୍ୟ କ୍ରମାଗତ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଦ୍ରବ୍ୟ ଓ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଅସାଧୁ ଓ ଠକାମି ପ୍ରବୃତ୍ତି ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । କର୍ମଶାଳାର ଅପରାହ୍ନ ଅଧିବେଶନରେ ଖାଦ୍ୟ ଓ ମୃଦୁପାନୀୟ ଶିଳ୍ପ, ଔଷଧ ଏବଂ ପ୍ରସାଧନ ଶିଳ୍ପ ସମ୍ପର୍କିତ ବୈଧ ଓ ମାପ ବିଜ୍ଞାନର ପ୍ୟାନେଲ ଆଲୋଚନାରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ, ଉପଭୋକ୍ତାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ଏହିସବୁ ଦ୍ରବ୍ୟର ଉତ୍ପାଦନ ତାରିଖ ଏବଂ ଏହାର ସମାପ୍ତି ତାରିଖ, ପରିମାଣ, ସର୍ବାଧିକ ଖୁଚୁରା ମୂଲ୍ୟ ଇତ୍ୟାଦି ଅନୁପାଳନ ବାଧ୍ୟତାମୂଳକ ଅଟେ । ଅଧିନିୟମରେ ପ୍ରଚଳିତ ବ୍ୟବସ୍ଥାକୁ କଡ଼ାକଡ଼ି ଭାବରେ ପାଳନ କରାଯିବା ଆବଶ୍ୟକ । ଏହି ଜାତୀୟ କର୍ମଶାଳାରେ ଭାରତ ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଜ୍ୟ ମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଓ ଅଶ୍ୱିନୀ କୁମାର ଚୌବେ, କେନ୍ଦ୍ର ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ବିହାର, ମଣିପୁର, ସିଗିମ ଓ ହରିୟାଣା ରାଜ୍ୟର ଖାଉଟି କଲ୍ୟାଣ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ଖାଉଟି କଲ୍ୟାଣ ସଚିବ, ବୈଧମାପ ବିଜ୍ଞାନ ବିଭାଗର ନିୟନ୍ତ୍ରକ, ଶିଳ୍ପ ଓ ବ୍ୟବସାୟ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ।