ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କାଢିବା ପାଇଁ ଏଏସଆଇ ପକ୍ଷରୁ ଭୂମିପୂଜନ

କୋଣାର୍କ(ଏନ୍.ଏମ୍.): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନକୁ ସୁରକ୍ଷିତ କରିବା ପାଇଁ ଗର୍ଭଗୃହରୁ ବାଲି କାଢ଼ିବା ପୂର୍ବରୁ ସୂର୍ଯ୍ୟ ମନ୍ଦିର ପରିସରରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ଖସୁଥିବା ପଥରର ସୁରକ୍ଷା ଓ ଲୁଣା ପବନ ଦାଉରୁ ମନ୍ଦିରର ସୁରକ୍ଷା ନିମନ୍ତେ ଗର୍ଭଗୃହ ସମେତ ୩ ଗୋଟି ଦ୍ୱାରକୁ ବାଲି ଦ୍ୱାରା ବନ୍ଦ କରାଯାଇଥିଲା । ଏହି ଜଗମୋହନର ଗର୍ଭଗୃହ ସମେତ ତିନି ଦ୍ୱାରରୁ ବାଲି କାଢି ସଂରକ୍ଷଣ କରିବା ପାଇଁ ବିଭିନ୍ନ ସମୟରେ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ବଡବଡ ବିଶେଷଜ୍ଞମାନଙ୍କୁ ନେଇ ଆଲୋଚନାଚକ୍ର ଓ କର୍ମଶାଳାମାନ ଅନୁଷ୍ଠିତ ହୋଇଥିଲା । ମାତ୍ର ଏହି ବିଶେଷଜ୍ଞ କମିଟି ରିପୋର୍ଟକୁ ବିଭିନ୍ନ ସମୟରେ ଏଏସଆଇ କର୍ତ୍ତୃପକ୍ଷ ଅଣଦେଖା କରି ଆସୁଥିଲା ବେଳେ ସାମ୍ପ୍ରତିକ ସମୟରେ ସୂର୍ଯ୍ୟ ମନ୍ଦିରର ଜଗମୋହନ ପ୍ରତି ବିପଦ ସୃଷ୍ଟି ଆଶଙ୍କା ବ୍ୟକ୍ତ କରି ଏହାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ତତ୍ପରତା ପ୍ରକାଶ କରିଛି । ସୂର୍ଯ୍ୟ ମନ୍ଦିରର ଜଗମୋହନର ସୁରକ୍ଷା ପାଇଁ ଦୀର୍ଘ ୧୨୦ ବର୍ଷ ତଳେ ବ୍ରିଟିଶ ସରକାର ଭର୍ତ୍ତି କରିଥିବା ବାଲି କାଢିବା ସହ ଏହାର ଉପଯୁକ୍ତ ସଂରକ୍ଷଣ କରିବା ପାଇଁ ଏଏସଆଇ ପକ୍ଷରୁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଭୂମିପୂଜନ କାର୍ଯ୍ୟକ୍ରମ ଶେଷ ହେବା ପରେ ଏଏସଆଇ ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ମନ୍ଦିରର କିଭଳି ସୁରକ୍ଷିତ ଭାବେ ବାଲି କଢାଯାଇ ପାରିବ ତାହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ସହ ଦୁଇ ତିନି ମାସ ମଧ୍ୟରେ ବାଲି କାଢିବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଏଏସଆଇ ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଡକ୍ଟର ଅରୁଣ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ସୂର୍ଯ୍ୟ ମନ୍ଦିରର ଜଗମୋହନର ସୁରକ୍ଷା ଓ ସଂରକ୍ଷଣ କରିବା ପଶ୍ଚିମ ପଟ ଦ୍ୱାରରେ ଗାତ ସୃଷ୍ଟି କରାଯାଇ ମନ୍ଦିର ଗର୍ଭଗୃହ ସମେତ ତିନିଗୋଟି ଦ୍ୱାରରୁ ବାଲି କାଢିବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଡକ୍ଟର ମଲ୍ଲିକ ଏହି ଅବସରରେ ପ୍ରକାଶ କରିଛନ୍ତି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟାରେ ଏକ ଘରୋଇ ସଂସ୍ଥାକୁ ଦାଇତ୍ୱ ଦିଆଯାଇଛି । ସୂର୍ଯ୍ୟ ମନ୍ଦିରର ଗର୍ଭଗୃହରୁ ୩ ବର୍ଷ ମଧ୍ୟରେ ବାଲି କାଢିବା କାର୍ଯ୍ୟ ସମ୍ପନ୍ନ କରାଯିବାର ସୂଚନା ରହିଛି । କୋଣାର୍କ ସୂର୍ଯ୍ୟ ମନ୍ଦିରର ଐତିହ୍ୟ, ସ୍ଥାପତ୍ୟ କଳା ଓ ସଂସ୍କୃତି ବିଶ୍ୱରେ ଅନନ୍ୟ । ଏହି ଐତିହ୍ୟ ସମ୍ପନ୍ନ ମନ୍ଦିରର ଜଗମୋହନର ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯାଇ ଏହାକୁ ବିଶ୍ୱ ଦରବାରରେ ଉଜ୍ଜୀବିତ ରଖିବା ଲାଗି ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି ସୁପରିଟେଣ୍ଡେଣ୍ଟ ମତବ୍ୟକ୍ତ କରିଛନ୍ତି । ଏହି ସମୟରେ କୋଣାର୍କ ମନ୍ଦିର ଦାୟିତ୍ୱରେ ଥିବା ଅଧିକାରୀ ନିରୋଜ ସିଂ, ସଂଗ୍ରହାଳୟ ଅଧିକାରୀ ପ୍ରତାପ କୁମାର ନାୟକ ସମେତ ଏଏସଆଇର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।