ବିଶ୍ୱାସ, ଅବିଶ୍ୱାସ ନା ଅନ୍ଧବିଶ୍ୱାସ
ସବାର ହୋଇ ପ୍ରେତାତ୍ମା କହୁଛି ନିଜ ମୃତ୍ୟୁର ଘଟଣା !
କଟକ (ଏନ୍.ଏମ୍.): ଅନ୍ୟ ଦେହରେ ସବାର ହୋଇ ୮ ମାସ ତଳର ହତ୍ୟାକାଣ୍ଡର ବୟାନ ଦେଉଛି ପ୍ରେତାତ୍ମା । ସେଦିନର ହତ୍ୟାକାଣ୍ଡର ଅନୁଭବ କେତେ ଥିଲା ହୃଦୟ ବିଦାରକ, ଲୋମଟାଙ୍କୁରା ଓ ନୃଶଂସ, ତାହା ୮ ମାସ ପରେ ବୟାନ କରୁଛି ଘୂରି ବୁଲୁଥିବା ଅତୃପ୍ତ ଆତ୍ମା ଜଣକ । ହତ୍ୟା କିପରି ହୋଇଥିଲା, ଆଉ କିଭଳି କରାଯାଇଥିଲା, ଆଉ କିଏ କିଏ ଏ ହତ୍ୟା କାଣ୍ଡରେ ସାମିଲ୍ ଥିଲେ ତାହା ର ସମସ୍ତ ତଥ୍ୟ ବଖାଣୁଛି ସବାର୍ ପ୍ରେତାତ୍ମା । ଘୂରି ବୁଲୁଥିବା ଅତୃପ୍ତ ଆତ୍ମା ଏବେ ସବାର ହୋଇ ନିଜ ମୃତ୍ୟୁ ପାଇଁ ଯେଉଁ ମାନେ ଦାୟୀ, ସେମାନଙ୍କୁ ଦଣ୍ଡ ଦେବାକୁ କାନ୍ଦି କାନ୍ଦି ନ୍ୟାୟ ମାଗୁଛି । ତେବେ ଏହା କେତେ ସତ୍ୟ ଆଉ କେତେ ମିଥ୍ୟା ଜଣାପଡ଼ୁନାହିଁ । ଏହା ବିଶ୍ୱାସ, ଅବିଶ୍ୱାସ ନା ଅନ୍ଧବିଶ୍ୱାସ ତାହାକୁ ନେଇ ଏବେ କଟକ ସଦର ଅଞ୍ଚଳରେ ଚର୍ଚ୍ଚା । କିନ୍ତୁ ଏହି ପ୍ରେତାତ୍ମା ସବାର ନିଜ ମୃତ୍ୟୁ ବିଷୟରେ ବହୁ ରୋଚକ ତଥ୍ୟ ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆ ମୋବାଇଲକୁ ମୋବାଇଲ ଘୂରି ବୁଲୁଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗତ ୮ ମାସ ତଳର ଘଟଣା । ଗତ ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନରେ କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡା ଗ୍ରାମପଞ୍ଚାୟତର ପାର୍ôଥନୀ ନମିତା ବେହେରା ନାମ୍ନୀ ମହିଳାଙ୍କ ନିର୍ବାଚନ ପୂର୍ବ ରାତିରେ ଅର୍ଥାତ୍ ଫେବୃଆରୀ ମାସ ୨୧ ତାରିଖ ରାତିରେ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସ୍ଥାନୀୟ କିଶନନଗର ଥାନାରେ ଏତଲା ହୋଇଥିଲା ଆଉ ଯଶପଡା ପଞ୍ଚାୟତ ନିର୍ବାଚନ ସ୍ଥଗିତ ମଧ୍ୟ ରହିଲା । ହେଲେ ସରପଞ୍ଚ ପାର୍ôଥନୀ ନମିତାଙ୍କ ରାତି ଅଧିଆ ମୃତ୍ୟୁ ରହସ୍ୟ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରହିଛି । ତେବେ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଯଶପଡା ଗାଁର ଜଣେ ଯୁବତୀ ଜଣକ ହଠାତ ଅସୁସ୍ଥ ଅନୁଭବ କରିବା ସହ ପ୍ରଗଳ୍ଭ ଭଳି ଗପି ଚାଲିଥିଲେ । ତେବେ ସେ ଯେଉଁ କଥା କହୁଥିଲେ ତାକୁ ଶୁଣିବା ପରେ ଲୋମ ଟାଙ୍କୁଡ଼ି ଉଠୁଥିଲା । ତେବେ ଉକ୍ତ ଯୁବତୀଙ୍କ ଦେହରେ ମୃତା ନମିତାଙ୍କ ପ୍ରେତାତ୍ମା ସବାର ହୋଇଥିବା ପରିଚୟ ଦେବା ସହ ନିଜର ମୃତ୍ୟୁ ପାଇଁ କାହାକୁ କାହାକୁ ଦାୟୀ କରିଛନ୍ତି ସେ ବିଷୟରେ ମଧ୍ୟ ବଖାଣିଥିଲେ । କିନ୍ତୁ ବୈଜ୍ଞାନିକ ଯୁଗରେ ଏ ପ୍ରେତାତ୍ମା ସବାର ଘଟଣାକୁ ବିଶ୍ୱାସ କରାଯାଉ ନଥିଲେ ମଧ୍ୟ ଘଟଣାର କାହାଣୀକୁ ନେଇ ପୁଲିସ ଗୁରୁତ୍ୱ ସହ ନେଇ ତଦନ୍ତ କଲେ ହୁଏତ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ହୋଇ ପାରିବ ବୋଲି ଅଞ୍ଚଳର କିଛି ଲୋକ ମତପ୍ରକାଶ କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ୁଥିବା ପ୍ରାର୍ଥୀ ନମିତା ବେହେରା ଜଣେ ପରୋପକାରୀ ମହିଳା ଥିବାବେଳେ ନିର୍ବାଚନର କେଇ ଘଣ୍ଟା ପୂର୍ବରୁ ମୃତ୍ୟୁକୁ ସହଜରେ ହଜମ କରି ପାରୁନାହାନ୍ତି ତାଙ୍କର ସମର୍ଥକ ମାନେ । ତେବେ ପ୍ରେତାତ୍ମାର ବୟାନ ଓ ପାରିପାର୍ଶ୍ୱିକ ପରିସ୍ଥିତିକୁ ନେଇ ପୁଲିସର ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ସମର୍ଥକମାନେ ମତଦେଇଛନ୍ତି । ହୁଏତ ପୁଲିସ ଏହି ଦିଗପ୍ରତି ଟିକେ ଯତ୍ନବାନ ହେଲେ ନମିତାଙ୍କ ଆକସ୍ମିକ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି । ତେବେ ଏହା ଏକ ଅନ୍ଧ ବିଶ୍ୱାସ ବୋଲି କହିବା ସହ ଅବଶ୍ୟ ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବା ଉଚିତ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।