ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ସମନ୍ୱୟ ବୈଠକ: ଭର୍ଚ୍ଚୁଆଲ ମାଧ୍ୟମରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ(ଏନ୍.ଏମ୍.): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ପୌର ସଦନ ଠାରେ ଶେଷ ରଥଯାତ୍ରା ସମନ୍ୱୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଆଲୋଚନାରେ ଅଂଶଗ୍ରହଣ କରି ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଶେଷ ମୂହୁର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବାତିଲ ହୋଇ ଭର୍ଚ୍ଚୁଆଲରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ନୂତନ ଭାବେ ଯୋଗଦେଇଥିବା ବିଭିନ୍ନ ବିଭାଗର ମନ୍ତ୍ରୀମାନେ ମଧ୍ୟ ଯୋଗଦେଇଥିଲେ । ସ୍ୱାସ୍ଥ୍ୟ, ଗମନାଗମନ, ରାସ୍ତାଘାଟ, ରଥନିର୍ମାଣ, ନୀତି ଶୃଙ୍ଖଳିତ ସହ ଅନ୍ୟାନ୍ୟ ବିଷୟରେ ବସ୍ତୃତ ଆଲୋଚନା କରାଯାଇଥିଲା । ତେବେ କୋଭିଡ ଯୋଗୁଁ ୨ବର୍ଷ ଦରି ବିନା ଭକ୍ତରେ ରଥଯାତ୍ରା ହୋଇଥିବାବେଳେ ଚଳିତ ବର୍ଷ ଏଥିରେ ୧୫ରୁ ୨୦ଲକ୍ଷ ଶ୍ରଦ୍ଧାଳୁଙ୍କ ସାମଗମ ହେବାର ଆକଳନ କରାଯାଇଛି । ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱାଗତ ସୂଚନା ଦେଇ ରଥଯାତ୍ରା ଉପରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ସମସ୍ତ ବିଭାଗର ସଚିବ ଏବଂ ପୁଲିସ ବିଭାଗର ଉଚ୍ଚପଦାଧିକାରୀମାନେ ଯୋଗଦେଇ ସମୀକ୍ଷା କରିଥିଲେ । ପାନୀୟ ଜଳ, ରେଳ ଓ ବସ ସେବା, ଆଲୋକୀକରଣ ଏବଂ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ସମସ୍ତ ପ୍ରସ୍ତୁତି ଖୁବ ଶିଘ୍ର ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ ।