ବିଶ୍ୱକପ ଫାଇନାଲ: ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଲା ଭାରତ
ଗ୍ୟାଲେରୀରେ ଦର୍ଶକଙ୍କୁ ଚୁପ କରାଇଦେଲେ ପାଟ କମିନ୍ସ
#ଅହମ୍ମଦାବାଦ(ଏଜେନ୍ସି): ଅହମ୍ମଦାବଦରେ ବିଶ୍ୱ କପ କ୍ରିକେଟର ଫାଇନାଲ ମ୍ୟାଚରେ ଭାରତୀୟ କ୍ରୀଡ଼ାପ୍ରେମୀମାନେ ହତୋତ୍ସାହ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ସମସ୍ତେ ଆଶା ରଖିଥିଲେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୩୫୦ ଉପରେ ରନ କରିବ ବୋଲି ହେଲେ ଆଜି ମ୍ୟାଚର ପ୍ରାରମ୍ଭକୁ ଭାରତୀୟ ବ୍ୟାଟରମାନେ ଭାରତୀୟ ଦର୍ଶକଙ୍କୁ ନିରାଶ କରିଥିଲେ । ଏପରିକି ବ୍ୟାଟରଙ୍କ ଠାରୁ ଆଶା କରାଯାଉଥିବା ଛକା ଚଉକା ଦେଖିବାକୁ ମିଳିନଥିଲା । ତେବେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତୀୟ ବ୍ୟାଟରଙ୍କ ଫ୍ଲପ ଶୋ’ ବୋଲି କୁହାଯାଉଛି । ଫାଇନାଲ ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ବିରାଟ କୋହଲି ଓ କେଏଲ ରାହୁଲ ଅର୍ଦ୍ଧଶତକ କରିଛନ୍ତି । କିନ୍ତୁ ପୂରା ଭାରତୀୟ ଟିମ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୨୪୦ ରନ କରିଛି । ଏବେ ଅଷ୍ଟ୍ରେଲିଆକୁ ବିଶ୍ୱ ବିଜେତା ହେବା ପାଇଁ ୨୪୧ ରନର ଟାର୍ଗେଟ ମିଳିଛି । ଅନ୍ୟପକ୍ଷରେ ଷ୍ଟାଡ଼ିୟମରେ ପ୍ରାୟ ୧ଲକ୍ଷ ୩୦ହଜାର ଦର୍ଶକ ଥିବାବେଳେ ଅଷ୍ଟ୍ରେଲିଆର ପାଟ କମିନ୍ସ ଖେଳ ମାଧ୍ୟମରେ ଭାରତୀୟ ଦର୍ଶକଙ୍କ ପାଟି ଚୁପ କରିଦେଇଛନ୍ତି । ଆଜି ଫାଇନାଲରେ ସେ ବିରାଟ କୋହଲିଙ୍କୁ ବୋଲଡ କରିବା ସମୟରେ ସମଗ୍ର ଷ୍ଟାଡିୟମରେ ନୀରବତା ବ୍ୟାପିଯାଇଥିଲା । କାରଣ ଭାରତ ପୂର୍ବରୁ ୩ଟି ୱିକେଟ ହରାଇ ସାରିଥିଲା ଓ ବିରାଟ ୫୦ ରନ କରି ସେଟ୍ ହୋଇସାରିଥିଲେ । ଏହି ସମୟରେ ସେ କମିନ୍ସଙ୍କ ଏକ ବଲକୁ ଖେଳିବାକୁ ଯାଇ ପ୍ଲେଡ୍-ଅନ ହୋଇ ଯାଇଥିଲେ । ରାହୁଲ ୬୬, ବିରାଟ ୫୪ ଓ ରୋହିତ ଶର୍ମା ୪୭ ରନର ଇନିଂସ ଖେଳିଛନ୍ତି । ସୂର୍ଯ୍ୟ କୁମାର ଯାଦବ ୨୮ଟି ବଲ ଖେଳିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ବ୍ୟାଟରୁ ଆଦୌ ବଡ଼ ଶଟ ଦେଖିବାକୁ ମିଳି ନାହିଁ । ସେ କେବଳ ୧୮ ରନ କରିବାକୁ ସକ୍ଷମ ହୋଇଥିଲେ । ଲକ୍ଷରୁ ଅଧିକ ଲୋକଙ୍କ ଉପସ୍ଥିତିରେ ଦୀର୍ଘ ୧୨ ବର୍ଷ ପରେ ଭାରତ ଫାଇନାଲ ଖେଳୁଥିବା ବେଳେ ଅଧିନାୟକ ରୋହିତ ଟସ୍ ହାରି ଯାଇଥିଲେ । ତେବେ ସେ ସବୁ ମ୍ୟାଚ୍ ଭଳି ବିସ୍ଫୋରକ ବ୍ୟାଟିଂ କରିଥିଲେ । କିନ୍ତୁ ତାଙ୍କୁ ଅନ୍ୟତମ ଓପନର ଶୁବମନ ଗିଲ(୪) ସାଥ ଦେଇ ନଥିଲେ । ଦଳୀୟ ସ୍କୋର ୩୦ ଥିବା ବେଳେ ଗିଲ୍ ଆଉଟ ହୋଇଥିଲେ । ଏହାପରେ ରୋହିତ ୪ ଚୌକା ଓ ୩ ଛକା ବଳରେ ୪୭ ରନ(୩୧ ବଲ) ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ । ରୋହିତଙ୍କ ପରେ ଆସିଥିବା ଶ୍ରେୟସ ଆୟର କେବଳ ୪ ରନ କରିବାକୁ ସକ୍ଷମ ହୋଇଥିଲେ । ୮୧ ରନରେ ଭାରତ ତୃତୀୟ ୱିକେଟ ହରାଇଥିଲେ । ଏତିକି ବେଳେ କେଏଲ ରାହୁଲ ଓ ବିରାଟ କୋହଲି ସ୍ଥିତି ସମ୍ଭାଳିଥିଲେ । ବିରାଟ ମଧ୍ୟ ଚଳିତ ବିଶ୍ୱକପରେ କ୍ରମାଗତ ୫ମ ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରି ପାରି ନଥିଲେ । ସେ ୫୪ ରନ କରିଥିବା ବେଳେ ତାଙ୍କୁ ପାଟ କମିନ୍ସ ଆଉଟ କରି ଦେଇଥିଲେ । ଭାରତ ୧୪୮ ରନରେ ୪ର୍ଥ ୱିକେଟ ହରାଇଥିଲା । ପ୍ରମୋସନ ପାଇ ୬ନଂରେ ବ୍ୟାଟିଂ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲେ । ତେବେ କେଏଲ ରାହୁଲ ଗୋଟିଏ ପଟେ ଛିଡ଼ା ହୋଇ ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଲାଗୁଥିଲା ତାଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିବ । କିନ୍ତୁ ଦଳୀୟ ସ୍କୋର ୨୦୩ ଥିବା ବେଳେ ତାଙ୍କୁ ଷ୍ଟାର୍କ ଆଉଟ କରି ଭାରତର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ । ମହମ୍ମଦ ଶାମି(୬) ଓ ଯଶପ୍ରୀତ ବୁମ୍ରା(୧) ବେଶୀ କିଛି କରି ପାରି ନଥିଲେ । ସୂର୍ଯ୍ୟ କୁମାର କ୍ରିଜରେ ଥିବାରୁ ତାଙ୍କ ଠାରୁ ଦଳ କିଛି ବଡ଼ ଶଟ ଆଶା କରିଥିଲା । କିନ୍ତୁ ସେ ମଧ୍ୟ ୪୭.୨ ଓଭରରେ ଜୋଶ ହେଜେଲଉଡଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ । ସୂର୍ଯ୍ୟ କୁମାର ୨୮ ବଲରେ କେବଳ ୧୮ ରନ କରିଛନ୍ତି । ଭାରତ ମଧ୍ୟ ୨୨୬ ରନରେ ୯ମ ୱିକେଟ ହରାଇଥିଲା । ୪୮ ଓଭର ଶେଷ ସୁଦ୍ଧା ଭାରତ ୯ ୱିକେଟ ହରାଇ ୨୨୭ ରନ କରିଥିଲା । ୪୯ତମ ଓଭର ନେଇ ଆସିଥିଲେ କମିନ୍ସ । ତାଙ୍କ ସାମ୍ନାରେ ଥିଲେ ମହମ୍ମଦ ସିରାଜ । ଏହି ଓଭରରୁ ଭାରତକୁ ୫ ରନ ମିଳିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କମିନ୍ସ ତାଙ୍କ ୧୦ ଓଭରରେ କୌଣସି ବାଉଣ୍ଡରୀ ଦେଇ ନାହାନ୍ତି । ଶେଷ ଓଭରରେ ହେଜେଲଉ ଆସିଥିବା ବେଳେ ତାଙ୍କର ଦ୍ୱିତୀୟ ବଲକୁ ସିରାଜ ଚୌକା ମାରିଥିଲେ । ତୃତୀୟ ବଲରେ ସେ ୧ ରନ ନେଇଥିଲେ । କୁଲଦୀପ ଯାଦବ ୪ର୍ଥ ବଲ ଡଟ୍ କରିଥିଲେ । ୫ମ ବଲରୁ ଭାରତକୁ ୧ ରନ ମିଳିଥିଲା । ଇନିଂସର ଶେଷ ବଲରେ ସିରାଜ ୨ ରନ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ କୁଲଦୀପ ରନ ଆଉଟ ହୋଇଯାଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ କରିଛି । ଏବେ ଅଷ୍ଟ୍ରେଲିଆ ୨୪୧ ରନ କଲେ ବିଶ୍ୱ ବିଜେତା ହେବ । ଭାରତ ପ୍ରଥମଥର ପାଇଁ ଚଳିତ ବିଶ୍ୱକପରେ ଅଲଆଉଟ ହୋଇଛି । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହେଜେଲଉଡ ଓ କମିନ୍ସ ୨ଟି ଲେଖାଏ ସଫଳତା ପାଇଛନ୍ତି । ଆଡା ଜାମ୍ପା ଓ ମ୍ୟାକ୍ସୱେଲଙ୍କ ଖାତାକୁ ଗୋଟିଲ ଲେଖାଏ ସଫଳତା ମିଳିଛି ।