ବିଶ୍ୱକପ କ୍ରିକେଟ: ଘରୋଇ ମାଟିରେ ଭାରତକୁ ଧୂଳି ଚଟାଇଲା ଅଷ୍ଟ୍ରେଲିଆ

ବିଶ୍ୱକପ କ୍ରିକେଟ: ଘରୋଇ ମାଟିରେ ଭାରତକୁ ଧୂଳି ଚଟାଇଲା ଅଷ୍ଟ୍ରେଲିଆ

ବିଶ୍ୱକପ କ୍ରିକେଟ: ଘରୋଇ ମାଟିରେ ଭାରତକୁ ଧୂଳି ଚଟାଇଲା ଅଷ୍ଟ୍ରେଲିଆ


#ଅହମ୍ମଦାବାଦ(ଏଜେନ୍ସି): ବିଶ୍ୱକପ କ୍ରିକେଟ ଫାଇନାଲ ମ୍ୟାଚରେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ବିଶ୍ୱ ଚାମ୍ପିଆନର ଟାଇଟଲ ହାସଲ କରିଛି । ଭାରତୀୟ ଖେଳାଳୀମାନେ ଦେଶବାସୀଙ୍କୁ ନିରାଶ କରିଥିବା ଚର୍ଚ୍ଚା ହେଉଛି । ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତ ସମସ୍ତ ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରି ବିଜୟର ଧାରା ବଜାୟ ରଖିଥିବାବେଳେ ଫାଇନାଲ ମ୍ୟାଚରେ ପ୍ରଦର୍ଶନ କରିଥିବା କ୍ରୀଡ଼ା ନୈରାଶ୍ୟ ଜନକ ଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରୁ ଆରମ୍ଭ କରି ଓଡ଼ିଶାର କୋଣ ଅନୁକୋଣରେ ସବୁଠି ହତାଶର ଚିହ୍ନ । କାରଣ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା । ଅନେକ ଆଶା ଓ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆଜି ରୋହିତ ଶର୍ମା ଆଣ୍ଡ କୋ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଓହ୍ଲାଇଥିଲା । ଭାରତ ମାଟିରେ ବିଶ୍ୱ ବିଜେତା ହୋଇ ଦଳ ନୂଆ ଇତିହାସ ରଚିବା ଲକ୍ଷ୍ୟରେ ଥିଲା । କିନ୍ତୁ ଟ୍ରାଭିସ ହେଡ୍ ଭାରତର ସବୁ ସ୍ୱପ୍ନକୁ ଭାଙ୍ଗି ଚୂରମାର କରି ଦେଇଛନ୍ତି । ବିଶ୍ୱକପର ଫାଇନାଲରେ ସେ ଚମତ୍କାର ଶତକ ହାସଲ କରି ଅଷ୍ଟ୍ରେଲିଆକୁ ୬ଷ୍ଠ ଥର ପାଇଁ ବିଶ୍ୱ ବିଜେତା କରିଛନ୍ତି । ଆଜି ହେଡ୍ ୧୨୦ ବଲରେ ୧୩୭ ରନର ଇନିଂସ ଖେଳିଛନ୍ତି । ଏହି ଇନିଂସରେ ସେ ୧୫ଟି ଚୌକା ଓ ୪ଟି ଛକା ମାରିଛନ୍ତି । ଲାବୁଶେନ ଶେଷ ଯାଏ ୧୧୦ ବଲରେ ୫୮ ରନ କରି ଅପରାଜିତ ରହିଥିଲେ । ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ପ୍ରଥମଥର ପାଇଁ ବିଶ୍ୱକପ ଖେଳିବା ସହ ଫାଇନାଲରେ ପ୍ରବେଶ କରିଥିଲା ଭାରତ । କିନ୍ତୁ ଫାଇନାଲରେ ଦଳକୁ ହାରିବାକୁ ପଡ଼ିଛି । ଏଥିସହ ଚଳିତ ବିଶ୍ୱକପରେ ଭାରତର ଅପରାଜେୟ ଧାରାରେ ବ୍ରେକ ଲାଗିଛି । ଦୀର୍ଘ ୧୨ ବର୍ଷ ପରେ ବିଶ୍ୱକପର ଅତି ନିକଟକୁ ଆସି ଭାରତ ନିରାଶ ହୋଇଛି । ୨୦୧୧ରେ ଭାରତ ନିଜ ମାଟିରେ ବିଶ୍ୱକପ ଜିତିଥିଲା । ଏବେ ପୁଣି ଭାରତରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ଲାଗୁଥିଲା ୨୦୦୩ରେ ଅଷ୍ଟ୍ରେଲିଆ ଠାରୁ ଫାଇନାଲ ପରାଜୟର ପ୍ରତିଶୋଧ ନେବ ଭାରତ । କିନ୍ତୁ ପ୍ରଥମେ ଅଷ୍ଟ୍ରେଲିଆ ଘାତକ ବୋଲିଂ କରି ଭାରତକୁ ୨୪୦ ରନରେ ଅଲଆଉଟ କରିଦେଇଥିଲା । ଏହାପରେ ବ୍ୟାଟିଂରେ ହେଡ୍ କମାଲ କରି ଭାରତକୁ ପରାସ୍ତ କରିଛନ୍ତି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟରେ ଭାରତ ଠାରୁ ପରାଜୟର ମଧୁର ପ୍ରତିଶୋଧ ନେଇଛି । ୨୦୧୫ ବିଶ୍ୱକପ ସେମି ଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆ ସେମି ଫାଇନାଲରୁ ବିଦା କରିଥିଲା । ଏବେ ୨୦୨୩ ବିଶ୍ୱକପରେ ଅଷ୍ଟ୍ରେଲିଆ ଟିମ ଭାରତକୁ ପରାସ୍ତ କରିଛି । ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ ଓ ୨୦୨୩ରେ ଅଷ୍ଟ୍ରେଲିଆ ବିଶ୍ୱ ବିଜେତା ହୋଇ ନୂଆ ରେକର୍ଡ କରିଛି ।
ଅଷ୍ଟ୍ରେଲିଆକୁ ବିଶ୍ୱ ବିଜେତା କରାଇଥିବା ଶତକଧାରୀ ହେଡ୍ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ଚଳିତ ବର୍ଷ ବିଶ୍ୱକପରେ ଭାରତ ଏଯାଏ ଅପରାଜେୟ ଥିଲା । ୧୦ ମ୍ୟାଚରୁ ୧୦ ବିଜୟ ସହ ଦଳ ଫାଇନାଲରେ ପ୍ରବେଶ କରିଥିଲା । ହେଲେ ଫାଇନାଲରେ ଦଳ ପ୍ରଥମ ପରାଜୟ ବରଣ କରିଛି । ଏହି ପରାଜୟ ଦଳକୁ ମହଙ୍ଗା ମଧ୍ୟ ପଡ଼ିଛି । ଦଳ ବିଶ୍ୱ ବିଜେତା ହେବାରୁ ବଞ୍ଚିତ ହୋଇଛି । ଭାରତ ୧୨ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଥିବାରୁ ସବୁଆଡ଼େ ଉତ୍ସାହ ଓ ସେଲିବ୍ରେସନ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ ସେଲିବ୍ରେଟିମାନେ ଆଜି ଷ୍ଟାଡିୟମରେ ଉପସ୍ଥିତ ଥିଲେ । କିନ୍ତୁ ଭାରତୀୟ ଟିମର ପ୍ରଦର୍ଶନରେ ସମସ୍ତେ ନିରାଶ ହୋଇଛନ୍ତି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ କେଏଲ ରାହୁଲଙ୍କ ୬୬, ବିରାଟ କୋହଲିଙ୍କ ୫୪ ଓ ରୋହିତ ଶର୍ମାଙ୍କ ୪୭ ରନ ବଳରେ କେବଳ ୨୪୦ ରନ କରିଥିଲା । ୨୪୧ ରନର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆକୁ ଭାରତୀୟ ବୋଲର ପ୍ରାରମ୍ଭିକ ଝଟକା ଦେଇଥିଲେ । ୪୭ ରନରେ ଅଷ୍ଟ୍ରେଲିଆ ଟିମ ୩ ୱିକେଟ ହରାଇଥିଲା । ହେଲେ ହେଡ୍ ଓ ଲାବୁଶେନ ଭାରତର ସବୁ ଅଙ୍କକୁ ଭୁଲ କରିଦେଇଥିଲେ । ସେ ଭାରତୀୟ ବୋଲରଙ୍କୁ କାଉଣ୍ଟର ଆଟାକ କରି ପ୍ରଥମେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପରେ ସେ ବିଶ୍ୱକପ ଫାଇନାଲରେ ଶତକ ହାସଲ କରି ଭାରତ ଠାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ତାଙ୍କୁ ଲାବୁଶେନ ପୂରା ସାଥ ଦେଇଥିଲେ । ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ରୋହିତ ଶର୍ମା ବୋଲିଂ ଏଣ୍ଡରେ ଅନେକ ପରିବର୍ତ୍ତନ କରିଥିଲେ । କିନ୍ତୁ କିଛି ବିଲାଭ ମିଳି ନଥିଲା । ୩୭ ଓଭର ସୁଦ୍ଧା ହେଡ ଓ ଲାବୁଶେନ ଦଳୀୟ ସ୍କୋରକୁ ୨୦୪ରେ ପହଞ୍ଚାଇ ଅଷ୍ଟ୍ରେଲିଆର ବିଜୟକୁ ଏକ ପ୍ରକାରର ସୁନିଶ୍ଚିତ କରି ଦେଇଥିଲେ । କେବଳ ଔପଚାରିକତା ବାକି ରହିଥିଲା । ଏହାକୁ ମଧ୍ୟ ହେଡ୍ ଓ ଲାବୁଶେନ ପୂରଣ କରି ଥିଲେ । ଶେଷ ୬୦ ବଲରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୬ ରନର ଆବଶ୍ୟକ ରହିଥିଲା । ୪୧ତମ ଓଭରରେ ସିରାଜଙ୍କ ଓଭରରେ ଲାବୁଶେନ ଚୌକା ମାରି ବିଜୟକୁ ଆହୁରି ନିକଟତର କରାଇ ଦେଇଥିଲେ । ଅଷ୍ଟ୍ରେଲିଆକୁ ଏହି ଓଭରରେ ୫ ରନ ମିଳିଥିଲା । ୪୨ ତମ ଓଭରରେ ବୁମ୍ରା ମାତ୍ର ୧ରନ ଦେଇଥିଲେ । ୪୩ତମ ଓଭରର ପ୍ରଥମ ବଲରେ ସିରାଜଙ୍କ ଠାରୁ ହେଡ ୨ରନ ଆଦାୟ କରିଥିଲେ । ପରବର୍ତ୍ତୀ ବଲରେ ସେ ଚୌକା ମାରିଥିଲେ । ତୃତୀୟ ବଲରେ ୧ରନ ନେଇ ଲାବୁଶେନଙ୍କୁ ଷ୍ଟ୍ରାଇକ ଦେଇଥିଲେ । ଲାବୁଶେନ ୧ରନ ନେଇ ପୁଣି ହେଡଙ୍କୁ ବ୍ୟାଟିଂ କରିବାକୁ ଦେଇଥିଲେ । ତେବେ ଦଳକୁ ଜିତିବା ପାଇଁ ୨ ରନ ଥିବା ବେଳେ ହେଡ୍ ବଡ଼ ଶଟ ମାରିବାକୁ ଯାଇ ଶେଷ ଆଉଟ ହୋଇଥିଲେ । ହେଡ୍ ଆଜି ୧୨୦ ବଲରେ ୧୩୭ ରନର ଇନିଂସ ଖେଳିଛନ୍ତି । କିନ୍ତୁ ଓଭରର ଶେଷ ବଲରେ ମ୍ୟାକ୍ସୱେଲ ୨ ରନ ନେଇ ଅଷ୍ଟ୍ରେଲିଆକୁ ବିଶ୍ୱ ବିଜେତା କରାଇଥିଲେ । ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୪୨ ବଲ ପୂର୍ବରୁ ଭାରତ ଠାରୁ ବିଶ୍ୱକପ ଛଡ଼ାଇ ନେଇଛି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ