ବିବାଦ ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଅଗ୍ନିବୀରରେ ୪ ବର୍ଷ କାର୍ଯ୍ୟକାଳ ପରେ ମିଳିବ ନିଯୁକ୍ତି
ନୂଆଦିଲ୍ଲୀ (ଏଜେନ୍ସି) : ଦେଶବ୍ୟାପୀ ବିବାଦ ସୃଷ୍ଟି ହେବାପରେ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରଥମ ଓ ସବୁଠାରୁ ବଡ ନିଷ୍ପତ୍ତି ହେଲା- ଅଗ୍ନିବୀରଙ୍କ ପାଇଁ ସର୍ବାଧିକ ବୟସ ସୀମାକୁ ୫ବର୍ଷ ବଢାଇ ଦିଆଯାଇଛି । ବିବାଦ ପରେ ପ୍ରଥମ ବର୍ଷ ଲାଗି ଏହି ବୟସ ସୀମାକୁ ୨ ବର୍ଷ ବୃଦ୍ଧି କରାଯାଇଥିଲା । ଏବେ ୫ ବର୍ଷ ବୃଦ୍ଧି କରାଯାଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ଅମିତ ଶାହା । ସେହିପରି ଅଗ୍ନିବୀରଙ୍କ ପାଇଁ ଅର୍ଦ୍ଧ ସାମରିକ ବଳରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ ।
ଅର୍ଥାତ ଅଗ୍ନିବୀର ଭାବରେ ୪ ବର୍ଷ କାର୍ଯ୍ୟକାଳ ଶେଷ କରିଥିଲେ ସିଏପିଏଫ ଓ ଆସାମ ରାଇଫଲ୍ସ ଭଳି ଅର୍ଦ୍ଧ ସାମରିକ ବାହିନୀରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ଏଥିସହ ସର୍ବାଧିକ ବୟସ ସୀମାରେ ୩ ବର୍ଷ କୋହଳ କରାଯିବ । ସେନାବାହିନୀରେ ସୈନିକ ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବାକୁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି । ତେବେ ଏହା ବିରୋଧରେ ଦିନକୁ ଦିନ ଆନ୍ଦୋଳନ ତୀବ୍ର ହେଉଛି ; ଯେଉଁ ଆନ୍ଦୋଳନ ଏବେ ୧୩ ରାଜ୍ୟକୁ ବ୍ୟାପିଲାଣି । ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟ ସହ ଓଡ଼ିଶାରେ ମଧ୍ୟ ଆନ୍ଦୋଳନ ହୋଇଛି । ଦିନକୁ ଦିନ ସ୍ଥିତି ଅଣାୟତ୍ତ ହେବାରେ ଲାଗିଥିବାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସୂଚନା ଯୋଗ୍ୟଯେ, ବିହାରରେ ହିଂସା ଭୟଙ୍କର ରୂପ ନେଇଛି । ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆଜି ବିହାର ବନ୍ଦ ଡାକରା ଦିଆଯାଇଛି । ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ବନ୍ଦ ପାଳନ ହେଉଛି । ଆରଜେଡି ସମେତ ବାମ ଦଳ ଗୁଡିକ ଏହାକୁ ସମର୍ଥନ କରୁଛନ୍ତି । ରାଜ୍ୟରେ ହିଂସା ବଡୁଥିବାରୁ ପୁଲିସ ପକ୍ଷରୁ ଅନେକ ସହରରେ ଇଣ୍ଟରନେଟ ସେବା ବାତିଲ କରାଯାଇଛି । ଏହାରି ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିବା ଜଣାପଡ଼ିଛି ।