ବିପଦ ଶଙ୍କୁଳ ଅବସ୍ଥାରେ ୧୬ନମ୍ବର ଜାତୀୟ ରାଜପଥ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ବିପଦ ଶଙ୍କୁଳ ଅବସ୍ଥାରେ ୧୬ନମ୍ବର ଜାତୀୟ ରାଜପଥ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ବିପଦ ଶଙ୍କୁଳ ଅବସ୍ଥାରେ ୧୬ନମ୍ବର ଜାତୀୟ ରାଜପଥ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର(ଏନ୍‌.ଏମ୍‌.): ଜାତୀୟରାଜପଥ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ କଟକ ସହରବାସୀ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି । ଭୁବନେଶ୍ୱରରୁ ମଙ୍ଗୁଳିଛକ ପର୍ଯ୍ୟନ୍ତ କଟକ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବାବେଳେ ଅଞ୍ଚଳବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି । କଟକ ଗୋପାଳପୁର ଠାରେ ରାସ୍ତା ଉପରେ ବାଲି ପଡ଼ିରହିବା ଦ୍ୱାରା ଏହା ଦୁର୍ଘଟଣା ସ୍ଥଳ (ଆକ୍ସିଡେଣ୍ଟ ଜୋନ)ରେ ପରିଣତ ହୋଇଛି । ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ କ୍ଷତି ହେଉଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ତେବେ ରାଜପଥ କେବଳ ଗୋପାଳପୁର ଅଞ୍ଚଳ କାହିଁକି ସହର ଦେଇ ଯାଇଥିବା ବିଭିନ୍ନ ସ୍ଥାନରେ ମଧ୍ୟ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ରାଜପଥ କର୍ତ୍ତୃପକ୍ଷଙ୍କ ଅଧିନରେ କଟକ ସହରର କେତେକ ନାଳନର୍ଦ୍ଦମା ଥିଲେ ମଧ୍ୟ ଏହାକୁ ବିଭାଗ ପକ୍ଷରୁ ଉପଯୁକ୍ତ ପରିଚାଳନା କରାଯାଉନଥିବା ଯୋଗୁଁ ଏହାର ପ୍ରଭାବ ସହରବାସୀଙ୍କ ଉପରେ ପଡ଼ୁଛି । ଏପରିକି ଜଗତପୁର ଥାନା ଅନ୍ତର୍ଗତ ସିଏମସି ୪୯ନମ୍ବର ୱାର୍ଡର ଗୋଲେଇଛକଠାରୁ ଜଗତପୁର ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟକୁ ଯିବା ପାଇଁ ଏହି ରାସ୍ତା ଶୋଚନୀୟ ଅବସ୍ଥାରେ ପଡିରହିଛି । ତେବେ ଏହି ରାସ୍ତା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିନରେ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ରାସ୍ତା ମରାମତି, ବର୍ଷାଜଳ ନିଷ୍କାସନ ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ତେଣୁ ଜାତୀୟ ରାଜପଥ ଓ ଏହାର ସଂଲଗ୍ନ ସର୍ଭିସ ରୋଡ ମରଣଯନ୍ତା ପାଲଟି ଯାଇଛି । ବିଶେଷ କରି ଜଗତପୁର ଗୋଲେଇ ଛକ ଠାରୁ ଏହି ରାସ୍ତାଦେଇ ପ୍ରତେକ ଦିନ ଶହ ଶହ ସଂଖ୍ୟାରେ ଗାଡିମୋଟର ଯାତୟାତ କରିଥାନ୍ତି । ସାଧାରଣତଃ ଲୋକମାନେ ଗୋଲେଇଛକ ଦେଇ ୫୦୦ ମିଟର ରାସ୍ତା ବୁଲି ବୁଲି ଯାତୟାତ କରିବା ପାଇଁ ପସନ୍ଦ କରୁନଥିବାରୁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ପୁନଶ୍ଚ ଏହି ରାସ୍ତା ଦେଇ ଲକ୍ଷ୍ମୀନାରାୟଣ ସାହୁ(ଏଲ୍‌ଏନ୍‌ଏସ୍‌)ମହାବିଦ୍ୟାଳୟକୁ ଛାତ୍ର ଛାତ୍ରୀମାନେ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ପୁଣି ଗୋଲେଇ ଛକରୁ ସାଲେପୁର ଓ କେନ୍ଦ୍ରାପଡାକୁ ମୁଖ୍ୟ ରାସ୍ତା କଡରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ସେଥିରେ ପାଣି ଜମି ରହିବାର ଦେଖିବାକୁ ମିଳିଛି । ଫଳରେ ନୂଆ କରି ଏହି ରାସ୍ତାରେ ବାଇକ ନେଇ ଯାଉଥିବା ଆରୋହି ଖାଲରେ ପଡ଼ି ଛୋଟବଡ଼ ଦୁର୍ଘଟଣା ହୋଇଥିଲେ । ଏଥି ସହିତ ଏହି ରାସ୍ତା କଡରେ ୧୫ରୁ ଉର୍ଦ୍ଧ ଦୋକାନ ରହିଥିବାବେଳେ ବର୍ଷା ଅସରାଏ ହେଲେ ସେମାନଙ୍କ ବ୍ୟବସାୟ ସମ୍ପୁର୍ଣ୍ଣ ଠପ ହୋଇଯାଏ । ଛାତ୍ର ଛାତ୍ରୀ ଏବଂ ସାଧାରଣ ଲୋକମାନେ ଏହି ରାସ୍ତାରେ ଯାତୟାତ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ । ଦୀର୍ଘ ଦିନ ଧରି ଏହି ରାସ୍ତା ଶୋଚନୀୟ ଅବସ୍ଥାରେ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି । ୪୯ନମ୍ବର ୱାର୍ଡର ବିଭିନ୍ନ ସାହି ବସ୍ତିର ଅଳିଆ ଆବର୍ଜନା ଅଣାଯାଇ ଏହି ରାସ୍ତା କଡରେ ଗଦାହୋଇଥାଏ । ଏଠାରେ ଆବର୍ଜନାଗୁଡ଼ିକ ଶୁଖିଲା ପରେ ଏମସିସିକୁ ଖତ ପ୍ରସ୍ତୁତ ପାଇଁ ଯାଇଥାଏ । ହେଲେ ରାସ୍ତାକଡ଼ରେ କୁଢ଼କୁଢ଼ ଆବର୍ଜନା ଗଦା ହେଉଥିବାବେଳ ଅସରାଏ ବର୍ଷାରେ ଏହି ଅଞ୍ଚଳ ନର୍କକୁଣ୍ଡରେ ପରିଣତ ହୋଇଯାଏ । ଅସ୍ୱାସ୍ଥ୍ୟକର ପରିବେଶରେ ଲୋକମାନେ ଦୂଷିତ ଜଳ ଓ ଖାଲ ଖମାରେ ବାଧ୍ୟ ବାଧ୍ୟକତାରେ ଯାତୟାତ କରିଥାନ୍ତି । ତେବେ ଏହି ରାସ୍ତା ମରାମତି ପାଇଁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ କର୍ଣ୍ଣପାତ କରୁନାହିଁ । ଫଳରେ ୱାର୍ଡ଼ବାସିନ୍ଦା ଓ ବଜାର କମିଟ ପକ୍ଷରୁ ସ୍ଥାନୀୟ ଚୌଦ୍ୱାର-କଟକ ବିଧାୟକଙ୍କ ଠାରୁ ଆରମ୍ଭ କରି କଟକ ଲୋକସଭା ସାଂସଦଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ତେବେ ଏହି ରାସ୍ତାକୁ ତୁରନ୍ତ ମରାମତି ନକଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ