‘ବିଦ୍ୟୁତ ହେଉଛି ବିକାଶର ଜୀବନରେଖା ତେଣୁ ବିଦ୍ୟୁତ ଅପଚୟ କରନ୍ତୁ ନାହିଁ’-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଏନ୍.ଏମ୍.): ବିଦ୍ୟୁତ ହେଉଛି ବିକାଶର ଜୀବନରେଖା । ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ । ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନକରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସମ୍ପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ ଉଦ୍ଘାଟନ କରି ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଏହି ୬ଟି ଉଚ୍ଚଶକ୍ତି ସମ୍ପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ଗୋଟିଏ ୨୨୦ କେଭି ଡବଲ ସର୍କିଟ ଟ୍ରାନସ୍ମିଶନ ଲାଇନ ପାଇଁ ୪୫୦କୋଟି ଟଙ୍କା ବିନିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ନୂତନ ବ୍ୟବସ୍ଥା ଦ୍ୱାରା କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କେନ୍ଦୁଝର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଓ ମା’ ମାନେ ବିଶେଷ ଉପକାର ପାଇବେ । କ୍ଷୁଦ୍ର ଶିଳ୍ପ ଓ ଜଳସେଚନ ପ୍ରକଳ୍ପଗୁଡିକ ମଧ୍ୟ ଉପକାର ପାଇବେ ବୋଲି ସେ କହିଥିଲେ । ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ଷ୍ଟ୍ରେନ୍ଥିଂ ପ୍ରୋଜେକ୍ଟ ଆରମ୍ଭ କରିଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୩୦ଟି ୩୩/୧୧ କେଭି ସବ୍ଷ୍ଟେସନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟରେ ଲୋ-ଭୋଲ୍ଟେଜ ସମସ୍ୟା ଦୂର କରିବା ପାଇଁ ସରକାର ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୧୮୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଷାନ୍ତ ସିଂ, ଖୋର୍ଦ୍ଧାରେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା, କଳାହାଣ୍ଡିରେ ଶକ୍ତି ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, କେନ୍ଦୁଝରରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ରାୟଗଡା-ଗୁଣୁପୁରରେ ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ବିଦ୍ୟୁତ ଭିତ୍ତିଭୂମିର ବିକାଶ ଦ୍ୱାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି ବୋଲି ମତବ୍ୟକ୍ତ କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସ୍ୱାଗତ ଭାଷଣ ଦେଇଥିବାବେଳେ ଓପିଟିସିଏଲର ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।