ବିଜେଡ଼ିର ପ୍ରତିଷ୍ଠା ଦିବସ: ମହିଳାଙ୍କ ରାଲିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ
କଟକ(ଏନ୍.ଏମ୍.): ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ୨୫ତମ ବିଜେଡ଼ି ପ୍ରତିଷ୍ଠା ଦିବସ । ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବିଭିନ୍ନ ସଭାରେ ଅଭିଭାଷଣ ରଖିଥିଲେ । ତେବେ ରାଜଧାନୀ ସମେତ ୩୦ଟି ଯାକ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ନେତୃତ୍ୱ ଯୋଗଦେଇ ୨୫ବର୍ଷର ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିଭଳି କଟକ ଜିଲ୍ଲାର ଚୌଦ୍ୱାର ଠାରେ ବିଜେଡ଼ି ପ୍ରତିଷ୍ଠା ଦିବସ ଅବସରରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅଧ୍ୟକ୍ଷତା କରିଥିବାବେଳେ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ଅଞ୍ଚଳରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ଶୁଭେନ୍ଦୁ ସାମଲ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବାବେଳେ ଯୁବ ବିଜେଡ଼ି ସଭାପତି ଅର୍ଜୁନ ପଣ୍ଡା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଚୌଦ୍ୱାର ପୌରାଞ୍ଚଳ ୭ନମ୍ବର ୱାର୍ଡ଼ର ସତ୍ୟନାରାୟଣ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା ସଭାସ୍ଥଳକୁ ଯାଇଥିଲା । ପୂର୍ବତନ କାଉନସିଲର ଦିଲ୍ଲୀପ ସାହୁ, ରାଜେନ୍ଦ୍ର ପ୍ରଧାନ ଓ ରାଜେଶ ସ୍ୱାଇଁଙ୍କ ନେତୃତ୍ୱରେ ୨୫୦ ମହିଳାଙ୍କୁ ନେଇ ଚାଲିଥିବା ଶୋଭାଯାତ୍ରାରେ ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ସାମିଲ ହେବା ସହ ସଭାସ୍ଥଳ ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ ।