ବିଜେପି-ବିଜେଡି ମେଣ୍ଟକୁ ନେଇ ତୁଟୁନି ସସପେନ୍ସ:  ପୁରୀ ଓ କେନ୍ଦ୍ରାପଡ଼ା ପ୍ରାର୍ଥୀଙ୍କୁ ବିଜେଡିର ଗ୍ରୀନ୍ ସିଗନାଲ୍‌,

ବିଜେପି-ବିଜେଡି ମେଣ୍ଟକୁ ନେଇ ତୁଟୁନି ସସପେନ୍ସ: ପୁରୀ ଓ କେନ୍ଦ୍ରାପଡ଼ା ପ୍ରାର୍ଥୀଙ୍କୁ ବିଜେଡିର ଗ୍ରୀନ୍ ସିଗନାଲ୍‌,

ବିଜେପି-ବିଜେଡି ମେଣ୍ଟକୁ ନେଇ ତୁଟୁନି ସସପେନ୍ସ:

ପୁରୀ ଓ କେନ୍ଦ୍ରାପଡ଼ା ପ୍ରାର୍ଥୀଙ୍କୁ ବିଜେଡିର ଗ୍ରୀନ୍ ସିଗନାଲ୍‌,

କେନ୍ଦ୍ରୀୟ ଟିମଙ୍କୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦେଲା ରାଜ୍ୟ ବିଜେପି


#ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଛି । ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ବିଗୁଲ ବାଜିବା ପରେ ବି ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ସସପେନ୍ସ ବଳବତ୍ତର ରହିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥୀପତ୍ର ଦାଖଲକୁ ଆଉ ମାସେ ବାକି ଥିବାରୁ ମେଣ୍ଟ ଦ୍ୱନ୍ଦ୍ୱ ମଧ୍ୟରେ ଦୁଇ ଦଳ ନିଜ ନିଜ ସ୍ତରରେ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବିଜେଡି ଆଜି ଉଭୟ ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଲଢ଼ିବା ପାଇଁ ଦଳୀୟ ନେତାଙ୍କୁ ଗ୍ରୀନ୍ ସିଗନାଲ ଦେଇଥିବାବେଳେ ରାଜ୍ୟ ବିଜେପି ମଧ୍ୟ ଅନୁରୂପ ଭାବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ରୀୟ ନେତୃତ୍ୱ (ସଂସଦୀୟ କମିଟି)ଙ୍କୁ ହସ୍ତାନ୍ତର କରିଛି । ଗତ ଶୁକ୍ରବାର ରାଜ୍ୟ ବିଜେପିର କୋର୍ ଟିମ୍ ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଥିଲା । ପୁରୀ ଓ କେନ୍ଦ୍ରାପଡ଼ା ଲୋକସଭା ଆସନ ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରୁ କିଏ ଦଳୀୟ ପ୍ରାର୍ଥୀ ହେବେ ସେ ନେଇ ମଧ୍ୟ ଗ୍ରୀନ୍ ସିଗନାଲ ଆଜି ବିଜେଡି ନେତୃତ୍ୱ ଦେଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଦିନ ଗଡ଼ୁଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦ୍ୱିତୀୟ ପ୍ରଭାବଶାଳୀ ନେତା ଭି.କେ. ପାଣ୍ଡିଆନ ଆଜି ଉଭୟ ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ନେତାମାନଙ୍କୁ ଭିନ୍ନ ଭିନ୍ନ ସମୟରେ ଭେଟି ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଦଳୀୟ ନେତାମାନଙ୍କୁ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହି ଦୁଇ ସଂସଦୀୟ କ୍ଷେତ୍ରର ଆଲୋଚନାବେଳେ ସାଂଗଠନିକ ସମ୍ପାଦକଙ୍କ ସମେତ ଦଳୀୟ ପର୍ଯ୍ୟବେକ୍ଷକମାନେ ମଧ୍ୟ ଉପସ୍ଥିତ ଥିଲେ । ବିଜେଡି ସୂତ୍ର ଅନୁସାରେ, ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ୭ଟି ଯାକ ବିଧାନସଭା ଆସନ ଓ ଲୋକସଭା ଆସନ ପାଇଁ ଦଳୀୟ ନେତାଙ୍କୁ ସାଂଗଠନିକ କାର୍ଯ୍ୟ ଜୋରଦାର କରିବାକୁ ପରାମର୍ଶ ଦିଆଯାଇଛି । ଆଜିର ବୈଠକରେ ପୁରୀ ସଂସଦୀୟ ଆସନରୁ ଅରୂପ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ହେବେ ବୋଲି ବିଜେଡି ନେତୃତ୍ୱ ସବୁଜ ସଙ୍କେତ ଦେଇଛନ୍ତି । ଏହାଛଡ଼ା ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନୟାଗଡ଼ ବିଧାନସଭା ଆସନରୁ ଅରୁଣ ସାହୁ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ, ବ୍ରହ୍ମଗିରିରୁ ଉମା ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ ଓ ପୁରୀରୁ ସୁନୀଲ ମହାନ୍ତି (ଦିବଂଗତ ମହେଶ୍ୱର ମହାନ୍ତିଙ୍କ ପୁଅ)ଙ୍କୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମ କରିବା ପାଇଁ ସଙ୍କେତ ଦିଆଯାଇଛି । ସେହିପରି ଅପରାହ୍ନରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ବୈଠକ ଡାକି ଦଳ କଂଗ୍ରେସରୁ ଆଗତ ଅଂଶୁମାନ ମହାନ୍ତିଙ୍କୁ ଲୋକସଭା ପ୍ରାର୍ଥୀ କରିବ ବୋଲି ଗ୍ରୀନ୍ ସିଗନାଲ ଦେଇଛି । କେନ୍ଦ୍ରାପଡ଼ାରୁ ଶଶୀଭୂଷଣ ବେହେରା, ମାହାଙ୍ଗାରୁ ପ୍ରତାପ ଜେନା, ସାଲେପୁରରୁ ପ୍ରଶାନ୍ତ ବେହେରା, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ପାଟକୁରାରୁ ଅରବିନ୍ଦ ମହାପାତ୍ର (ବିଜୟଙ୍କ ପୁଅ), ଆଳିରୁ ପ୍ରତାପ କେଶରୀ ଦେବ ଓ ରାଜନଗରରୁ ଧ୍ରୁବ ସାହୁଙ୍କୁ ନିଜ ନିଜ ଅଞ୍ଚଳରେ ସାଂଗଠନିକ କାର୍ଯ୍ୟ ଜୋରଦାର କରିବାକୁ ପରାମର୍ଶ ଦିଆଯାଇଛି । ଏହି ଦୁଇ ସଂସଦୀୟ କ୍ଷେତ୍ରର ଲୋକସଭା ଓ ବିଧାନସଭା ପାଇଁ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ନାଁକୁ ବିଜେଡି ସାର୍ବଜନୀନ କରିନଥିଲେ ମଧ୍ୟ ଏହି ନେତାମାନଙ୍କୁ ଡାକି ଅଞ୍ଚଳକୁ ଯାଇ କାମ କରିବାକୁ କହିଛି । ଯାହାକୁ ନେଇ ସମ୍ପୃକ୍ତ ନେତାମାନେ ବି ଦ୍ୱନ୍ଦ୍ୱରେ ରହିଛନ୍ତି । ସେମାନଙ୍କୁ ବାସ୍ତବରେ ଦଳ ଟିକେଟ୍ ଦେବ ନା ଏବେ କେବଳ ବିଜେପି ସହ ନିର୍ବାଚନୀ ମେଣ୍ଟ ଘୋଷଣା ହେବା ପର୍ଯ୍ୟନ୍ତ ମାହୋଲ ବଜାୟ ରଖିବାକୁ ଏପରି କରାଯାଉଛି ତାକୁ ନେଇ ବିଜେଡି ନେତାମାନେ ସନ୍ଦେହରେ ରହିଥିବା ଜଣାପଡ଼ିଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ବିଜେଡି ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ର ପାଇଁ ନିଜର ନେତାମାନଙ୍କୁ ଡାକି ଆଲୋଚନା କରିବା ସହ ଆବଶ୍ୟକ ସହାୟତା ଯୋଗାଇ ଦେବ ବୋଲି ସୂଚନା ମିଳିଛି । ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦଳର ଉଭୟ ବିଧାନସଭା ଓ ଲୋକସଭା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନୂଆଦିଲ୍ଲୀରେ ସଂସଦୀୟ ବୋର୍ଡକୁ ହସ୍ତାନ୍ତର କରିଛନ୍ତି । ଏହି ପ୍ରାର୍ଥୀ ତାଲିକା ଉପରେ ବିଜେପି ସଂସଦୀୟ ବୋର୍ଡରେ ବିଚାରବିମର୍ଶ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ । ଅନ୍ୟପକ୍ଷରେ ଏବେ ରାଜ୍ୟରେ ଉଭୟ ବିଜେଡି ଓ ବିଜେପିର ପାରିପାଶ୍ୱିର୍କ ସ୍ଥିତି ଯାହା ସେଥିରୁ ଦୁଇ ଦଳ ମଧ୍ୟରେ ଆଗାମୀ ଦିନରେ ନିର୍ବାଚନୀ ମେଣ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ