ବିଜେପି ଛାଡ଼ିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା: ବିଜେଡିରୁ ବାରବାଟୀ-କଟକରେ ଲଢ଼ିବା ନେଇ ଚର୍ଚ୍ଚା !
#କଟକ(ଏନ୍.ଏମ୍.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଭାରତୀୟ ଜନତା ପାର୍ଟି ଛାଡ଼ିଛନ୍ତି । ସେ ଦଳର କଟକ ଜିଲ୍ଲା ସଭାପତି ଥିଲେ । ପ୍ରକାଶ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇ ଦେଇଛନ୍ତି । ତେବେ ସେ କାହିଁକି ଦଳ ଛାଡ଼ିଲେ? ଏନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରକାଶ ବେହେରା । ସେ କହିଛନ୍ତି, ଦଳରେ ମିଶିବା ପରେ ଓ କଟକ ଜିଲ୍ଲା ସଭାପତି ହେବା ପରେ ସଂଗଠନକୁ ମଜବୁତ କରିବା ପାଇଁ ମୁଁ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି । ଦଳକୁ ଆଗକୁ ନେବା ସହିତ ବିଶ୍ୱସ୍ତ ହୋଇ ରହିବା ପାଇଁ ଚେଷ୍ଟା କରିଛି । କିନ୍ତୁ ମୁଁ ଦଳ ସହ ଆଡଜଷ୍ଟ୍ କରି ପାରିଲିନି । ଏଥିପାଇଁ ମୁଁ ଅସନ୍ତୁଷ୍ଟ ଥିଲି । ଏ ନେଇ ମୁଁ ଦଳରେ ଦାୟିତ୍ୱରେ ଥିବା ନେତାମାନଙ୍କ ସହିତ ଆଲୋଚନା କରିଥିଲି । ମୁଁ ଚାହୁଁଥିଲି ଯେଉଁମାନେ ସଂଗଠନ ଦାୟିତ୍ୱରେ ଅଛନ୍ତି, ସେମାନଙ୍କୁ ଉପଯୁକ୍ତ ପ୍ରାଧାନ୍ୟ ଦିଆଯିବା ଦରକାର । ଯେଉଁଭଳି ଢଙ୍ଗରେ ମୁଁ ସଂଗଠନକୁ ଆଗକୁ ନେବାକୁ ଚାହୁଁଥିଲି, ତାହା ହୋଇପାରିଲା ନାହିଁ । ଯେଉଁ ସ୍ତରକୁ ମୁଁ ସଂଗଠନକୁ ନେବାକୁ ଚାହୁଁଥିଲି, ତାହା କରିପାରିଲି ନାହିଁ । ସେଥିପାଇଁ ମୁଁ ନିଜକୁ ଦାୟୀ କରିଥିଲି । ତେଣୁ ବହୁ ଚିନ୍ତା କରିବା ପରେ ଆଜି ମୁଁ ଦଳ ଛାଡ଼ିବା ପାଇଁ ବାଧ୍ୟ ହୋଇଛି । ମାତ୍ର ସେ ଖୁବ ଶିଘ୍ର ବିଜେଡିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି । ବିଜେଡିରୁ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ସେ ଲଢ଼ିବା ପାଇଁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ପ୍ରକାଶ ବେହେରା ବିଳମ୍ବିତ ରାତିରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିବା ପରେ ନିଷ୍ପତ୍ତି ହୋଇଥିବା ନେଇ ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଶ୍ରୀ ବେହେରା ୨୦୧୯ ମସିହାରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଦଳ ତାଙ୍କ ପ୍ରତି ଅବହେଳା କରିଥିବା ଅଭିଯୋଗ କରି ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଥିଲେ । ଏହାପରେ ସେ ଭାଜପାର ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଦେଶ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ଜୟ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ । ଏବେ ବିଜେପି ଛାଡ଼ି ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ଶ୍ରୀ ବେହେରା ପୁଣି କହିଛନ୍ତି ଯେ, ମୁଁ ଦଳୀୟ ନେତୃତ୍ୱ ବିରୋଧରେ କହିବି ନାହିଁ । ଟିକେଟ୍ ପାଇବା ନେଇ କୌଣସି ସମସ୍ୟା ନଥିଲା । ମୋତେ ଏଥର ଦଳ ତରଫରୁ ଟିକେଟ ମିଳି ନଥା’ନ୍ତା ବୋଲି ଯେଉଁ ଆଲୋଚନା ହେଉଛି, ସେଥିରେ ସତ୍ୟତା ନାହିଁ । ଦଳ ସହିତ ମୋର ବିଚାରଗତ ସମସ୍ୟା ରହିଲା । ମୁଁ ଦଳରେ ନିଜକୁ ଆଡଜଷ୍ଟ କରିପାରିଲି ନାହିଁ । ଦଳ ଭିତରେ କେତେ ଜଣଙ୍କ ସହିତ ମୋର ବୁଝାମଣା ଠିକ୍ ରହିଲା ନାହିଁ । ପ୍ରକାଶ ବେହେରା ବିଜେଡିରେ ମିଶିବେ ବୋଲି ଆଲୋଚନା ହେଉଛି । ଏନେଇ ସେ କହିଛନ୍ତି, ମୁଁ ମୋର ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା, ବନ୍ଧୁ, ଶୁଭେଚ୍ଛୁମାନଙ୍କ ସହିତ ଆଲୋଚନା କଲା ପରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବି । ସେମାନଙ୍କୁ ନପଚାରି ମୁଁ କୌଣସି ନିଷ୍ପତ୍ତି ନେଇ ପାରିବି ନାହିଁ । ଶ୍ରୀ ବେହେରା ତାଙ୍କ ଇସ୍ତଫାପତ୍ରରେ ଲେଖିଥିଲେ- ମୁଁ ସଦାବେଳେ ମୋ ପଦକୁ ନ୍ୟାୟ ଦେବାକୁ ପ୍ରାୟସ କରିଛି । ତା’ ସହିତ ଦଳ ଯେପରି ମାଇଲଖୁଣ୍ଟ ହାସଲ କରିପାରିବ ସେ ନେଇ ଚେଷ୍ଟା କରିଛି । କିନ୍ତୁ ଏହି କାର୍ଯ୍ୟକୁ ମୁଁ ସନ୍ତୋଷଜନକ ଭାବେ ତୁଲାଇ ପାରି ନାହିଁ । ସୂଚନା ଯୋଗ୍ୟ ଯେ, ୨୦୧୪ ମସିହାରେ ଶ୍ରୀ ବେହେରା କଂଗ୍ରେସ ଟିକେଟରେ ସାଲେପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ମସିହା ନିର୍ବାଚନ ପୂର୍ବରୁ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ ଓ ସାଲେପୁରରୁ ଲଢ଼ିଥିଲେ । ତେବେ ସେ ପରାସ୍ତ ହୋଇଥିଲେ । ଏବେ ବିଜେଡିରୁ ବାରବାଟୀ-କଟକରେ ଲଢ଼ିବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।