ବିଜେପିରେ ଯୋଗ ଦେଲେ କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ

ବିଜେପିରେ ଯୋଗ ଦେଲେ କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ

ବିଜେପିରେ ଯୋଗ ଦେଲେ କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ


କଟକ(ଏନ୍‌.ଏମ୍‌.): କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପିରେ ଯୋଗ ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଆଜି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସଂପାଦକ ବିନୋଦ ତାୱଡେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭର୍ତ୍ତୃହରି ମହତାବ ପଦ୍ମ ଧରିଛନ୍ତି । ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ରାଷ୍ଟ୍ରବାଦ, ଏକାତ୍ମତା ଓ ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ । ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ । ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ୱାସ ଓ ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ । ଏକ ନୂଆ ଟିମ୍ ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛି । ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି, ତାହା ଆସିଲେ ସମସ୍ତେ ଦେଖିପାରିବେ । ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୨୨ତାରିଖରେ ଶୁକ୍ରବାର ଦିନ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିଲେ । ସେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡି ଛାଡ଼ିବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚାର ଆଜି ଅନ୍ତ ଘଟିଛି । ଭର୍ତ୍ତୃହରି ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ସେ ଲଗାତାର କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି ।୨୦୧୭ରେ ସେ ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ ଆୱାର୍ଡ ପାଇଥିବା ବେଳେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ସଂସଦ ରତ୍ନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ବିଜେଡିରୁ ଇସ୍ତଫା ଦେବା ପରେ ଭର୍ତ୍ତୃହରି ବିଭିନ୍ନ ପ୍ରସଙ୍ଗକୁ ନେଇ ବାରମ୍ବାର ବାରମ୍ବାର ବିଜେଡିକୁ ଟାର୍ଗେଟ କରୁଥିଲେ । କିଛି ଦିନ ତଳେ ନିଜର ସଂପାଦକୀୟରେ ବିଜେଡିକୁ ବାଣ ମାରିଥିଲେ ଭର୍ତ୍ତୃହରି । ଏହି ଲେଖାର ଶୀର୍ଷକ ଥିଲା “ଦୁର୍ନୀତିର ଘଡ଼ା ପୂରିଲାଣି, ଫାଟିବ କି ଭାଙ୍ଗିବ ନିଶ୍ଚୟ” । ଏଥିରେ ସେ କେଉଁ ପରିସ୍ଥିତିରେ ଏବଂ କାହିଁକି ଦଳ ଛାଡ଼ିଲେ, ବିଜେଡି ଓ ଏହାର ନେତୃତ୍ୱ ଏବେ କେଉଁ ସ୍ତରକୁ ଗଲେଣି ତାହା ଉଲ୍ଲେଖ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ