ବିଜେଡିରେ ସାମିଲ ହେଲେ ଲୋକପ୍ରିୟ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ

ବିଜେଡିରେ ସାମିଲ ହେଲେ ଲୋକପ୍ରିୟ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ

ବିଜେଡିରେ ସାମିଲ ହେଲେ ଲୋକପ୍ରିୟ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ

ପାଣ୍ଡିଆନଙ୍କୁ ମୁଁ ବିଜେଡିରେ ସ୍ୱାଗତ କରୁଛି : ମୁଖ୍ୟମନ୍ତ୍ରୀ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକ୍ଷ ଭାବେ ଓଡ଼ିଶା ରାଜନୀତିରେ ପାଦ ଥାପିଛନ୍ତି ଲୋକପ୍ରିୟ ଆଇଏଏସ ଅଫିସର ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ଆନୁଷ୍ଠାନିକ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପୂର୍ବତନ ସଚିବଙ୍କୁ ତାଙ୍କ ଦଳରେ ସାମିଲ କରିଛନ୍ତି । ବରିଷ୍ଠ ବିଜେଡି ନେତାମାନଙ୍କ ବୈଠକ ପରେ ଭି.କେ ପାଣ୍ଡିଆନ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ପାଣ୍ଡିଆନଙ୍କୁ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି ।
ରାଜନୀତିରେ ପ୍ରବେଶ ସହ ନିଜ ଘଟଣା ବହୁଳ କ୍ୟାରିୟରର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୋପାନରେ ପହଞ୍ଚିଛନ୍ତି ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶା ଓ ରୂପାନ୍ତରଣ ଯୋଜନାର ସଫଳ ରୂପାୟନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କ ଉପରେ ଦଳକୁ ଆଗାମୀ ନିର୍ବାଚନ ବୈତରଣୀ ପାର କରିବାର ଗୁରୁ ଦାୟିତ୍ୱ ରହିବ ବୋଲି କୁହାଯାଉଛି । ବିଜେଡିରେ ଆଜି ବିଧିବଦ୍ଧ ଭାବରେ ଭି.କେ ପାଣ୍ଡିଆନ ଯୋଗ ଦେବା ପରେ ଶଙ୍ଖ ଭବନରେ ସ୍ୱତନ୍ତ୍ର ଚାମ୍ବର ମିଳିଛି । ଶ୍ରୀ ପାଣ୍ଡିଆନ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ନିଜ ଚାମ୍ବରରେ ବସି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
ସୂଚନା ଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୩ ତାରିଖରେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଅବସର ନେବାର ଗୋଟିଏ ଦିନ ପରେ ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାରଙ୍କ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ । ଏହା ସହ ଶ୍ରୀ ପାଣ୍ଡିଆନଙ୍କୁ କ୍ୟାବିନେଟ ମନ୍ତ୍ରୀ ପ୍ୟାହା ମିଳିଥିଲା । ଆଜି ସକାଳେ ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକରେ ମନ୍ତ୍ରୀ ପ୍ରତାପ ଦେବ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମୀର ଦାଶ, ସଞ୍ଜୟ ଦାସ ବର୍ମା, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥତି ଥିଲେ । ସେହିପରି ବିଜେଡିର ଅନ୍ୟ କେତେକ ବରିଷ୍ଠ ନେତା ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ । ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି । ଆଗକୁ ଶ୍ରୀ ପାଣ୍ଡିଆନଙ୍କୁ କେଉଁ ବଡ଼ ଦାୟିତ୍ୱ ମିଳୁଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ତେବେ ଶ୍ରୀ ପାଣ୍ଡିଆନ ବିଜେଡିରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପାଣ୍ଡିଆନଙ୍କୁ ମୁଁ ବିଜେଡିରେ ସ୍ୱାଗତ କରୁଛି । ସେ ବହୁ ବର୍ଷ ହେଲା ରାଜ୍ୟ ପାଇଁ କଠିନ ପରିଶ୍ରମ କରୁଛନ୍ତି । ସେ ଦଳର ଜଣେ ସଦସ୍ୟ ଭାବେ ତାହା ଜାରି ରଖିବେ । ମୁଁ ଏଥିପାଇଁ ଶୁଭେଚ୍ଛା ଜଣାଉଛି । ଅନ୍ୟପକ୍ଷରେ ବିଜେଡିରେ ଯୋଗଦେବା ପରେ ଭି.କେ. ପାଣ୍ଡିଆନ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ କାର୍ଯ୍ୟ କରିବି । ସମସ୍ତଙ୍କ ସହଯୋଗରେ ଓଡ଼ିଶାବାସୀଙ୍କ କାମ କରିବି । ନିଷ୍ଠା, ନମ୍ରତା, ନିସ୍ୱାର୍ଥପର ଭାବେ କାମ କରିବି । ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି, ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କର ପ୍ରଶାସନିକ କ୍ଷେତ୍ରରେ ବହୁତ ଅଭିଜ୍ଞତା ରହିଛି । ପ୍ରଶାସନିକ ଅଭିଜ୍ଞତାକୁ ସେ ଦଳ ପାଇଁ କାର୍ଯ୍ୟରେ ଲଗାଇବେ । ଆମେ ତାଙ୍କୁ ସମସ୍ତେ ସ୍ୱାଗତ କରୁଛୁ । ପାଣ୍ଡିଆନ ଆମ ଦଳରେ ସାମିଲ ହୋଇଥିବାରୁ ଆମେ ଖୁସି ଅନୁଭବ କରୁଛୁ ।
ସୂଚନା ଯୋଗ୍ୟ ଯେ, ୨୦୦୦ ବ୍ୟାଚ୍ ଶ୍ରୀ ପାଣ୍ଡିଆନ ପଞ୍ଜାବ କ୍ୟାଡ଼ରରେ ନିଯୁକ୍ତି ପାଇଥିଲେ । କିନ୍ତୁ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ । ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୦୫ରୁ ୨୦୦୭ ମାର୍ଚ୍ଚ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ, ୨୦୦୭ ଏପ୍ରିଲ ୯ରୁ ୨୦୧୧ ଏପ୍ରିଲ ୨୯ତାରିଖ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟ କରିଥିଲେ । ତେବେ ଜିଲ୍ଲାପାଳ ଥିବା ସମୟରେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରି କେନ୍ଦ୍ରସରକାରଙ୍କ ଠାରୁ ଏକାଧିକବାର ପୁରସ୍କୃତ ମଧ୍ୟ ହୋଇଥିଲେ । ସେ ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱରେ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ଓ ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ । ସେବେଠୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଗତ ୩ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଉଭୟ ଦାୟିତ୍ୱ ତୁଲାଉ ଥିଲେ । ଏବେ ସେ ପ୍ରତ୍ୟେକ୍ଷ ଭାବେ ବିଜେଡିରେ ସାମିଲ ହେବା ପରେ ଦଳରେ ଆହୁରି ଉନ୍ନତି ଆସିବ ବୋଲି ରାଜନୈତିକ ସମୀକ୍ଷକମାନେ ମତଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ