ବିଜେଡିରୁ ଇସ୍ତଫାଦେଲେ ଷ୍ଟାର କ୍ୟାମ୍ପେନର ଅରିନ୍ଦମ ରାୟ

ବିଜେଡିରୁ ଇସ୍ତଫାଦେଲେ ଷ୍ଟାର କ୍ୟାମ୍ପେନର ଅରିନ୍ଦମ ରାୟ

ବିଜେଡିରୁ ଇସ୍ତଫାଦେଲେ ଷ୍ଟାର କ୍ୟାମ୍ପେନର ଅରିନ୍ଦମ ରାୟ, ଯୋଗ ଦେଲେ ବିଜେପିରେ


#କଟକ(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ନିମନ୍ତେ ଆଚରଣ ବିଧି ଲାଗୁ ହେବାର କେଇ ଘଣ୍ଟା ପୂର୍ବରୁ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଭିଣୋଇ ତଥା ଅଭିନେତା ଅରିନ୍ଦମ ରାୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ସାଧାରଣ ସଂପାଦକ ପଦ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି । ଇସ୍ତଫା ପତ୍ରରେ ନିଜର କ୍ଷୋଭ ଜଣାଇଛନ୍ତି ଅରିନ୍ଦମ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି, ମୁଁ ଆପଣଙ୍କ ଦଳରେ ୨୦୦୯ରୁ କାର୍ଯ୍ୟ କରିଆସୁଛି । ୨୦୧୪ରୁ ମୁଁ ଆପଣଙ୍କ ଦଳର ଷ୍ଟାର କ୍ୟାମ୍ପେନର ରହି ଆସିଛି । ବିଭିନ୍ନ ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ କଟକ, ତିର୍ତ୍ତୋଲ ଓ କୋରାପୁଟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଛି । କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ମୋ କାର୍ଯ୍ୟକୁ ଆପଣ କିମ୍ବା ଆପଣଙ୍କ ଦ୍ୱାରା ନିଯୁକ୍ତ ସଦସ୍ୟମାନେ ଏଯାବତ ସ୍ୱୀକୃତି ଦେଇ ନାହାନ୍ତି । ମୁଁ ଆପଣଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଆପଣଙ୍କୁ ଦେଖା କରିବାକୁ ମୋତେ ସୁଯୋଗ ମିଳିଲା ନାହିଁ । ତେଣୁ ଆପଣଙ୍କୁ ଭେଟିବାର ମାପଦଣ୍ଡ ମୁଁ ପୂରଣ କରିପାରୁ ନାହିଁ ବୋଲି ଅନୁଭବ କଲି । ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲି ଭାବୁଛି । ଏଣୁ ମୁଁ ବିଜେଡିର ସାଧାରଣ ସଂପାଦକ ପଦ ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । ଆଶା କରୁଛି, ଆପଣ ମୋ ପରିସ୍ଥିତି ବୁଝିବେ ଓ ମୋ ଉପରେ କିଛି ଆକ୍ରୋଶ ରଖିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରେ ଅରିନ୍ଦମ ବିଜେଡି ଛାଡ଼ିବେ ବୋଲି ଅନେକ ଦିନରୁ ସଙ୍କେତ ମିଳି ସାରିଥିଲା । ବିଜେପିର କିଛି ନେତାଙ୍କୁ ସାକ୍ଷାତ କରିବା ସହ ବିବାଦୀୟ ବୟାନ ଦେଇ ସେ ଦଳ ପାଇଁ ସମସ୍ୟା ସୃଷ୍ଟି କରୁଥିଲେ । ଗତ ଜାନୁଆରୀ ମାସରେ କଟକ ବାଲିଯାତ୍ରା ପଡ଼ିଆରେ ଏକ ଯୁବ ସମ୍ମିଳନୀର ଆୟୋଜନ କରିଥିଲେ ଅରିନ୍ଦମ । ସେଠାରେ ଲାଗିଥିବା ବ୍ୟାନରରେ ବିଜେଡିର ଦଳୀୟ ଚିହ୍ନ ନଥିଲା କି ମୁଖ୍ୟମନ୍ତ୍ରୀଙ୍କ ଫଟୋ ନଥିଲା । ଅରିନ୍ଦମଙ୍କ ସେହି ସଭାରେ ବହୁ ଯୁବକ ଓ ବୁଦ୍ଧିଜୀବୀ ସାମିଲ୍ ହୋଇଥିଲେ । ଏହି ଯୁବ ସମ୍ମିଳନୀ ପରେ ଅରିନ୍ଦମ ଗଣମାଧ୍ୟମକୁ କହିଥିଲେ, ମୁଁ କାହା ସହ ଦେଖା କରିବାରେ କିଛି ଅସୁବିଧା ନାହିଁ । ଯିଏ ଯାହା ଭାବୁଛନ୍ତି ଭାବନ୍ତୁ । ସେହିପରି ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଖା କରିଥିଲେ । ତା’ପରେ କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ସୋଶାଲ୍ ମିଡ଼ିଆରେ ଭାଇରାଲ ହୋଇଥିଲା । ଗୋଟିଏ ଟେବୁଲରେ ପାଖାପାଖି ଅରିନ୍ଦମ ଓ ପ୍ରକାଶ ବେହେରା ବସିଥିବା ଦେଖିବାକୁ ମିଳିଥିଲା । ଅବଶ୍ୟ ଫଟୋଟି କେବେକାର, ତାହା ଜଣାପଡ଼ି ନଥିଲା । ତେବେ ଫଟୋଟି ପ୍ରକାଶ ବେହେରାଙ୍କ ସାଲେପୁର ସ୍ଥିତ ଘର ବୋଲି ଚର୍ଚ୍ଚା ହୋଇଥିଲା । ଏହି ସବୁ ଘଟଣାକ୍ରମକୁ ଦେଖି ଅରିନ୍ଦମ ରାୟ ବିଜେଡି ଛାଡ଼ିବେ ବୋଲି ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା । ତେବେ ଅରିନ୍ଦମ ବିଜେଡି ଦଳରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଛନ୍ତି । ଅରିନ୍ଦମ ଆଜି ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ଭୁବନେଶ୍ୱର ସ୍ଥିତି ରାଜ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ । ମନମୋହନ ସାମଲ ଆନୁଷ୍ଠାନିକ ଭାବେ ଅରିନ୍ଦମଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଅରିନ୍ଦମଙ୍କ ସହ ତାଙ୍କ ସମର୍ଥକମାନେ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ଦଳ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ କଟକ ବିଜେପିର ବହୁ ନେତା ଉପସ୍ଥିତ ରହିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ