ବାରବାଟୀରେ ଭାନୱିକ୍ ଓ ପୋର୍ଟରଫିଲ୍ଡଙ୍କ ବିସ୍ଫୋରକ ବ୍ୟାଟିଂ
ଭିଲ୍ୱାରା କିଙ୍ଗ୍ସର ବୃହତ ବିଜୟ
କଟକ(ଏନ୍.ଏମ୍.): ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଲିଜେଣ୍ଡସ୍ କ୍ରିକେଟ୍ ଲିଗ୍ର ଆଜି ଅନୁଷ୍ଠିତ ମ୍ୟାଚ୍ରେ ବିଲ୍ୱାରା କିଙ୍ଗସ ବୃହତ ବିଜୟ ହାସଲ କରିଛି । ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମ ବ୍ୟାଟିଂ କରିଥିବା ବିଲ୍ୱାରା କିଙ୍ଗସ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୪ ୱିକେଟ୍ ହରାଇ ୨୨୨ ରନ୍ ସଂଗ୍ରହ କରିଥିଲା । ମାତ୍ର ଏହାର ଜବାବରେ ବିରେନ୍ଦ୍ର ସେୱାଗଙ୍କ ନେତୃତ୍ୱାଧୀନ ଗୁଜୁରାଟ ଜ୍ୟାଣ୍ଟ୍ସ ସମସ୍ତ ୱିକେଟ୍ ହରାଇ ମାତ୍ର ୧୬୫ ରନ୍ କରି ୫୭ରନରେ ପରାଜିତ ହୋଇଥିଲା । କିଙ୍ଗ୍ସ ଦଳ ପକ୍ଷରୁ ଧାର୍ଯ୍ୟ ୨୨୩ରନ୍ର ବିଜୟ ଲକ୍ଷ୍ୟ ନେଇ ଜ୍ୟାଣ୍ଟସ ଦଳ ପଡ଼ିଆକୁ ଓହ୍ଲାଇଥିଲା । ଦଳ ପାଇଁ କ୍ରିସ୍ ଗେଲ୍ ଓ ସିରିଜ୍ରେ ଭଲ ଫର୍ମରେ ଥିବା କେଭିନ୍ ଓବ୍ରେୟନ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ଦଳୀୟ ସ୍କୋର ମାତ୍ର ୩ ରନ୍ ବେଳେ ଓବ୍ରେୟନ ୨ରନ କରି ଆଉଟ୍ ହୋଇଥିଲେ । ପରେ ସେୱାଗ୍ ଓ ଗେଲ୍ କିଛି ସମୟ ପଡ଼ିଅରେ ଜମି ରହି ଦଳୀୟ ସ୍କୋରକୁ ୪୭ରନ୍ରେ ପହଂଚାଇଥିଲେ । ଏହି ସ୍କୋରରେ ସେୱାଗ ୨୦ ବଲ୍ରୁ ୩ ଚୌକା ଓ ଗୋଟିଏ ଛକା ମାରି ୨୭ରନ୍ରେ ଆଉ୍ ହୋଇଥିଲେ । ସେୱାଗ୍ଙ୍କ ୱିକେଟ୍ ପରେ କିଙ୍ଗ୍ସ ଦଳର ବୋଲରମାନେ ଆକ୍ରାମକ ବୋଲିଂ କରି ଜ୍ୟାଣ୍ଟ୍ସ ଦଳର ଗୋଟିଏ ପରେ ଗୋଟିଏ ୱିକେଟ୍ ଅକ୍ତିଅର କରିଥିଲେ । ଶେଷ ଭାଗରେ ଯଶପାଲ୍ ଯାଦବଙ୍କ ଅର୍ଦ୍ଧଶତକ (୫୭ରନ୍ ୨୯ ବଲ୍, ୬ଚୌକା, ୩ ଛକା) ଦଳର ବିଜୟ ଲାଗି ଯଥେଷ୍ଟ ହୋଇ ନଥିଲା । ଅନ୍ୟମାନଙ୍କ ମଧ୍ୟରେ କ୍ରିସ୍ ଗେଲ୍ ୧୫, ଥିସାରା ପେରରା ୧୧, ଯୋଗିନ୍ଦର ଶର୍ମା ୧୧ରନ୍ କରି ଦୁଇ ଅଙ୍କ ଛୁଇଁ ଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । କିଙ୍ଗସ ପକ୍ଷରୁ ଏସ୍ ଶ୍ରୀସନ୍ଥ ୪ ଓଭର ବୋଲିଂ କରି ୩୬ରନ୍ରେ ୩ଟି ୱିକେଟ୍ ହାସଲ କରିଥିବାବେଳେ ଜେସାଲ କାରିଆ ଓ ଫିଡେ୍ଲ୍ ଏଡ୍ୱାର୍ଡ୍ସ ୨ଟି ୱିକେଟ୍ ହାସଲ କରିଥିଲେ । ଦିନେସ୍ ସାଲୁଙ୍ଖେ, ମଣ୍ଟି ପାନେସାର ଓ ଟିନୋ ବେଷ୍ଟ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଏହି ମ୍ୟାଚ୍ରେ ସେୱାଗ୍ ଟସ୍ ଜିତି କିଙ୍ଗ୍ସ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ଇରଫାନ୍ ପଠାନଙ୍କ ନେତୃତ୍ୱାଧୀନ କିଙ୍ଗସ ଦଳ ବ୍ୟାଟିଂ ଆରମ୍ଭ କରି ପ୍ରଥମ ୱିକେଟ୍ ପାଇଁ ୯.୪ ଓଭରରୁ ୧୧୭ରନ୍ ସଂଗ୍ରହ କରିଥିଲେ । ଏହି ସ୍କୋରରେ ପୋର୍ଟରଫିଲ୍ଡ ୧୦ ଚୌକା ଓ ୨ଟି ଛକା ସହ ୬୪ରନ୍ ସଂଗ୍ରହ କରି କେପି ଅପ୍ପାନାଙ୍କ ବଲ୍ରେ ଆଉ୍ ହୋଇଥିଲେ । ପରେ ଦଳ ଏହି ଆକ୍ରମଣ ଜାରି ରଖିଥିଲା । ଦଳ ପକ୍ଷରୁ ମର୍ଣ୍ଣେ ଭାନ୍ୱିକ୍ ୫୦ ଇର୍ଫାନ ପଠାନ ୩୪, ଜେସଲ୍ କାରିଆ ୪୩, ୟୁସୁଫ ପଠାନ ଓ ରାଜେସ୍ ବିଷ୍ଣୋଇ ଯଥାକ୍ରମେ ୧୪ ଓ ୧୨ରନ୍ କରି ଅପରାଜିତ ରହିଥିଲେ । ଅଶୋକ ଡିଣ୍ଡା, ଅପ୍ପାନା, ଗ୍ରେମ୍ ସ୍ୱାନ୍ ଓ ଥିସାରା ପେରରା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।