ବାରବାଟୀରେ ଟି-୨୦ ମହାସମର : ଟିକେଟ୍ ପାଇଁ ରାତିରୁ ଲାଗିଛି ଦର୍ଶକଙ୍କ ଲମ୍ବା ଲାଇନ
କଟକ(ଏନ୍.ଏମ୍.): ବାରବାଟୀରେ ଟି-୨୦ ମ୍ୟାଚ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଉ ଦିନକ ପରେ ଆସି ପହଞ୍ôଚବେ ଖେଳାଳୀ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କ୍ରିକେଟ ମହାସମର । ତେବେ ଦୀର୍ଘ ବର୍ଷର ବ୍ୟବଧାନ ପରେ ବାରବାଟୀ ଷ୍ଟାଡ଼ିୟମରେ ଏକ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯିବା ନେଇ କେବଳ କଟକିଆ କାହିଁକି ସାରା ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଗୋଟିଏ ପଟେ ଓସିଏର ନୂତନ ମଙ୍ଗୁଆଳ କ୍ରିକେଟ ଖେଳକୁ ନେଇ ତତ୍ପରତା ଦେଖାଇଛନ୍ତି । ଚଳିତ ବର୍ଷ ପ୍ରଥମ କରି ବାରବାଟୀ ଷ୍ଟାଡିୟମକୁ ରଙ୍ଗବେରଙ୍ଗ ଆଲୋକରେ ସଜାଇବାର ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଭାବେ ଟିକେଟ ବିକ୍ରି କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ହେଲେ ପ୍ରତି ଥର ଭଳି ଏଥର ମଧ୍ୟ କ୍ରିକେଟ ପ୍ରେମୀମାନେ ଟିକେଟ ଖଣ୍ଡେ ପାଇବାକୁ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ଟିକେଟକ ନେବା ପାଇଁ ଗତକାଲି ଠାରୁ କାଉଣ୍ଟର ସମ୍ମୁଖରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ତେବେ ପ୍ରବଳ ଭିଡର ସୁଯୋଗ ଦେଇ କିଛି ଦଲାଲମାନେ ମଧ୍ୟ ଟିକେଟ କଳାବଜାରୀ କରୁଥିବାର ନଜୀର ଦେଖିବାକୁ ମିଳିଛି । ଏପରିକି ଓସିଏର କିଛି କର୍ମଚାରୀ କାଇଦା ଦେଖି ସ୍ଥାନୀୟ ଲୋକଙ୍କୁ ମଜୁରୀ ଦେଇ ଧାଡ଼ିରେ ଠିଆ କରାଇ ଟିକେଟ କିଣି ସେହି ଠାରେ ମଧ୍ୟ ଦୁଇରୁ ୪ଗୁଣା ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ତେବେ ଏ ସବୁକୁ ନେଇ ଓସିଏ କର୍ମକର୍ତ୍ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।ଅନ୍ୟପକ୍ଷରେ କ୍ରିକେଟ ପ୍ରେମୀଙ୍କ ପାଇଁ ଟିକେଟ ବିକ୍ରୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଓସିଏ ପକ୍ଷରୁ କୁହାଯାଇଛି । ପୁରୁଷ ଦର୍ଶକଙ୍କ ଲାଗି ୭ଟି କାଉଣ୍ଟର କରାଯାଇଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି । ଜଣଙ୍କୁ କେବଳ ଦୁଇଟି ଟିକେଟ୍ ବିକ୍ରି କରାଯାଇ ପାରିବ । ତେବେ ପୂର୍ବରୁ ଅନଲାଇନରେ ୫ହଜାର ଟିକେଟ୍ ବିକ୍ରି ସରିଥିବାବେଳେ ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, ଆସୋସିଏସନ ପାଇଁ ୮ହଜାର ଟିକେଟ୍ ବିକ୍ରି ହୋଇଥିଲା । ଆଉ ମାତ୍ର ୧୨ ହଜାର ଟିକେଟ୍ କାଉଣ୍ଟରରେ ବିକ୍ରି କରାଯିବ । ଟିକେଟ୍ କିଣିଲା ବେଳେ ଦର୍ଶକ ଯେ କୌଣସି ପରିଚୟ ପତ୍ର ଦେଖାଇ କିଣିପାରିବେ । ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏଥିପାଇଁ ବିମାନବନ୍ଦରରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ହୋଟେଲର ସୁରକ୍ଷା ସାଙ୍ଗକୁ ଟ୍ରାଫିକ ସମସ୍ୟା ଯେଭଳି ନହେବ ସେଥିପ୍ରତି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇଛି । ଆଜି ବିମାନ ବନ୍ଦରଠାରୁ ହୋଟେଲ ଏବଂ ହୋଟେଲ ଠାରୁ ବାରବାଟୀ ଷ୍ଟାଡ଼଼ିୟମ ପର୍ଯ୍ୟନ୍ତ ପୁଲିସର କାରକେଡ ରିହରସାଲ୍ ହେବ ।