ଭୁବନେଶ୍ୱର(ଏନ୍.ଏମ୍.): ସାମୁଦ୍ରିକ ଝଡ଼ ‘ୟାସ୍’ ବାତ୍ୟାର ରୂପନେଇ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଆକଳନ କରାଯାଇଛି । ଆଇଏମ୍ଡି ମହାନିଦେ୍ର୍ଦଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଜି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ବାଲେଶ୍ୱର ପାଖରୁ ପାଖାପାଖି ୭୦୦ କିଲୋମିଟର ଦୂରରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅଛି । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ । ତା’ପରେ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅତି ପ୍ରବଳ ବାତ୍ୟାରେ ପରିଣତ ହେବ । ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିବ । ଯେତେବେଳେ ଏହା ଉକପୂଳ ଅତିକ୍ରମ କରିବ ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ କିଲୋମିଟରରୁ ୧୬୫ କିଲୋମିଟର ରହିବ । ଅତିବେଶୀରେ ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ପବନ ହୋଇପାରେ । ସେ ପୁଣି କହିଛନ୍ତି ଯେ, ଏହି ବାତ୍ୟାର ପ୍ରଭାବରେ ଆସନ୍ତା୨୫ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲା ଓ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲା ସହିତ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବ । ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିବ । ୨୬ ତାରିଖରେ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ସବୁଠୁ ଅଧିକ ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ରରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବବୋଲି ଆକଳନ କରାଯାଇଛି । ୨୭ ତାରିଖରେ ଏହି ବର୍ଷାର ପରିମାଣ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ହ୍ରାସପାଇବ । କେବଳ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା୨୪ ତାରିଖ ସନ୍ଧ୍ୟା ପରେ ଓଡ଼ିଶା ଓ ପଶ୍ଚମବଙ୍ଗ ପକୂଳବର୍ତ୍ତୀ ଯେଉଁ ସମୁଦ୍ର ରହିଛି ସେଠାରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହୋଇପାରେ । ତାହା ଧୀରେ ଧୀରେ ବଢ଼ି ୨୬ ତାରିଖ ସନ୍ଧ୍ୟା ସମୟରେ ଯେତେବେଳେ ବାତ୍ୟା ଉପକୂଳ ଅତିକ୍ରମ କରିବ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗ ରହିବ । ଅତିବେଶୀରେ ଏହା ଘଣ୍ଟାପ୍ରତି ୧୮୫ କିମି ହୋଇପାରେ । ଆଇଏମ୍ଡିର ଆକଳନ ଅନୁଯାୟୀ, ଏହି ବାତ୍ୟାରେ ପବନର ବେଗ ଯାହା ରହିବ ସେଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ । ଆଜବେଷ୍ଟସ, କଚ୍ଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ରହିଛି । ପବନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ ବ୍ୟାପକ କ୍ଷତି ଘଟାଇବ ।