ବେଆଇନ ବାଲି ଘାଟକୁ ନେଇ ବିବାଦ: ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଜଣେ ମୃତ ଜଣେ ଗୁରୁତର
ଟାଙ୍ଗୀ-ଚୌଦ୍ୱାର( ଏନ୍.ଏମ୍.): ବେଆଇନ ବାଲିଘାଟକୁ ନେଇ ଉଠିଛି ବିବାଦ । ଗୋଟିଏ ପଟେ ବାଲିଘାଟ ନିଲାମ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା ତଥା ଜୋରଦାର ମୂଲକତାର ଚାଲୁଥିବା ଭଳି ଦେଖିବାକୁ ମିଳିଛି । ବେଆଇନଭାବେ ବାଲି ଚାଲଣ କରି ଲକ୍ଷାଧିକ ଟଙ୍କା ରୋଜଗାରର କରୁଥିବା ଦଲାଲମାନେ ସେମାନଙ୍କ ସ୍ୱାର୍ଥରେ ଆଞ୍ଚ ଆସିଲେ ଜୀବନରୁ ମାରିଦେବା ଭଳି ଘଟଣା ଦେଖାଦେଇଛି । ତେବେ ରବିବାରଦିନ ଅପରାହ୍ନରେ ବାଲିଘାଟକୁ ନେଇ ବିବାଦ ତିବ୍ରତର ହେବାରେ ଲାଗିଛି । ବିନା ପରିଶ୍ରମରେ ଲକ୍ଷାଧିକ ଟଙ୍କା ମୁନାଫା କମାଇବା ନିମନ୍ତେ ଆଜି ଦିନ ଦ୍ୱିପ୍ରହରରେ ଗୋବିନ୍ଦପୁର ଛକରେ ମାରଣାସ୍ତ୍ର ବୁଲୁଥିବା ଦେଖିବାକୁ ମିଳିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ବିରୂପା ନଦୀରୁ ବେଆଇନ ବାଲି ଘାଟକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିବା ବେଳେ ଆଜି ଏହି ବିବାଦ ଉଗ୍ରରୂପ ନେଇଛି । ଦିନ ଦ୍ୱିପ୍ରହରରେ ଟାଙ୍ଗୀ ଗୋବିନ୍ଦପୁର ଛକରେ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଜଣେ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ ଯୁବକ ଜଣକ ସ୍ଥାନୀୟ ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡା ମହାନ୍ତି ସାହିର ବିଜ୍ଞାନ ଭୂଷଣ ମହାନ୍ତି ଓରଫ୍ ହାପି ଓ ଗୁରୁତର ଥିବା ଯୁବକ ଜଣକ ହେଉଛନ୍ତି ଜରିପଡା କୁମ୍ଭାର ସାହିର ଦୀପକ ବେହେରା ବୋଲି ଜଣାପଡ଼ିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ଅଭିଯୋଗ ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ଏଗାରଟା ସମୟରେ ହାପି ଓ ଦୀପକ ଗୋବିନ୍ଦପୁର ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନରେ ଖାଇବାକୁ ବସିଥିବା ବେଳେ ଏକ ସ୍କର୍ପିଓରେ କିଛି ବ୍ୟକ୍ତି ହଠାତ୍ ପହଞ୍ଚି ତାଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଦୋକାନରେ ମାଡ଼ ମାରିବା ସହିତ ଟାଣି ଆଣି ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ପକାଇ ଦେଇଥିଲେ । ତେବେ ହତ୍ୟା ଘଟଣାକୁ ଦୁର୍ଘଟଣା ରୂପ ଦେଇ ଆକ୍ରମଣକାରୀ ମାନେ ଖସି ଯାଇଥିଲେ । ମାତ୍ର ଆକ୍ରମଣ କାରୀ ଯୁବକଙ୍କ ଧମକ ପରେ ଦୋକାନ ବଜାର ବନ୍ଦ ହୋଇଯିବା ସହିତ କେହି ପାଟି ଖୋଲି ନଥିଲେ । ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଖବର ପାଇ ଜାତୀୟ ରାଜପଥ ଆମ୍ବୁଲାନ୍ସ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲା । କିଛି ସମୟ ପରେ ହାପିଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ତେବେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସ ସୂଚନା ପାଇ ତଦନ୍ତ ଜାରି ରଖିଥିଲେ ମଧ୍ୟ ଏ ନେଇ ଟାଙ୍ଗୀଥାନାରେ ଅଭିଯୋଗ ହୋଇନଥିବାରୁ ପୁଲିସର ଘଟଣା ଉପରେ ତୀକ୍ଷ୍ନ ନଜର ରହିଥିବା ଟାଙ୍ଗୀଥାନା ଆଇଆଇସି ସୂଚନା ଦେଇଛନ୍ତି ।