ବାଗ୍ଚି-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟରର ଏକ ବର୍ଷପୂର୍ତ୍ତି
୧୩୮୦ କର୍କଟ ରୋଗୀଙ୍କୁ ମିଳିଛି ଘରେ ମାଗଣା ଉପଶମ ସେବା
#ଭୁବନେଶ୍ୱର(ଏନ୍.ଏମ୍.): ଭୁବନେଶ୍ୱରସ୍ଥିତ ବାଗ୍ଚୀ-କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟରର ଏକ ବର୍ଷପୂର୍ତ୍ତିହୋଇଛି । କର୍କଟ ରୋଗୀଙ୍କୁ ଘରୋଇ ସେବାଯତ୍ନ ଯୋଗାଇବାରେ ଏହି ଭଳି ଅନୁଷ୍ଠାନ ରାଜ୍ୟରେ ପ୍ରଥମ । ରାଜ୍ୟସରକାରଙ୍କ ସହଯୋଗ ଏବଂ ସୁସ୍ମିତାବାଗ୍ଚୀ ଓ ସୁବ୍ରତବାଗ୍ଚୀଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱରରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇ ପାରିଛି ।
ଓଡିଶାରେ କର୍କଟ ରୋଗ ସମ୍ପର୍କିତ ଅଧିକ ଗୁଣାତ୍ମକ ସହାୟତା ଯୋଗାଇବା ନିମନ୍ତେ ଶ୍ରୀମତି ବାଗ୍ଚୀ ଓ ଶ୍ରୀ ବାଗ୍ଚୀ ଭୁବନେଶ୍ୱର ଠାରେ ଦେୟମୁକ୍ତ ପାଲିଏଟିଭ ସେବା ଆରମ୍ଭ କରିବା ପାଇଁ ବାଙ୍ଗାଲୋର ହସ୍ପାଇସ୍ ଟ୍ରଷ୍ଟ (ବିଏଚଟି)ସହ ଯୋଗାଯୋଗ କରିଥିଲେ । ବାଗ୍ଚୀ କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର (ବିକେପିସିସି) ଦାତବ୍ୟ ଅନୁଷ୍ଠାନ ଆରମ୍ଭ କରିବା ପାଇଁ ବାଗ୍ଚୀ ଦମ୍ପତି ୧୩୦ କୋଟି ପାଣ୍ଠି ଦାନ କରିଥିଲେ ।ଏକଅତ୍ୟାଧୁନିକ, ବିଶ୍ୱସ୍ତରୀୟ, ୧୦୦ ଶଯ୍ୟା ବିଶିଷ୍ଟ ପାଲିଏଟିଭ କେୟାର ବ୍ୟବସ୍ଥା ଆରମ୍ଭ କରିବା ପାଇଁ ରାଜ୍ୟସରକାର ଭୁବନେଶ୍ୱର ନିକଟସ୍ଥ ଇନଫୋଭାଲୀରେ୨୦ଏକର ଜମି ଯୋଗାଇ ଦେଇଛନ୍ତି । ମଧ୍ୟବର୍ତ୍ତୀ କାଳୀନ ସମୟରେ ପ୍ରାରମ୍ଭିକ ଭାବେ ସଂସ୍ଥାଟିର ପରିଚାଳନା ପାଇଁ ରାଜ୍ୟ ସରକାର ପୋଖରୀପୁଟ ସ୍ଥିତ ଓଡିଶା ଜେଇଇ କାର୍ଯ୍ୟାଳୟ ତଳମହଲାରେ ବ୍ୟବସ୍ଥା କରିଛନ୍ତି । ଓଡିଶାସରକାରଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଡାକ୍ତର, ନର୍ସ, ଡାକ୍ତରୀ ସହାୟକ ଏବଂ ପରାମର୍ଶଦାତାଙ୍କ ଏକ ଟିମ ସହିତ୧୮ଅକ୍ଟୋବର୨୦୨୧ରେ ଦେୟମୁକ୍ତ ଘରୋଇ ଉପଶମ ସେବାର ଆରମ୍ଭ କରାଯାଇଥିଲା । ଏଠାରେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯାଇଥିଲା ଏବଂ ସେମାନେ ବେଙ୍ଗାଲୁରୁର କରୁଣାଶ୍ରୟ ଅନୁଷ୍ଠାନରେ ପାଲିଏଟିଭ କେୟାରରେ ତାଲିମ ନେଇଥିଲେ । ଏହି କେନ୍ଦ୍ରର କର୍ମଚାରୀମାନେ ୩୦ସେପ୍ଟେମ୍ବର ୨୦୨୨ସୁଦ୍ଧା ୧୩୮୦ରୁ ଅଧିକ ରୋଗୀମାନଙ୍କର ଘରକୁ ଯାଇ ଉପଶମ ଚିକିତ୍ସା ଯୋଗାଇ ସାରିଛନ୍ତି । ମାର୍ଚ୍ଚ ୨୦୨୨ରେ ପୋଖରୀପୁଟରେ ରୋଗୀଙ୍କ ପାଇଁ ଏକ ସାପ୍ତାହିକ ଓପିଡି ସେବା ମଧ୍ୟ ଆରମ୍ଭ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ୩୦୭ଜଣ ରୋଗୀଙ୍କୁ ଉପଶମ ଯୋଗାଇ ଦିଆସାରିଥିବା ସୂଚନା ଦିଆଯାଇଛି ।