ବହୁପୁରାତନ ବଟେଶ୍ୱର ମାଭଗବତୀଙ୍କ ମନ୍ଦିରରୁ ମୂର୍ତ୍ତି ଚୋରି

ସାଲେପୁର(ଏନ୍.ଏମ୍.): ରାସ୍ତାରେ ଚୋରି, ରାହାଜାନି ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟ ବୃଦ୍ଧି ପାଇବାବେଳେ ଏବେ ମନ୍ଦିର ତଥା ଧର୍ମାନୁଷ୍ଠାନ ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ଶହ ଶହ ଲୋକଙ୍କ ଆଶା, ବିଶ୍ୱାସର ପୀଠରୁ ବି ଚୋର କଳାକନା ବୁଲାଇବାକୁ ପଛାଉ ନାହିଁ । ମନ୍ଦିରରେ ଦେବଦେବୀଙ୍କ ସୁନା ଚାନ୍ଦି ଅଳଙ୍କାର, ବାସନ କୁସନ ସହିତ ପୁରୁଣା ପ୍ରତିମାକୁ ମଧ୍ୟ ଚୋରି କରିବାକୁ ଟିକେ ବି କୁଣ୍ଠାବୋଧ କରୁନାହାନ୍ତି ଚୋର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବଟେଶ୍ୱରର ମା’ ଭଗବତୀଙ୍କ ପୀଠରେ । ଏହି ଐତିହାସିକ ପୀଠରେ ଚୋରି ହେବା ଘଟଣା ସାରା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି । ଦୃବୁର୍ତ୍ତ ମାନେ ଅନ୍ଧାର ରାତିର ସୁଯୋଗ ନେଇ ମନ୍ଦିର ଲୁହାକବାଟ କାଟି ଅଷ୍ଟଧାତୁର ତିନିଗୋଟି ଅଢେଇରୁ ତିନିଫୁଟର ମୃର୍ତ୍ତି ଚୋରିକରି ନେଇ ଯାଇଛନ୍ତି ଯାହାର ଓଜନ ୨କ୍ୱିଣ୍ଟାଲ ହେବ ବୋଲି ଆକଳନ କରାଯାଉଛି । ଏବେ ପାର୍ବଣ ପାଇଁ ମା’ଙ୍କ ଶୋଡ଼ଷ ଉପଚାର ପୂଜା ଚାଲି ଥିବାବେଳେ ପୂଜକ ବିଳମ୍ବିତ ରାତିରେ ମା’ଙ୍କ ମନ୍ଦିର ତାଲା ପକାଇ ଘରକୁ ଯାଇଥିଲେ । ହେଲେ ପରଦିନ ଆସି ଦେଖିବାବେଳକୁ ଲୁହା କବାଟ କଟାଯାଇଥିବା ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ଗ୍ରାମବାସୀଙ୍କୁ ଖବର ଦେବାରୁ ସମସ୍ତେ ରୁଣ୍ଡ ହୋଇ ଯାଇଥିଲେ ।ତେବେ ମନ୍ଦିରରୁ ମା’ ମା ପଞ୍ଚମୁଖି କାଳି, ବାବା ଚନ୍ଦ୍ରଶେଖର ମୃର୍ତ୍ତି, ଲକ୍ଷ୍ମୀ ମୂର୍ତ୍ତି, ପାର୍ବତୀ ମୃର୍ତ୍ତି ଆଦି ଚୋରି ହୋଇଥିବା ଜଣାପଡ଼ିଥିଲା । ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।