ବହିଷ୍କୃତ କନଷ୍ଟେବଲ୍ ପ୍ରସନ୍ନ ବେହେରାଙ୍କ ଫିଟୁଛି ଗୁମର: ଭିଜିଲାନ୍ସ ଚଢ଼ାଉ ପକ୍ଷରୁ ଚଢ଼ାଉ
ଭୁବନେଶ୍ୱର (ଏନ୍.ଏମ୍.): ଗିରଫ ହେବା ପରେ ଚାକିରିରୁ ବହିଷ୍କୃତ ହୋଇଥିବା କନଷ୍ଟେବଲ୍ ପ୍ରସନ୍ନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ତାଙ୍କ ଘର ସମେତ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍ ଏକ ସଙ୍ଗେ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ପ୍ରସନ୍ନଙ୍କ କଳ୍ପନା ସ୍ଥିତ ବାସଭବନ, ଡୁମଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରର ଶାନ୍ତିବିହାର ସ୍ଥିତ ଫର୍ଣ୍ଣିଚର ୱାର୍କସପ୍, ପାତ୍ରପଡ଼ା ସ୍ଥିତ ସାଉଥ୍ ସିଟି ବାର୍ ଓ ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ା ଗାଁରେ ଥିବା ତାଙ୍କର ୨ ମହଲା ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ୨ ଜଣ ଡିଏସ୍ପିଙ୍କ ସମେତ ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ହତ୍ୟା ମାମଲାର ତଦନ୍ତ ବେଳେ କମିଶନରେଟ୍ ପୁଲିସରେ କନଷ୍ଟେବଲ୍ ଥିବା ପ୍ରସନ୍ନ ବେହେରାଙ୍କ କଳା କାରନାମା ସାମ୍ନାକୁ ଆସିଥିଲା । ଯେଉଁ ବାରକୁ ମନିଷ ତାଙ୍କର କିଛି ସାଙ୍ଗ ମାନଙ୍କ ସହିତ ଯାଇଥିଲେ ଓ ଯେଉଁଠି ଘଟଣାର ସୂତ୍ରପାତ ହୋଇଥିଲା, ସେହି ବାରକୁ ପ୍ରସନ୍ନ ବେଆଇନ ଭାବେ ନିଜ ଭାଇ ନାଁରେ ଚଲାଇଥିବା ଜଣାପଡ଼ିଥବଲା । ସେହି ସାଉଥ୍ ସିଟ୍ ହୋଟେଲ୍ ବାରର ମାଲିକ ପ୍ରଦ୍ୟୁମ୍ନ ଜେନା ହୋଇଥିବାବେଳେ ତାଙ୍କ ମଧ୍ୟ ଗିରଫ କରାଯାଇଛି । ପ୍ରଦ୍ୟୁମ୍ନ ବାର୍ ଚଲାଇ ନପାରିବାରୁ ପ୍ରସନ୍ନ ଏହାକୁ ନିଜ ଭାଇଙ୍କ ନାଁରେ ଲିଜରେ ନେଇ ଚଲାଉଥିଲେ । ଅନ୍ୟପକ୍ଷରେ ଏହି ବାରର ଲାଇସେନ୍ସ ଗତ ସେପ୍ଟେମ୍ବର ମାସରୁ ଶେଷ ହୋଇଯାଇଥିଲେ ବି ପ୍ରସନ୍ନ ଏହାକୁ ଚଲାଉଥିଲେ । ସେହିପରି କୋଭିଡ୍ କଟକଣା ଉଲ୍ଲଂଘନ କରି ସେ ଏହାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଲାଉଥିଲେ । ଏ କଥା ଜଣାପଡ଼ିବା ପରେ ପ୍ରଥମେ ପ୍ରସନ୍ନଙ୍କୁ ଚାକିରିରୁ ନିଲମ୍ବନ କରାଯାଇ ପରେ ତାଙ୍କୁ ଗିରଫ କରାଯାଇଥିଲା । ଆଉ ଗିରଫ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ସେହିଭଳି ପ୍ରସନ୍ନଙ୍କ ନାମରେ ପୂର୍ବରୁ ବହୁ ମାମଲା ରହିଛି । ତାଙ୍କ ନାମରେ ମୋଟ ୮ଟି ବିଭାଗୀୟ ପ୍ରୋସିଡିଂ ଓ ୫ଟି ଫୌଜଦାରୀ ମାମଲା ରହଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ବାରରେ ବିଲ୍ ପେମେଣ୍ଟକୁ ନେଇ ମନିଷଙ୍କର ତାଙ୍କ ସାଙ୍ଗମାନଙ୍କ ସହିତ ଝଗଡ଼ା ହୋଇଥିଲା । ସେହି ସମୟରେ ସେମାନେ ମନିଷଙ୍କୁ ମାରପିଟ କରିଥିଲେ ଓ ସେଥିରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପୁଲିସ୍ କହିଛି । ଏହି ଘଟଣାରେ ତାଙ୍କର ତିନି ଜଣ ସାଙ୍ଗ ଗିରଫ ହୋଇଛନ୍ତି ।