ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର
#ଭୁବନେଶ୍ୱର(ଏନ୍.ଏମ୍.): ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ତାଙ୍କର ବ୍ରେନ ଡେଡ୍ ହୋଇଯାଇଥିବା ନେଇ ତାଙ୍କ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ଡାକ୍ତର ରାଉତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଅନୁଯାୟୀ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ମେଡିକାଲ ନେବା ବାଟରେ ତାଙ୍କର ହୃଦଘାତ ହୋଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଦାମ ରାଉତଙ୍କୁ ସିପିଆର ଦିଆଯାଇ ନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି । ସିପିଆର ନ ଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା । ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ରାଉତଙ୍କର ଚିକିତ୍ସା ଚାଲିଛି । ତେବେ ସମ୍ବିତଙ୍କ ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, କାଜୁଆଲିଟିରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା । ତାଙ୍କର ଅକ୍ସିଜେନ୍ ସାଚୁରେସନ କମିଯାଇଥିଲା । କିଡନୀ ଠିକ୍ ନଥିଲା । ଡାକ୍ତର ତୁରନ୍ତ ଦେଖିଥିଲେ, ଇସିଜି ହୋଇଥିଲା, ଅକ୍ସିଜେନ୍ ଦିଆଯାଇଥିଲା । ଯେହେତୁ ଆମର ଏଠି କିଡନୀ ଡାକ୍ତର ନାହାନ୍ତି, ରେଫର କରିବାକୁ ପଡ଼ିଲା । ପ୍ରାଥମିକ ଚିକିତ୍ସା ସାରି ୩୦ ମିନିଟ ଭିତରେ ତାଙ୍କୁ ରେଫର କରାଯାଇଥିଲା । ତାଙ୍କୁ ସିପିଆର୍ ଦେଲା ଭଳି ଅବସ୍ଥା ନଥିଲା, ତେଣୁ ଦିଆଯାଇନଥିଲା ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।
ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ଜଣେ ଟାଣୁଆ ନେତା ଭାବେ ଜଣାଶୁଣା । ତାଙ୍କ ତୁଣ୍ଡ ଖୋଲିଲେ ରାଜ୍ୟ ଚମକି ପଡ଼ୁଥିଲା । ୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁରରେ ଜନ୍ମ ଲାଭ କରିଥିବା ଦାମ ରାଉତ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ୭ଥର ନିର୍ବାଚିତ ହୋଇଛନ୍ତି । ୧୯୫୭ ମସିହାରୁ ଡାକ୍ତର ରାଉତ ବିଜୟ ଯାତ୍ରା ଆରମ୍ଭ କରିଥିଲେ । ସେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରିୟ ବ୍ୟକ୍ତିଥିଲେ । ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଡାକ୍ତର ରାଉତ । ପରବର୍ତ୍ତୀ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଶାସକ ଦଳକୁ ବିପଦରେ ପକାଇଥିଲେ ସେ, ଯେଉଁଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା । ତା’ପରେ ମଧ୍ୟ ତାଙ୍କ ତୁଣ୍ଡ ବନ୍ଦ ହୋଇନଥିଲା । ସେ ପୂର୍ବ ଅପେକ୍ଷା ଅଧିକ କହିଥିଲେ । ସେଥିପାଇଁ ତାଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା । କିଛି ଦିନର ନିରବତା ପରେ ଡାକ୍ତର ରାଉତ ବିଜେପିରେ ମିଶିଥିଲେ । ଏପରିକି ବିଜେପି ତାଙ୍କୁ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମାରେ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା । ମାତ୍ର ସେଠାରେ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରିଥିଲେ ଡାକ୍ତର ରାଉତ । ଗତ କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ପୁଣିଥରେ ବିଜେଡିକୁ ଫେରାଇ ଆଣିଥିଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।