ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି
#ରାଇରଙ୍ଗପୁର(ଏନ୍.ଏମ୍.): ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳି ମାଡରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ସହିଦ ହୋଇ ଯାଇଛନ୍ତି । ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ସାଥୀଙ୍କୁ ହରାଇ ମର୍ମାହତ । ଏଥିସହ ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ ବନ କର୍ମଚାରୀଙ୍କ ସୁରକ୍ଷା ନେଇ ସେମାନେ ଏବଂ ତାଙ୍କର ପରିବାର ଲୋକେ ଚିନ୍ତିତ । ଶିମିଳିପାଳ ପାଲଟିଛି ଶିକାରୀଙ୍କ ଭୂସ୍ୱର୍ଗ । ଆଗରୁ ନକ୍ସଲଙ୍କ ଭୂସ୍ୱର୍ଗ ଥିବାବେଳେ ଏବେ ରାଜ୍ୟ ଓ ଆନ୍ତଃରାଜ୍ୟ ଶିକାରୀଙ୍କ ଭୂସ୍ୱର୍ଗ ପାଲଟିଛି । ସେମାନଙ୍କ ଅବାଧ ଶିକାରକୁ ରୋକିବାକୁ ଯାଇ ଗୁଳିରେ ଟଳି ପଡୁଛନ୍ତି ନିରସ୍ତ୍ର ବନ କର୍ମଚାରୀ । ଏଭଳି ଦୁଃଖଦ ଅଭାବନୀୟ ଘଟଣା ନେଇ ବାରିପଦା ବନକର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ସେମାନଙ୍କ ସୁରକ୍ଷା ନେଇ ୭ ଦଫା ଦାବି ଉପସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୩ଟି ଜୋନର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ରାଜ୍ୟ ବନ କର୍ମଚାରୀ ସଂଘର ଅଧ୍ୟକ୍ଷ ଖଗେଶ୍ୱର ସେଠୀଙ୍କ ସଭାପତିତ୍ୱରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦିବଂଗତ ସାଥୀ ବିମଳ ଜେନାଙ୍କ ଉଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପରେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ବାରିପଦା ସର୍କଲରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଦାବି ଉପସ୍ଥାପନା କରାଯାଇଥିଲା । ପରେ ୭ ଦଫା ଦାବି ମଧ୍ୟରେ ସାଥୀ ବିମଳ ଜେନାଙ୍କୁ ସହିଦ ମାନ୍ୟତା, ୨୫ ଲକ୍ଷ ଟଙ୍କାର ସରକାରୀ ଅନୁକମ୍ପା ରାଶି ପ୍ରଦାନ, ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ,ଏସଏସଏଫ ଗଠନ,ଏସଏସଏଫ ଗଠନ ନହେଲା ପର୍ଯ୍ୟନ୍ତ ଠାକୁରମୁଣ୍ଡା, ଯଶିପୁର, ପିଠାବଟା, ପୋଡାଡିହାରେ ୪ ପ୍ଳାଟୁନ ସିଆରପିଏଫ ନିୟୋଜିତ କରିବା, ବନ୍ଧୁକ ଯୋଗାଇବା, ଖାଲିଥିବା ପଦବୀ ପୂରଣ କରିବା, ୱାଇଫାଇ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଦାବି ଗୁଡ଼ିକ ଯଦି ଶିଘ୍ର ପୂରଣ କରା ନଥାଏ ତାହାହେଲେ ଜୁନ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାମବନ୍ଦ ଆନ୍ଦୋଳନ କରିବେ ବୋଲି ନେତୃବୃନ୍ଦ ନିଷ୍ପତ୍ତି ନେଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ବିଭାଗ ମନ୍ତ୍ରୀ,୫-ଟି ସଚିବ, ଓଡ଼ିଶା ଜଙ୍ଗଲ ବିଭାଗ ସଚିବ, ପିସିସିଏଫ (ସାଧାରଣ) ଓଡ଼ିଶା, ୱାଇଲଡ୍ ଲାଇଫ, ଓଡ଼ିଶା, ପିସିସିଏଫ(ବନ୍ୟପ୍ରାଣୀ), ଆରସିସିଏଫ, ବାରିପଦା, ଡେପୁଟି ଡାଇରେକ୍ଟର ଶିମିଳିପାଳ ଉତ୍ତର ଓ ଦକ୍ଷିଣଙ୍କୁ ଲିଖିତ ଦାବିପତ୍ର ପ୍ରଦାନ ମେଲ୍ ଜରିଆରେ ପ୍ରେରଣ କରାଯାଇଛି । ଏହି ବୈଠକରେ ସଭାପତି ଶ୍ରୀ ସେଠୀ, ସଂପାଦକ ଅବନୀକାନ୍ତ ଜେନା, ପ୍ରଶାନ୍ତ କୁମାର ସିଂ ସାମନ୍ତ, ପ୍ରଭାସ ମହାନ୍ତ, ବିକାଶ ଭୁଜବଳ, ଚନ୍ଦ୍ରଭାନୁ ମହାନ୍ତ, ହୃଷିକେଶ ପ୍ରଧାନଙ୍କ ସମେତ ବନକର୍ମଚାରୀ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।