ବକେୟା ପ୍ରାପ୍ୟ, ନିଯୁକ୍ତି ଦାବିରେ ଶ୍ରମମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବ କର୍ମଚାରୀ ସଂଘ
#କଟକ(ଏନ୍.ଏମ୍.): ଆଠଗଡ଼ସ୍ଥିତ ମାହେଶ୍ୱରୀ ଇସ୍ପାତ କାରଖାନାକୁ ଚକ୍ରାନ୍ତ କରି ବନ୍ଦ କରି ଦିଆଯାଇଛି । କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ଦେବାରେ କମ୍ପାନୀ କର୍ତ୍ତୃକ୍ଷ ଟାଳଟୂଳ ନୀତି ଅବଲମ୍ବନ କରିବା ଦ୍ୱାରା ଶ୍ରମିକ ପରିବାର ଏବେ ହତାସ ହୋଇ ପଡ଼ିଛନ୍ତି । ତେବେ ଏହାର ପ୍ରତିବାଦରେ ଶ୍ରମମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବାକୁ ଭାରତୀୟ ମଜଦୁର ସଂଘ(ବିଏମଏସ) ପରିଚାଳିତ ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସୂଚନା ଅନୁଯାୟୀ ମାହେଶ୍ୱରୀ ଇସ୍ପାତ କାରଖାନାକୁ ବନ୍ଦ କରିଦେବା ପରେ ଏହାକୁ ବି. କେ. ଷ୍ଟିଲ୍ ନାମକ ଏକ ଘରୋଇ କମ୍ପାନୀକୁ ବିକ୍ରୀ କରି ଦିଆଯାଇଛି । ଯାହାଫଳରେ ପୂର୍ବରୁ ଏଠାରେ କାର୍ଯ୍ୟରତ ଶ୍ରମିକମାନେ ବର୍ଷ ବର୍ଷ ଧରି କାମ କରି ସେମାନଙ୍କ ପ୍ରାପ୍ୟ ପାଇପାରି ନାହାନ୍ତି । ଶ୍ରମିକ ସଂଗଠନ ପକ୍ଷରୁ ଏଥିପାଇଁ କୋର୍ଟର ଆଶ୍ରୟ ନିଆଯାଇଥିଲା । ମାନ୍ୟବର ଅଦାଲତ ଶ୍ରମିକମାନଙ୍କର ଆବେଦନ ଗ୍ରହଣ କରି ତୁରନ୍ତ ଶ୍ରମିକମାନଙ୍କର ବକେୟା ଦରମା ବାବଦ ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶ୍ରମ ବିଭାଗରେ ସଂଘ ତରଫରୁ ଶ୍ରମିକମାନଙ୍କର ପ୍ରାପ୍ୟ, କର୍ମଚାରୀମାନଙ୍କର କାର୍ଯ୍ୟରେ ନିଯୁକ୍ତି ପାଇଁ ଶ୍ରମ କମିଶନର, ଯୁଗ୍ମ ଶ୍ରମ ଆୟୁକ୍ତ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ କମ୍ପାନୀ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରୁନାହାନ୍ତି । ପ୍ରକାଶ ଥାଉ କି, ଉକ୍ତ କମ୍ପାନୀର ଜନୈକ ଶ୍ରମିକ ତାଙ୍କର ବକେୟା ପ୍ରାପ୍ୟ ନପାଇବା ଫଳରେ ସେ ଆତ୍ମହତ୍ୟା କରିଛନ୍ତି ।
କମ୍ପାନୀର ମାଲିକ ଶ୍ରମ ବିଭାଗକୁ ବେଖାତିର କରି ଶ୍ରମିକମାନଙ୍କ ଅଧିକାର ଦେଉନାହାନ୍ତି ଯାହାଫଳରେ କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି । ଆସନ୍ତା ଡିସେମ୍ବର ୧୫ତାରିଖରେ ଏ ନେଇ ଭୁବନେଶ୍ୱରସ୍ଥିତ ଶ୍ରମମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗଣଧାରଣା ଦିଆଯିବା ପାଇଁ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ବକ୍ସିବଜାରସ୍ଥିତ ପାନ୍ଥନିବାସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘର ଉପସାଧାରଣ ସମ୍ପାଦକ ତଥା ମହେଶ୍ୱରୀ ଇସ୍ପାତ କର୍ମଚାରୀ ସଂଘର ସଭାପତି ଶାନ୍ତନୁ କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ସାହୁ, ଉପସଭାପତି ଚଣ୍ଡୀପ୍ରସାଦ ଶତପଥୀ, ସାଧାରଣ ସମ୍ପାଦକ ପ୍ରକାଶ ରାଉତ, କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଦୀପକ୍ ମହାପାତ୍ର, ସରୋଜ ଦାସ, ଓଡ଼ିଶା ଠିକା ମଜଦୁର ମହାସଂଘ ରାଜ୍ୟ ସଭାପତି ଅଶୋକ ସ୍ୱାଇଁ, ଆର୍.ଏସ୍.ବି. ମଜଦୁର ସଂଘର ସାଧାରଣ ସମ୍ପାଦକ ସୁକାନ୍ତ ସାହୁ, ଜଗତ୍ପୁର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ସାଧାରଣ ସମ୍ପାଦକ ଅଶୋକ ସାମଲ, ରବିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଭାରତୀୟ ମଜଦୁର ସଂଘ, କଟକ ଜିଲ୍ଲା ତରଫରୁ ସମସ୍ତ ସଂଗଠନର ଶତାଧିକ ଶ୍ରମିକ କର୍ମଚାରୀ ଉପସ୍ଥିତ ରହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।