ଫକିରପୁର ମା’ ବାଟ ମଙ୍ଗଳାଙ୍କ ସପ୍ତମ ବାର୍ଷିକ ଉତ୍ସବ
ଜଗତପୁର(ଏନ୍.ଏମ୍.): ଜଗତପୁର ଆଇ.ବି. ରୋଡସ୍ଥିତ ଫକିରପୁର ବଉଳେଇ ସାହିରେ ମା’ ବାଟ ମଙ୍ଗଳାଙ୍କ ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ବୈଦିକ ରୀତିରେ ମା’ଙ୍କ ସ୍ୱତନ୍ତ୍ର ପୂଜା କରାଯାଇଥିଲା । ଗତକାଲି ଦିନ ଅଙ୍କୁରା ରୋପଣ କରାଯାଇଥିବାବେଳେ ଆଜି ସକାଳ ୭ ଘଟିକାରେ କଳସ ଶୋଭାଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁମାନେ କଳସୀ ଶୋଭାଯାତ୍ରାରେ ଜଳପୁର୍ଣ୍ଣ କଳସୀରେ ମହାନଦୀରୁ ଜଳ ଆଣି ମନ୍ଦିରରେ ପହଁଞ୍ଚି ଥିଲେ । ଦିବା ୧୦ଘଟିକାରେ ମଣ୍ଡଳ ପୂଜା, ଉପଚାର ପୂଜା, ଚଣ୍ଡିପାଠ ଓ ସର୍ବଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଇ ସନ୍ଧ୍ୟା ୬ ଟାରେ ପୂର୍ଣ୍ଣାହୁତି ପରେ ପୂଜା ସମାପନ କରାଯାଇ ଥିଲା । ଏହି ଅବସରରେ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଆଇ.ବି ରୋଡସ୍ଥିତ ଫକିରପୁର ବଉଳେଇ ସାହି ଗଡା ନିକଟରେ କାହିଁ କେବେଠାରୁ ଗୋଟିଏ ଛୋଟ ମନ୍ଦିରରେ ମା’ ପୂଜା ପାଉଥିଲେ । କିଛି ସ୍ୱେଚ୍ଛାସେବୀ ଅନୁଷ୍ଟାନ ଓ ମନ୍ଦିର ପୂଜକ ପରିବାରଙ୍କ ପକ୍ଷରୁ ଗୋଟିଏ ନୂତନ ଭବ୍ୟ ମନ୍ଦିର ନିର୍ମାଣ କରାଯାଇ ମା’ ଙ୍କୁ ଏହି ମନ୍ଦିରରେ ସ୍ଥାପିତ କରାଯାଇ ଥିଲା । ମନ୍ଦିରର ମୁଖ୍ୟ ପୂଜକ ବିଜୟ ଶୁକ୍ଲ ମା’ଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଥିଲେ । ମାତ୍ର ତାଙ୍କର ଦେହାନ୍ତ ପରେ ତାଙ୍କ ପୁତ୍ର ଚନ୍ଦନ ଶୁକ୍ଳ ମା’ ଙ୍କର ଏହି ପୂଜାଧି କାର୍ଯ୍ୟ କରୁଛନ୍ତି । ଯେଉଁ କାମରେ ଯିଏ ସେହି ବାଟ ଦେଇ ଯାଉଥିବ ମା’ ଙ୍କ ଦର୍ଶନ କରି କାର୍ଯ୍ୟସ୍ଥଳକୁ ଗଲେ ମା’ଙ୍କ କୃପାରୁ ତାଙ୍କର ସେହି କାମ ତୁରନ୍ତ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ।