ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ
ଭୁବନେଶ୍ୱର(ଏନ୍.ଏମ୍.): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀମାନେ ଯେପରି ଶୀଘ୍ର କ୍ଷତିପୂରଣ ପାଇପାରିବେ ସେଥି ନିମନ୍ତେ ବୀମା କମ୍ପାନୀ, ବ୍ୟାଙ୍କ ଏବଂ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କୃଷି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଉପସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ବୀମାଭୁକ୍ତ ଚାଷୀମାନଙ୍କର କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ଚାଷୀମାନଙ୍କୁ ବୀମା ପ୍ରଦାନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ଆଶୁ ସମାଧାନ କରି ସମସ୍ତ ଯୋଗ୍ୟ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସଂପୃକ୍ତ ବୀମା କମ୍ପାନୀ ଓ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପାଣିପାଗର ଅନିଶ୍ଚିତତା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ସମସ୍ତ ଚାଷୀ ଫସଲବୀମା ପଞ୍ଜିକରଣ କରି ନିଜ ଫସଲକୁ ସୁରକ୍ଷିତ ରଖିବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ସହିତ ଫସଲବୀମାରେ ବୈଷୟିକ ଜ୍ଞାନକୌଶଳ ବିନିଯୋଗ କରି କ୍ଷତି ଆକଳନ ପ୍ରକ୍ରିୟାକୁ ନିର୍ଭୁଲ ଓ ସୁଦୃଢ଼ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ସମବାୟ ବିଭାଗର ସଚିବ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡକ୍ଟର ଏମ୍. ମୁଥୁକୁମାର, ନିବନ୍ଧକ ସମବାୟ ସମିତି ଉଦ୍ଧବ ଚରଣ ମାଝୀ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡକ୍ଠା ବି.ବିି. ନନ୍ଦଙ୍କ ସମେତ ରିଲାଏନ୍ସ ଜିଆଇସି ଲିମିଟେଡ୍ର ପ୍ରତିନିଧି, ବିଭାଗୀୟ ବରିଷ୍ଠ ଅଧିକାରୀ, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର, କୁଲାବିରା, ଲାଇକେରା, କିରିମିରା ଓ ଝାରସୁଗୁଡ଼ା ବ୍ଲକ୍ର ଅନେକ ଚାଷୀ ଉପସ୍ଥିିତ ଥିଲେ ।